ତିହିଡି, ୦୯/୦୭(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅନ୍ତର୍ଗତ ଭାଟପଡା ପଞ୍ଚାୟତର ଶଂଖିଡା ସରକାରୀ ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ ମାନେ ବୁଧବାର ଦିନ ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ବସିଥିଲେ । ସ୍କୁଲର ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ ଏହି ଧାରଣା ଦିଆଯାଇଥିବା ଜଣାଯାଇଛି । ପ୍ରକାଶ ଯେ, ଏହି ସ୍କୁଲରେ ପ୍ରାୟ ୫୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ମିଶାଇ ମୋଟ ୩ ଜଣ ଶିକ୍ଷୟିତ୍ରୀ ଶିକ୍ଷାଦାନ ଲାଗି ନିୟୋଜିତ ଥିଲେ । ତେବେ ତିହିଡି ବ୍ଳକରେ ଶିକ୍ଷକ ବଦଳିର ପ୍ରଥମ ପର୍ଯ୍ୟାୟରେ ସ୍କୁଲର ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ତେଣୁ ଶିକ୍ଷାଦାନ ବାଧା ପାଇବା ଆଶଙ୍କା କରି ଆଉ ଜଣେ ଶିକ୍ଷକଙ୍କୁ ଏଠାରେ ନିଯୁକ୍ତ କରିବା ଦାବିରେ ସ୍କୁଲ ପରିଚାଳନା କମିଟି ଓ କେତେକ ଗ୍ରାମବାସୀ ବୁଧବାର ଦିନ ପୂର୍ବାହ୍ନ ପ୍ରାୟ ୧୦ଟାରେ ସ୍କୁଲ ଗେଟରେ ତାଲା ପକାଇ ଦେଇଥିଲେ । ସ୍କୁଲକୁ ଆସିଥିବା ଛାତ୍ରଛାତ୍ରୀ ମାନେ ସ୍କୁଲ ଗେଟ ଆଗରେ ଧାରଣାରେ ବସି ପ୍ରତିବାଦ ଜଣାଇଥିଲେ । ଖବରପାଇ ସିଆରସିସି ତ୍ରିନାଥ ସେଠୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ପରେ ବ୍ଲକ ଶିକ୍ଷାଧିକାରୀଙ୍କ ନିଦେ୍ର୍ଦଶକ୍ରମେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଲକ୍ଷ୍ମୀପ୍ରିୟା ମାଝୀ, ତିହିଡି ଥାନାଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ସ୍କୁଲ ପରିଚାଳନା କମିଟିର ସଭାପତିି ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀଙ୍କ ଅନୁପାତରେ ଏଠାରେ ୨ ଜଣ ଶିକ୍ଷକ ରହିବାର ନିୟମ ରହିଛି । ତେଣୁ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଅନ୍ୟ ଜଣେ ଶିକ୍ଷୟିତ୍ରୀଙ୍କୁ ଏଠାରୁ ବଦଳି କରାଯାଇଛି ବୋଲି ଶ୍ରୀମତୀ ମାଝୀ କହିଥିଲେ । ଅନ୍ୟପକ୍ଷେ ପରିଚାଳନା କମିଟି ସେମାନଙ୍କ ସମସ୍ୟା ନେଇ ବ୍ଲକ ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରନ୍ତୁ ଅନ୍ୟଥା ପାଠପଢାରେ ବାଧା ସୃଷ୍ଟି କରା ନଯାଉ ବୋଲି ଶ୍ରୀମତୀ ମାଝୀ ବୁଝାଇବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହି ଧାରଣା ଯୋଗୁଁ ସ୍କୁଲରେ ପାଠପଢା ଓ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଥିବା ଜଣାଯାଇଛି ।