Odisha news

ତିହିଡ଼ି ଓ ପୀରହାଟ ପୁଲିସ ପକ୍ଷରୁ ବିପୁଳ ପରିମାଣରେ କୋଇଲା କଢ଼ା ସରଂଜାମ ଉଦ୍ଧାର

0

ତିହିଡ଼ି,୨୦ା୧୧: ଚୋରା କୋଇଲା ଚାଲାଣ ସମ୍ପ୍ରତି ଏକ ସାମାଜିକ ବ୍ୟାଧି ପରି ଚାରିଆଡ଼େ ବ୍ୟାପି ସାରିଲାଣି । ଚଳନ୍ତା ରେଳରୁ କୋଇଲା କାଢ଼ିବା, ବସ୍ତାରେ ପ୍ୟାକିଂ କରି ସାଇକେଲ ଓ ବାଇକ୍ ଯୋଗେ ଅନ୍ୟତ୍ର ମହଜୁଦ କରିବା, ପିକ୍ଅପ୍ ଭ୍ୟାନ ହେଉ ଅଥବା ବଡ଼ ଗାଡ଼ିରେ ଅନ୍ୟତ୍ର ଚାଲାଣ କରିବା ଆଦି ‘ସଂଗଠିତ ଅପରାଧ’ ଚାଲିଛି । ଏହାକୁ ରୋକିବା ପାଇଁ ନୂତନ ଭାବେ ଯୋଗଦାନ କରିଥିବା ଏସପିଙ୍କ ତରଫରୁ ଜୋରଦାର ପ୍ରୟାଶ ଆରମ୍ଭ ହୋଇଛି । ବିଗତ କିଛିଦିନ ଧରି ରାତି ଅଧିଆ ଅତର୍କିତ ଚଢ଼ାଉରେ ଚୋରା ଚାଲାଣ ଗାଡ଼ି ସମେତ ଟନ୍ ଟନ୍ ଚୋରା କୋଇଲା ଜବତ ମଧ୍ୟ କରାଯାଇଛି । ତେବେ ଏହାର ମୂଳ ପ୍ରସଂଗ ଚଳନ୍ତା ରେଳରୁ କୋଇଲା କାଢ଼ିବା । ଚୋରମାନେ ଜୀବନକୁ ବାଜି ଲଗାଇ ହାଇ ଭୋଲଟେଜ୍ ବିଦୁ୍ୟତ୍ ଖୁଣ୍ଟରେ ହୁକ ସେଟିଂ କରି ରଖୁଛନ୍ତି ଏବଂ ରେଳ ଇଂଜିନ୍ ପାସ୍ କଲା ପରେ ହୁକକୁ ଖସାଇ ଦେଉଛନ୍ତି । ଯାହାଫଳରେ ଟନ୍ ଟନ୍ କୋଇଲା ତଳେ ପଡ଼ୁଛି । ଏହି ହୁକ ଉପରେ ଲୋଲୁପ ଦୃଷ୍ଟି ରଖିଛି ପୁଲିସ । ଚେର ଛଡ଼ା ଅଭିଯାନ ଅର୍ଥାତ୍ ରେଳଧାରଣାରୁ ହୁକ ଗୁଡ଼ିକୁ ହଟେଇଲେ ଏପରି ଅପରାଧ ନିଶ୍ଚୟ ଭାବେ କମିବ ବୋଲି ଆଶା ବାନ୍ଧିଛି ପୁଲିସ । ଏହି ମର୍ମରେ ଏସପିଙ୍କ ନିଦେ୍ର୍ଦଶକ୍ରମେ ତିହିଡ଼ି ଓ ପୀରହାଟ ପୁଲିସ ନିଜ ନିଜ ଇଲାକାରୁ ବିପୁଳ ପରିମାଣର ସରଂଜାମ ଉଦ୍ଧାର କରିଛି । ତିହିଡ଼ି ଥାନାଧୀନ ମୂଷାଙ୍ଗ, ହରିପୁର, ନନ୍ଦପୁର, ଜିଝାରପୁର, ଗାଜିପୁର, ପାଳିଆ ଓ ନୂଆନନ୍ଦ ଆଦି ରେଳପଥରୁ କୋଇଲା କଢ଼ା ହୁକ, ବେଲଚା ଆଦି ଜବତ କରିଛି । କେବଳ ସେତିକି ନୁହଁ ରେଳଧାରଣା ପାଖରେ ଥିବା ବୁଦାଳିଆ ସ୍ଥାନରୁ ମଧ୍ୟ ଏପରି ସାମଗ୍ରୀ ଜବତ କରାଯାଇଛି । ସେହିପରି ପୀରହାଟ ଥାନାଧୀନ ନରେନ୍ଦପୁରରୁ ମଙ୍ଗଳପୁର ମଧ୍ୟରେ ୪ଟି ହୁକ, ୧୨ଟି ବାଲା, ୪ଟି ବେଲଚା, ଦୁଇଟା ଜାଲ ଜବତ କରାଯାଇଛି । ଏଥିସହ ଛତ୍ରପଦା ଅଞ୍ଚଳରୁ ୨୩୦ ବସ୍ତା କୋଇଲା ଜବତ କରାଯାଇଥିବା ସୂଚନା ମିଳିଛି ।

Leave A Reply