ତିହିଡି,୧୦/୦୭ : ତିହିଡି ବ୍ଳକ ଅନ୍ତର୍ଗତ କାଁପଡା ପଞ୍ଚାୟତ ବାରଣାକୂଳ ଗାଁର ଜଣେ ବୃଦ୍ଧଙ୍କୁ ଗତକାଲି ଅପରାହ୍ନରେ କୁମ୍ଭୀର ଟାଣି ନେଇ ମାରି ଦେବା ଭଳି ଦୁଃଖଦ ଘଟଣା ଘଟିଛି । ବୃଦ୍ଧ ଜଣଙ୍କ ନଈ ଆଡିରେ ଘାସ କାଟୁଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି । ପ୍ରକାଶ ଯେ, ଏହି ଗାଁର ବୁଦ୍ଧିରାମ ମଳିକ(୫୫) ଶନିବାର ଅପରାହ୍ନରେ ଗେଙ୍ଗୁଟି-ନାଳିଆର ଶାଖା ନଈ ହୀରାଖାଇ କୂଳରେ ଘାସ କାଟୁଥିଲେ ।
ତେବେ ତାଙ୍କ ଅଜାଣତରେ ନଈ ମଧ୍ୟରୁ କୁମ୍ଭୀର ଆସି ତାଙ୍କୁ ଆକସ୍ମିକ ଭାବେ ଝାମ୍ପି ନେଇ ଯାଇଥିଲା । ପାଖରେ କାମ କରୁଥିବା ଲୋକେ ଏହା ଦେଖିବା ପରେ ତୁରନ୍ତ ସ୍ଥାନୀୟ ତହସିଲ ପ୍ରଶାସନକୁ ଖବର ଦେବା ସହ ଏକ ବୋଟ ଯୋଗେ ତାଙ୍କୁ ଖୋଜା ଖୋଜି କରିଥିଲେ । ତେବେ କିଛି ସମୟ ଖୋଜାଖୋଜି ପରେ କିଛି ଦୂରରେ ନଈ ଆଡି ଉପରେ କୁମ୍ଭୀରଟି ବୃଦ୍ଧଙ୍କୁ ଖାଉଥିବାର ଦେଖିବାକୁ ପାଇଥିଲେ । ଲୋକେ ସେଠାରେ ପହଞ୍ଚି କୁମ୍ଭୀରଟିକୁ ଗୋଡାଇବା ସହ ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ । ସେତେବେଳକୁ କୁମ୍ଭୀରଟି ବୃଦ୍ଧଙ୍କ ଡାହାଣ ହାତ ଓ ଗୋଡକୁ ଖାଇ ଦେଇଥିଲା । ପରେ ତାଙ୍କୁ ତିହିଡି ମେଡିକାଲକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।