ତିହିଡି,୧୫/୦୧: ସୁସ୍ଥ ଓଡିଶା ଓ କରୋନା ମୁକ୍ତ ଓଡିଶା ପାଇଁ ପ୍ରତିବଦ୍ଧ ହୋଇ ଦିନରାତି ନିଷ୍ଠାର ସହ କାର୍ଯ୍ୟ କରିଥିବା ବହୁମୁଖୀ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ କରୋନା ଟୀକା ନେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କ ଦାବି ପୂରଣରେ ଅବହେଳା କରାଯାଇଥିବାରୁ ଏହାର ପ୍ରତିବାଦରେ ସେମାନେ ଟୀକା ନେବେ ନାହିଁ କିନ୍ତୁ କଳା ବ୍ୟାଚ ପରିଧାନ କରି ଟୀକାକରଣରେ ସହଯୋଗ କରିବେ ବୋଲି ସ୍ଥିର କରିଛନ୍ତି । ଓଡିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘର ନିଷ୍ପତ୍ତି କ୍ରମେ ତିହିଡି ବ୍ଲକରେ କାର୍ଯ୍ୟରତ ୫୦ ଜଣ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଏହି ନିଷ୍ପତ୍ତି ନେବା ସହ ଶୁକ୍ରବାର ସେମାନେ ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିôକାରୀଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି ।
ସେମାନେ ଦର୍ଶାଇଛନ୍ତି ଯେ, ରାଜ୍ୟର ତୃଣମୂଳ ସ୍ତରରେ ସରକାରଙ୍କ ସମସ୍ତ ସ୍ୱାସ୍ଥ୍ୟ ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ସେମାନେ କାର୍ଯ୍ୟ କରି ଆସୁଛନ୍ତି । କରୋନା ମୁକାବିଲା କ୍ଷେତ୍ରରେ ଆଗ ଧାଡିର ଯୋଦ୍ଧା ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ମାତ୍ର ସରକାର ସେମାନଙ୍କ ଦୀର୍ଘ ଦିନର ଦାବି ପ୍ରତି ଅବହେଳା କରି ଆସୁଛନ୍ତି । କ୍ୟାଡର ପୁନଃର୍ଗଠନ ଓ ପଦବୀ ପରିବର୍ତ୍ତନ ଲାଗି ସେମାନେ ଦୀର୍ଘ ବର୍ଷ ଧରି ଦାବି କରି ଆସୁଥିଲେ ମଧ୍ୟ ତାହା ପୂରଣ ହୋଇ ପାରିନାହିଁ । ପ୍ରାୟ ସମସ୍ତ ସରକାରୀ କର୍ମଚାରୀ ଚାକିରି କାଳରେ ୪ରୁ ୭ଟି ପଦୋନ୍ନତି ପାଇଥିବା ବେଳେ ବହୁମୁଖୀ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନେ ମାତ୍ର ଗୋଟିଏ ପଦୋନ୍ନତି ପାଇବା ପରିତାପର ବିଷୟ ବୋଲି ଦର୍ଶାଇଛନ୍ତି । ସ୍ୱାସ୍ଥ୍ୟ କର୍ମୀ ବୀଣାପାଣିି ରାଉତ, ସେବତୀ ପାଢୀ, ଚିନ୍ମୟ ପରିଡା, ମନୋଜ ମଞ୍ଜରୀ ମହାନ୍ତି, ରୀତାଞ୍ଜଳି ଶତପଥି, ଅମରେନ୍ଦ୍ର ପୁଷ୍ଟି, ନିରଞ୍ଜନ ବେହେରା, କାହ୍ନୁଚରଣ ବାରିକ, ମଧୁସ୍ମିତା ଦେହୁରୀ, ଅଶୋକ ମହାଳିକ, ସୁମିତ୍ରା ଜେନା, ଶ୍ୱେତାଲତା ମଲ୍ଲିକ ପ୍ରମୁଖ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଥିଲେ ।