ତିହିଡି,୦୩/୦୮: ତିହିଡି ବ୍ଲକ ଅଧିନ ପୀରହାଟ ଶାନ୍ତିଶୈଳେନ୍ଦ୍ର (ପିଏସ୍ଏସ୍)ହାଇସ୍କୁଲର ନୂତନ ଶ୍ରେଣୀ ଗୃହ ସ୍କୁଲ ନିକଟସ୍ଥ ପଡିଆରେ ନିର୍ମାଣ କରିବାକୁ ଦାବିହୋଇଛି । ହାଇସ୍କୁଲର କାର୍ଯ୍ୟକ୍ଷମ ଶ୍ରେଣୀ ଗୃହକୁ ନ ଭାଙ୍ଗି ଏହି ନିର୍ମାଣକାର୍ଯ୍ୟ ସ୍ୱଚ୍ଛତାର ସହିତ କରିବାକୁ ଦାବି ପତ୍ରରେ ଦର୍ଶାଯାଇଛି । ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଏ ସଂପର୍କରେ ଶିକ୍ଷା ବିଭାଗ ସଚିବ, ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ, ବିଡିଓଙ୍କ ସମେତ ସ୍କୁଲର ପ୍ରଧାନଶିକ୍ଷକ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଦାବି ପୂରଣ ନ ହେଲେ ସେମାନେ ସ୍କୁଲ ସାମ୍ନାରେ ଗଣଧାରଣା ଦେବା ସହ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ଚେତାବନୀ ଦେଇଛନ୍ତି । ସେମାନେ ଦର୍ଶାଇଛନ୍ତି ଯେ, ହାଇସ୍କୁଲର ଶ୍ରେଣୀ ଗୃହ ଗୁଡିକ ଅତୀତରେ ସ୍ଥାନୀୟ ଲୋକଙ୍କ ଅର୍ଥ ଓ ଶ୍ରମ ଦାନରେ ନିର୍ମିତ । ଗୃହ ଗୁଡିକ ପକ୍କା କାନ୍ଥ ଓ ଅତି ମୂଲ୍ୟବାନ କାଠ ତଥା ଆଜବେଷ୍ଟସ ଟିଣ ଛପର ବିଶିଷ୍ଟ ଅଟେ ।
ସରକାରଙ୍କ ଅନୁଦାନ ସହିତ ବ୍ୟକ୍ତି ବିଶେଷଙ୍କ ଅର୍ଥ ମୂଳେ ସ୍କୁଲର ନୂତନ ଗୃହ ନିର୍ମାଣକୁ ସ୍ୱାଗତ କରୁଥିଲେ ବି ଗୃହ ନିର୍ମାଣ କାର୍ଯ୍ୟ ସ୍କୁଲ ପଡିଆରେ କରିବାକୁ ସେମାନେ ଦର୍ଶାଇଛନ୍ତି । ନିର୍ମାଣ କାର୍ଯ୍ୟର ସ୍ୱଚ୍ଛତା ଲାଗି ଅଟକଳ ମୂଲ୍ୟର ଫଳକ ଲଗାଯିବା, କାର୍ଯ୍ୟର ତଦାରଖ ଲାଗି କମିଟି ଗଠନ କରାଯିବା ପାଇଁ ପ୍ରାକ୍ତନ ସରପଞ୍ଚ ଜୟବାଙ୍ଗଲା ବେହେରା, ପ୍ରାକ୍ତନ ସ୍କୁଲ କମିଟି ସଭ୍ୟ ମଙ୍ଗରାଜ ନାୟକ, ପ୍ରାକ୍ତନ ସମିତିସଭ୍ୟ ବଳରାମ ଜେନା, ସ୍କୁଲ ପରିଚାଳନା କମିଟିର ପ୍ରାକ୍ତନ ଅଧ୍ୟକ୍ଷ ସୁକାନ୍ତ ବଳ, ସୁବାସ ବିଶ୍ୱାଳ, ବିଶ୍ୱନାଥ ନାୟକ, ଶ୍ରୀଧର ସାହୁ, ଅର୍ଜୁନ ସେନାପତି, କମଳାକାନ୍ତ ନାୟକ ପ୍ରମୁଖ ଦାବି ଜଣାଇଛନ୍ତି ।

Comments are closed.