ତିହିଡି,୦୩/୦୮: ତିହିଡି ବ୍ଲକ ଅଧିନ କୁବେରା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଥିଲା । ମାତ୍ର ଏହାର ତଦନ୍ତ କରା ନଯିବାରୁ ପ୍ରତିବାଦ ସ୍ୱରୂପ ବିଜେପି କର୍ମୀ ମାନେ ବ୍ଲକ କାର୍ଯ୍ୟାଳୟରେ ସୋମବାର ଭଙ୍ଗା ରୁଜା କରିବା ସହ ବିଡିଓଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏହି ଘଟଣାକୁ ନେଇ ସନ୍ଧ୍ୟାରେ ବିଡିଓ ବସନ୍ତ କୁମାର ସାହାଣୀ ତିହିଡି ଥାନାରେ ଏକ ଲିଖିତ ଏତଲା ଦେଇଥିଲେ । ସେହିପରି ବିଜେଡି ପକ୍ଷରୁ ସନ୍ଧ୍ୟାରେ ଏକ ପ୍ରେସ ମିଟ ଡକାଯାଇ ଉକ୍ତ ଘଟଣାକୁ ନିନ୍ଦା କରାଯିବା ସହ ଭଙ୍ଗାରୁଜାକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ପରେ ପୋଲିସ ପକ୍ଷରୁ ୩୨ ଜଣଙ୍କ ନାଁରେ ଏକ ମାମଲା ନଂ-୩୦୫/୨୧ରୁଜୁ କରାଯାଇ ଗତକାଲି ରାତି ସୁଦ୍ଧା ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ଗିରଫ ଅଭିଯୁକ୍ତ ମାନେ ହେଲେ- ଦେଉଳା ଗାଁର ଶରତ ନାୟକ, ନୂଆପାଟଣା ଗାଁର ନିଶିକାନ୍ତ ନାୟକ, ଦେବେନ୍ଦ୍ର ପରିଡା ଓ ଧର୍ମେନ୍ଦ୍ର ପରିଡା, ଜୟୀପୁର ଗାଁର ଅମର ନାୟକ, ଗାଜିପୁର ଗାଁର ମାନସ ସାହୁ ଓ ଗୋପୀନାଥ ବିଶ୍ୱାଳ, ନୟାନନ୍ଦ ଗାଁର ଲଲାଟେନ୍ଦୁ ପରିଡା ଓ ଦୋଳସାହି ଗାଁର ଭବାନୀଶଙ୍କର ଜେନା । ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ପ୍ରକାଶ ଯେ, ସୋମବାର ଦିନ ବିଜେପି ନେତା ଓ କର୍ମୀମାନେ ସ୍ଥାନୀୟ ଟାଉନହଲ ଠାରୁ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ଯାଏଁ ଯାଇଥିଲେ । ପରେ ସେମାନେ ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଡିଓଙ୍କ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶିଥିଲେ । ଏହି ସମୟରେ କାର୍ଯ୍ୟାଳୟ ବାହାରେ ଥିବା କର୍ମୀମାନେ ଉତ୍ତ୍ୟକ୍ତ ହୋଇ କାର୍ଯ୍ୟାଳୟର ବିଭିନ୍ନ ଆସବାବ ପତ୍ର ସମେତ ବିଡିଓ, ବ୍ଲକ ଅଧ୍ୟକ୍ଷା ପ୍ରମୁଖଙ୍କ ନାମ ଫଳକକୁ ଭାଙ୍ଗି ଦେଇଥିଲେ । ବ୍ଲକ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ବନ୍ଦ ଥିଲେ ମଧ୍ୟ କେତେକ କର୍ମୀ କବାଟକୁ ଧକ୍କା ମାରିବା ସହ ପିଟାପିଟି କରିଥିଲେ । ପରେ ବିଜେପି କର୍ମୀ ମାନେ ବିଡିଓଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣାରେ ବସି ରହିଥିଲେ ।

Comments are closed.