ଯୁବକଙ୍କୁ ଲଣ୍ଡା କରି ବେକରେ ଜୋତାମାଳ ପକାଇ ଗାଁ ଦାଣ୍ଡରେ ବୁଲାଇବା ଘଟଣା , ଜଣେ ଗିରଫ : ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ତହସିଲଦାରଙ୍କ ତଦନ୍ତ
ତିହିଡି (ଯଦୁମଣି ପାଣିଗ୍ରାହୀ ) : ମାନବିକତାର ସବୁ ସୀମା ଅତିକ୍ରମ କଲାଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ତିହିଡି ଥାନା ଅନ୍ତର୍ଗତ ବାଉଁଶବାଗ ଗାଁରେ । ଏହି ଗାଁରେ ଜଣେ ଯୁବକଙ୍କୁ ଲଣ୍ଡା କରାଯିବା ସହ ତାଙ୍କ ମୁହଁରେ ଚୂନକାଳି ବୋଳି ଓ ବେକରେ ଜୋତା ମାଳ ପକାଇ ଗାଁ ଦାଣ୍ଣରେ ବୁଲାଇବା ଘଟଣାରେ ପୋଲିସ ଏକ ମାମଲା ନଂ-୨୮୬/୨୦ ରୁଜୁ କରି ଶତୃଘ୍ନ ମହାଳିକ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଅନ୍ୟପକ୍ଷେ ଆଜି ଭଦ୍ରକ ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ତହସିଲଦାର ରମେଶ ପଣ୍ଡା ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିବା ପରେ ଖୁବ ଶିଘ୍ର ତାଙ୍କ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି । ପୀଡିତ ଯୁବକ ଶୁକଦେବ ମହାଳିକଙ୍କ ପତ୍ନୀ ସୁକାନ୍ତି ମହାଳିକ ଗତ ୩୧ ତାରିଖ ଥାନାରେ କରିଥିବା ଅଭିଯୋଗ ଅନୁସାରେ ଗାଁର କିଛି ଲୋକ ଗତ୨୯ ତାରିଖ ସନ୍ଧ୍ୟାରେ ତାଙ୍କ ଘର ନିକଟରେ ପହଞ୍ଚିଥିଲେ । ଏହି ସମୟରେ ତାଙ୍କ ସ୍ୱାମୀ ଟିଭି ଦେଖୁଥିଲେ ।
ଉତ୍ତ୍ୟକ୍ତ ଲୋକେ ତାଙ୍କ ଘର ବାରଣ୍ଡାରେ ଥିବା ବାଇକକୁ ପ୍ରଥମେ ବାହାରକୁ ନେଇ କଚାଡି ଭାଙ୍ଗି ଦେଇଥିଲେ । ପରେ ସଂପୃକ୍ତ ଲୋକେ ତାଙ୍କ ସ୍ୱାମୀଙ୍କୁ ଦଉଡିରେ ବାନ୍ଧି ନିସ୍ତୁକ ମାଡ ମାରିବା ସହ ଘୋଷାରି ଘୋଷାରି ଗାଁ ଦାଣ୍ଡକୁ ନେଇ ଯାଇଥିଲେ । ଏପରିକି ତାଙ୍କ ସ୍ୱାମୀ ବିକଳରେ ପାଣି ପିିଇବାକୁ ମାଗିବାରୁ ତାଙ୍କ ମୁହଁରେ କିଛି ଲୋକ ପରିଶ୍ରା ବି କରିଥିଲେ । କଥା ଏତିକିରେ ସରି ନଥିଲା । ଗାଁ ଦାଣ୍ଡରେ ଯୁବକଙ୍କୁ ଲଣ୍ଡା କରାଯିବା ପରେ ତାଙ୍କ ମୁହଁରେ ଚୂନକାଳି ବୋଳା ଯାଇଥିଲା । ତାଙ୍କ ବେକରେ ଜୋତାମାଳ ପକାଯାଇ ଗାଁରେ ବୁଲା ଯାଇଥିଲା । ସେହିପରି ତାଙ୍କ ସ୍ୱାମୀଙ୍କ ମୋବାଇଲ ଫୋନ ଓ ୧୦ ହଜାର ଟଙ୍କା ଲୋକମାନେ ଛଡାଇ ନେଇଥିବା ବେଳେ ପ୍ରତିବାଦ କରିଥିଲେ ପତ୍ନୀ ସୁକାନ୍ତି । ଫଳରେ ଅଭିଯୁକ୍ତ ମାନେ ତାଙ୍କୁ ମାଡ ମାରି ବେକରୁ ସୁନାହାର ଓ କାନଫୁଲ ଆଦି ଛଡାଇ ନେଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ଏହି ଘଟଣାରେ ପୋଲିସ ୧୭ ଜଣଙ୍କ ନାଁରେ ମାମଲା ରୁଜୁ କରିଥିବା ଜଣାଯାଇଛି ।
ଅନ୍ୟପକ୍ଷେ ସେହି ୨୯ ତାରିଖ ଦିନ ସନ୍ଧ୍ୟାରେ ଶୁକଦେବ କୁଆଡେ ତାଙ୍କୁ ଆକ୍ରମଣ କରିଥିବା ନେଇ ପରଦିନ ଶତୃଘ୍ନ ଏକ ଅଭିଯୋଗ ତିହିଡି ଥାନାରେ ଦାୟର କରିଥିଲେ । ଯେଉଁଥିରେ ଶୁକଦେବ ତାଙ୍କ ସ୍ତ୍ରୀଙ୍କ ସହିତ ଅନୈତିକ ସଂପର୍କ ରଖିଥିବା ଓ ସେ ଏହାକୁ ବିରୋଧ କରିବା କାରଣରୁ ଶୁକଦେବ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଦର୍ଶାଇଥିଲେ । ପୋଲିସ ଏଥିନେଇ ଏକ ମାମଲା ନଂ-୨୮୪/୨୦ ରୁଜୁ କରି ପୀଡିତ ଯୁବକ ଶୁକଦେବଙ୍କୁ ସେହିଦିନ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଏଠାରେ ପ୍ରଶ୍ନ ଉଠେ ଯେ, ଶୁକଦେବ କରିଥିବା ଅପରାଧର ବିଚାର କରିବା ପାଇଁ ପୋଲିସ ଓ କୋର୍ଟ କଚେରୀ ରହିଥିବା ବେଳେ ଗାଁ ଲୋକେ ଆଇନକୁ ହାତକୁ ନେଇ ଏଭଳି ଅମାନବୀୟ କାର୍ଯ୍ୟ କରିବା କେତେଦୂର ନ୍ୟାୟସଙ୍ଗତ ତାହା ବିଚାର ସାପେକ୍ଷ । ଅନ୍ୟପଟେ ପୋଲିସ ଘଟଣା ସଂପର୍କରେ ସବୁ ଜାଣିଥିବା ବେଳେ ଏତେ ଦିନ ଧରି ଚୁପଚାପ ବସିରହିବା ଘଟଣା ପୋଲିସ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।