Odisha news

ଆବାସ ଆଳରେ ଗୁଣ୍ଡାରାଜକୁ ବିଜେଡିର ନିନ୍ଦା : ବିଜେପିର ଶସ୍ତା ରାଜନୀତିକୁ ବରଦାସ୍ତ କରାଯିବ ନାହିଁ

ତିହିଡ଼ି,୦୫ା୦୮ : ପ୍ରଧାନମନ୍ତ୍ରୀ ଆବାସ ଆଳରେ ବିଜେପି ପକ୍ଷରୁ ଯେଉଁ ଗୁଣ୍ଡାରାଜ କରାଯାଇଥିଲା ତାହାକୁ ବିଜେଡି ପକ୍ଷରୁ ତିବ୍ର ନିନ୍ଦା କରାଯାଇଛି । ବିଜେପିର ଏହି ଶସ୍ତା ରାଜନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଜେଡିର ନେତୃବୃନ୍ଦ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହାର ପୁନରାବୃତ୍ତି ଘଟିଲେ ବିଜେଡି ଏହାର ଉଚିତ ଜବାବ ଦେବ ବୋଲି ଗୁରୁବାର ଅପରାହ୍ଣରେ ତିହିଡିସ୍ଥିତ ବିଜେଡି କାର୍ଯ୍ୟାଳୟରେ ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି । ବିଜେଡିର ନେତୃବୃନ୍ଦ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆବାସରେ ଉଭୟ ବିଜେଡି ଓ ବିଜେପି ସମେତ ଅନ୍ୟ ଦଳର ଯୋଗ୍ୟ ହିତାଧିକାରୀ ମାନେ ବାଦ ପଡିଛନ୍ତି । ପ୍ରତି ପଞ୍ଚାୟତରେ ୪ ଜଣଙ୍କୁ ନେଇ ତଦନ୍ତ କାର୍ଯ୍ୟ ଚାଲିଛି । ଯେଉଁ ଯୋଗ୍ୟ ହିତାଧିକାରୀ ମାନେ ବାଦ ପଡିଛନ୍ତି ସେମାନଙ୍କୁ ତାଲିକାଭୁକ୍ତ କରିବା ପାଇଁ ଉଦ୍ୟମ କରାଯାଇଛି ।

ପ୍ରଧାନମନ୍ତ୍ରୀ ଆବାସର ଚୂଡାନ୍ତ ତାଲିକା ପ୍ରକାଶ ପାଇ ନଥିବା ବେଳେ କୁବେରା ପଞ୍ଚାୟତରେ ଅନିୟମିତତାକୁ ଆଳ କରି ବିଜେପି ପକ୍ଷରୁ ସୋମବାର ବ୍ଲକ କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯିବା ସହ ବିଡିଓଙ୍କୁ ଦୁର୍ବ୍ୟବହାର କରାଯିବା ଆଦୌ ଯୁକ୍ତିସଙ୍ଗତ ନୁହେଁ । ଏହି ଭଙ୍ଗାରୁଜା ଘଟଣାର ଭିଜୁଆଲକୁ ଆଧାର କରି ପୋଲିସ ପକ୍ଷରୁ ଦୋଷୀମାନଙ୍କ ନାଁରେ ମାମଲା ରୁଜୁ କରାଯାଇ ୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨୫ ଜଣ ଫେରାର ଅଛନ୍ତି । ତେବେ ଏହି ଗିରଫଦାରୀ ପାଇଁ ବିଜେଡି ପକ୍ଷରୁ କୌଣସିପ୍ରକାର ଚାପ ପ୍ରୟୋଗ କରାଯାଇନାହିଁ ବୋଲି ଦଳର ନେତାମାନେ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀ ସ୍ୱଚ୍ଛତାରେ ବିଶ୍ୱାସ କରୁଥିବା ବେଳେ ତିହିଡି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରିବାକୁ ଉଦ୍ୟମ କରାଯାଉଛି । ବିଜେପିର କେତେକ କର୍ମୀ ହିତାଧିକାରୀଙ୍କ ଠାରୁ ଟଙ୍କା ଖାଇ ସେମାନଙ୍କୁ ଆବାସ ଯୋଗାଇ ଦେବାକୁ ଉଦ୍ୟମ ଚଳାଇଛନ୍ତି । ମାତ୍ର ଏହା ଭଣ୍ଡୁର ହେବାରୁ ସେମାନେ ପ୍ରତିଶୋଧ ପରାୟଣ ହୋଇ ଏ ପ୍ରକାର ଅଶୋଭନୀୟ କାଣ୍ଡ ଘଟାଇଥିବା ନେତା ମାନେ ସୂଚନା ଦେଇଥିଲେ ।

ବ୍ଲକ ସଭାପତି ରଘୁନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦୁ୍ୟତଲତା ନାୟକ କହିଥିଲେ ଯେ, ନିଜର ସ୍ଥିତିକୁ ଜାହିର କରିବା ପାଇଁ ଉଦେ୍ଦଶ୍ୟମୂଳକ ଭାବେ ବିଜେପି ଏ ପ୍ରକାର କାଣ୍ଡ ଘଟାଇ ବିଜେଡି ଉପରେ ଦୋଷ ଲଦୁଛି ଯାହା ଅତ୍ୟନ୍ତ ନିନ୍ଦନୀୟ । ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ପ୍ରତିନିଧି ହରେକୃଷ୍ଣ ଜେନା, ବ୍ଲକ ଉପାଧ୍ୟକ୍ଷ ମାନସ ପାଠୀ, ଜିଲ୍ଲା ଉପସଭାପତି ସୁରେନ୍ଦ୍ର ନାୟକ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ କମଳାକାନ୍ତ ଭୋଇ, ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ଜିଲ୍ଲା ସଂପାଦକ ସରପଞ୍ଚ ପ୍ରଦୀପ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଚିନ୍ତାମଣି ଦାସ, ସରପଞ୍ଚ କୀର୍ତ୍ତନ ରାଉତ, ଗଣେଶ ପ୍ରସାଦ ବିଶ୍ୱାଳ ଯୋଗ ଦେଇ ଗରିବ ଲୋକଙ୍କ ନାଁ ନେଇ ବିଜେପି ଯେଉଁ ଅଗଣତାନ୍ତ୍ରିକ କାର୍ଯ୍ୟ କରିଛି ତାହାକୁ ଆଗାମୀ ଦିନରେ ଉଚିତ ଜବାବ ଦିଆଯିବ ଏବଂ ଅନ୍ୟ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରାଯିବ ବୋଲି କହିଥିଲେ । ସମ୍ମିଳନୀରେ ଚାନ୍ଦବାଲି ବିଧାୟକଙ୍କ ପ୍ରତିନିଧି ପ୍ରଶାନ୍ତ ବିଶ୍ୱାଳ, ସରପଞ୍ଚ ବିପିନ ବେହେରା, ଶରତ ମଲ୍ଲିକ, ମାନସୀ ମଲିକ ଶଶାଧର ସାମଲ, ସରପଞ୍ଚଙ୍କ ପ୍ରତିନିଧି ନିତ୍ୟାନନ୍ଦ ବେହେରା, ଆଦିତ୍ୟ ଜେନା ଓ ଭୀମସେନ ବାରିକ, ଯତିନ୍ଦ୍ର ବେହେରା, ଉତ୍ତମ ମହାପାତ୍ର, ସୁଧନ୍ୱା ନାୟକ, ସଂଗ୍ରାମ ମହାପାତ୍ର, ମହେଶ୍ୱର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Shares