ତିହିଡ଼ି,୦୯ା୧୦: ତିହିଡି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତରେ ବୃକ୍ଷରୋପଣ ଓ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି । ପଞ୍ଚାୟତର କେତେକ ଅଧିବାସୀ ଏଥିନେଇ ଜିଲ୍ଲାପାଳଙ୍କ ଠାରେ ଫେରାଦ ହୋଇଥିବା ଜଣାଯାଇଛି । ସେମାନଙ୍କ ଅଭିଯୋଗ ଅନୁସାରେ କୁଆଁରଚତର ଠାରୁ ପଇତପୁର ବାବାଜୀ ଦାସ ଘର ଯାଏଁ ଏବଂ ହଂସପାଟ କେଦାର ମାଝୀ ଘର ଠାରୁ ପୁଣି ଗୋବିନ୍ଦପୁର ଛକ ଯାଏଁ ବୃକ୍ଷରୋପଣ କରାଯାଇନି । ମାତ୍ର ଏ ବାବଦରେ ଲକ୍ଷ ଲକ୍ଷ ଟଙ୍କାର ମିଥ୍ୟା ବିଲ କରାଯାଇଛି । ସେହିପରି ମନରେଗା ଯୋଜନାରେ ଗେଙ୍ଗୁଟିନଗର ଠାରୁ ଗଣେଶ ବଳ ଘର ପର୍ଯ୍ୟନ୍ତ କୌଣସି ମାଟି କାମ କରା ନଯାଇ ୧ଲକ୍ଷ ୮୦ ହଜାର ଟଙ୍କାର ବିଲ କରାଯାଇଛି । ଅନ୍ୟପକ୍ଷେ ମନରେଗା ଯୋଜନାରେ ବିଭିନ୍ନ ରାସ୍ତାକୁ ମୋରମ ମେଣ୍ଟାଲ ନାମକୁ ମାତ୍ର କରାଯାଇ ଲକ୍ଷ ଲକ୍ଷ ଟଙ୍କା ହଡପ କରାଯାଉଛି । ଗୋବିନ୍ଦପୁର ଠାରୁ ହଂସପାଟ ରାସ୍ତା, ଗୋବିନ୍ଦପୁର ଠାରୁ କଉଯୋଡି ଭାୟା ଜେନାସାହି ରାସ୍ତାର ଅଟକଳ ମୂଲ୍ୟ ୧୪ ଲକ୍ଷ ଟଙ୍କା ରହିଥିବା ବେଳେ ଏହା ଅତି ନିମ୍ନମାନର କରାଯାଇଛି । ପଞ୍ଚାୟତର ସରପଞ୍ଚ , କନିଷ୍ଠ ଯନ୍ତ୍ରୀ, ଜିଆରଏସ୍ଙ୍କ ସଲାସୁତୁରାରେ ଏଭଳି ଅନିୟମିତତା କରାଯାଇଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି । କାଳନ୍ଦୀ ନାୟକ, ରମଣ ରଞ୍ଜନ ମହାନ୍ତି, ମାୟାଧର ବେହେରା, ଚକ୍ରଧର ନାୟକ, ନାରାୟଣ ଜେନା, ହୃଷିକେଶ ପଣ୍ଡା, ଶ୍ରୀଧର ତରାଇ ଓ ରତିକାନ୍ତ ବାରିକ ପ୍ରମୁଖ ଜିଲ୍ଲାପାଳଙ୍କ ଠାରେ ଏଥିନେଇ ଲିଖିତ ଅଭିଯୋଗ କରିବା ସହ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
Comments are closed.