Odisha news

ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତକୁ ଧରିବାରେ ବିଫଳ ପୋଲିସ

0

ତିହିଡିÿ, ୦୯/୦୬(ଯଦୁମଣି ପାଣିଗ୍ରାହୀ): ତିହିଡି ଥାନା ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତର କାଳିମେଘା ଗାଁରେ ପୂର୍ବ ଶତ୍ରୁତାରୁ କରାଯାଇଥିବା ମରଣାନ୍ତକ ଆକ୍ରମଣ ଘଟଣାକୁ ଇତି ମଧ୍ୟରେ ସପ୍ତାହେ ବିତିଗଲଣି ଅଥଚ ଅଭିଯୁକ୍ତକୁ ପୋଲିସ ଧରିବାରେ ବିଫଳ ହୋଇଛି । ଯାହାକୁ ନେଇ ପୋଲିସର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଆକ୍ରମଣର ଶିକାର ସୌମିତ୍ରୀ ପ୍ରଧାନ ଏବେ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଅଭିଯୁକ୍ତ ଫେରାର ଥିବା ପୋଲିସ ପକ୍ଷରୁ ଦର୍ଶାଯାଉଛି । ପ୍ରକାଶ ଯେ, କଣ୍ଟାବଣିଆ ଛକ ଠାରେ ଏକ ମହାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଥିଲା । ଚଳିତ ମାସ ୨ ତାରିଖ ଦିନ ସକାଳେ ସୌମିତ୍ରୀ ଦୈନନ୍ଦିନ ଭଳି ସେଠାରେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟରେ ସହଯୋଗ କରୁଥିଲେ । ତେବେ ଅଭିଯୁକ୍ତ ଧନେଶ୍ୱର ପୂର୍ବ ଯୋଜନା ମୁତାବକ ସେଠାରେ ପହଞ୍ଚି ସୌମିତ୍ରୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ଅତର୍କିତ ଭାବେ ମରଣାନ୍ତକ ଆକ୍ରମଣ କରିଥିଲା । ଯନ୍ତ୍ରଣାରେ ଛଟପଟ ସୌମିତ୍ରୀଙ୍କ ଚିକ୍ରାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଯିବାରୁ ଧନେଶ୍ୱର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା । ଯିବା ବେଳେ ଅଭିଯୁକ୍ତ ଜଣଙ୍କ ସୌମିତ୍ରୀଙ୍କ ପାଖରେ ଥିବା ନଗଦ ୩୦ ହଜାର ଟଙ୍କା ଓ ମୋବାଇଲଟିକୁ ସାଙ୍ଗରେ ନେଇ ଯାଇଥିଲା । ପରେ ସୌମିତ୍ରୀଙ୍କୁ ଚିକିତ୍ସା ଲାଗି ପ୍ରଥମେ ତିହିଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାକୁ ନେଇ ସେହିଦିନ ସୌମିତ୍ରୀଙ୍କ ଭାଇ ସୁଜିତ ତିହିଡି ଥାନରେ ଲିଖିତ ଅଭିଯୋଗ କରିଥିବା ବେଳେ ସ୍ଥାନୀୟ ଲୋକେ ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ରଟିକୁ ପୋଲିସର ଜିମା ଦେଇଥିଲେ । ପୋଲିସ ବିଭିନ୍ନ ଦଫାରେ ଏକ ମାମଲା ନଂ-୨୦୦/୨୪ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେବେ ଘଟଣାକୁ ଇତି ମଧ୍ୟରେ ୭ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଧରୁ ନଥିବା ନେଇ ସୌମିତ୍ରୀଙ୍କ ସାନ ଭାଇ ସୁଜିତ ତିବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହିତ ଖୁବଶିଘ୍ର ସେ ଭଦ୍ରକର ନୂଆ ଏସପିଙ୍କୁ ଭେଟି ନ୍ୟାୟ ଭିକ୍ଷା କରିବେ ବୋଲି ସୂଚନା ଦେଇଛନ୍ତି ।

Leave A Reply