ତିହିଡ଼ି,୧୦ା୧୦: ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଅବସ୍ଥିତ ତିହିଡି ବଜାରରେ ଅହରହ ଟ୍ରାଫିକ ଜାମ୍ ସମସ୍ୟା ଲାଗି ରହିଛି । ପରିଣାମ ସ୍ୱରୂପ ଦମକଳ ଗାଡି ଓ ରୋଗୀ ସେବାରେ ନିୟୋଜିତ ଆମ୍ବୁଲାନ୍ସକୁ ବି ଅପେକ୍ଷା କରିବାକୁ ପଡୁଛି । ଏପରିସ୍ଥିତିରେ ପଦଚାରୀଙ୍କ କଥା କିଏ ପଚାରେ । ତିହିଡି ବଜାରଟି ବ୍ୟବସାୟ ଓ ବାଣିଜ୍ୟ ଦୃଷ୍ଟିରୁ ଏକ ଗୁରତ୍ୱପୂର୍ଣ୍ଣ ବଜାର ହୋଇଥିବା ବେଳେ ଏଠାକୁ ଆଖପାଖ ଅଞ୍ଚଳରୁ ଦୈନିକ ସହସ୍ରାଧିକ ଲୋକ ଆସିଥାନ୍ତି । ସେହିପରି ଏହି ବଜାର ରାସ୍ତା ଦେଇ ଦୈିନିକ ଶହ ଶହ ଗାଡିମୋଟର ଯାତାୟାତ କରୁଥିବା ବେଳେ ବଜାରଟି ସବୁବେଳେ ପ୍ରାୟ ଭିଡ ରହୁଛି । ଯାତ୍ରୀ ପରିବହନ କରୁଥିବା ଗାଡିମୋଟର ଗୁଡିକ ରହିବା ଲାଗି ସେମିତି କୌଣସି ନିର୍ଦ୍ଦିଷ୍ଟ ରହଣିସ୍ଥାନ ନଥିବାରୁ ଯିଏ ଯେଉଁଠି ପାରିଲା ସେଠି ଗାଡି ଛିଡା କରାଇ ଯାତ୍ରୀଙ୍କୁ ଉଠାଇବାରେ ଲାଗିଛନ୍ତି ।
ବିଶେଷକରି ଅଟୋ ଓ ଛୋଟ ଛୋଟ ଚାରି ଚକିଆ ଗାଡି ଗୁଡିକ ରାସ୍ତା ଉପରେ ଛିଡା ହୋଇ ରହୁଥିବାରୁ ଉକ୍ରଟ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଅନ୍ୟପକ୍ଷେ ତହିଡି ବଜାରରେ ମାର୍କେଟ କମ୍ପ୍ଲେକ୍ସ କରି ଭଡା ଦେଇଥିବା ଲୋକେ ଗାଡି ପାର୍କିଂ ଲାଗି ସାମ୍ନାରେ କୌଣସି ବ୍ୟବସ୍ଥା କରିନଥିବାରୁ ଲୋକେ ରାସ୍ତା ଉପରେ ଦୁଇ ଚକିଆ ଗାଡି ଗୁଡିକୁ ରଖିଦେଇ ଜିନିଷପତ୍ର କିଣିବାକୁ ଚାଲି ଯାଉଛନ୍ତି । ଏହି ମାର୍କେଟ କମ୍ପ୍ଳେକ୍ସ ଗୁଡିକରେ ବ୍ୟାଙ୍କ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ରହିଥିବାରୁ ଲୋକେ ରାସ୍ତା ଉପରେ ଘଣ୍ଟା ଘଣ୍ଡା ଗାଡି ରଖି ଦେଇ ନିଜ ନିଜ କାମରେ ଚାଲି ଯାଉଛନ୍ତି । ସେହିପରି ବଜାର ରାସ୍ତାକୁ ମାଡି କେତେକ ଅସ୍ଥାୟୀ ଦୋକାନୀ ସେମାନଙ୍କ ଦୋକାନ ଖୋଲିଥିବାରୁ ଗାଡିମୋଟର ଯାତାୟାତରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ଭଦ୍ରକ-ଚାନ୍ଦବାଲି ରାସ୍ତା ସଂପ୍ରସାରଣ ପରେ ଯାତାୟାତରେ ସୁବିଧା ହେବ ବୋଲି ଲୋକେ ଭାବିଥିଲେ । ମାତ୍ର ଏହା ପୂର୍ବାପେକ୍ଷା ବରଂ ଅଧିକ ଭିଡ ହେଉଥିବା ଦେଖିବାକୁ ମିଳୁଛି । ତିହିଡି ପୋଲିସ ପକ୍ଷରୁ ଟା୍ରଫିକ ନିୟନ୍ତ୍ରଣ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସାଧାରଣ ଲୋକଙ୍କ ଠାରୁ ପୁଣି ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କ ଯାଏଁ ସମସ୍ତଙ୍କୁ ଯାତାୟାତ ନେଇ ଗୁରୁତର ଅସୁବିଧା ଭୋଗିବାକୁ ପଡୁଛି । ଏ ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।
Comments are closed.