ତିହିଡି,୦୪/୦୧: ତିହିଡି ବ୍ଲକ ଅଧିନ ବାରସର ପଞ୍ଚାୟତର ତଳଦପା ଗାଁରେ ଆଜି ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ୪ଟି ପରିବାରର ୭ ବଖରା ବାସଗୃହ ସମେତ ଏକ ତେଜରତି ଦୋକାନ ପୋଡି ପାଉଁଶ ହୋଇଯାଇଛି । ସେହିପରି ଏହି ଅଗ୍ନିକାଣ୍ଡରେ ୩ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ବିଦୁ୍ୟତ ସଟ୍ ସର୍କିଟରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ପ୍ରକାଶ ଯେ, ଆଜି ମଧ୍ୟାହ୍ନରେ ସର୍ବେଶ୍ୱର ଜେନା, ସୁଦର୍ଶନ ଜେନା, ଗୌରାଙ୍ଗ ଜେନା ଓ ନବ ଜେନାଙ୍କ ଘରେ ଅଗ୍ନିକାଣ୍ଡ ଘଟିବା ଯୋଗୁଁ ସେମାନଙ୍କର ୭ ବଖରା ଘର ପୋଡି ଯିବା ସହିତ ସୁଦର୍ଶନ ଜେନାଙ୍କ ତେଜରତି ଦୋକାନ ପୋଡି ଯାଇଛି । ଖବରପାଇ ତିହିଡିରୁ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିପାରି ନଥିଲେ । ଏହି ଅଗ୍ନିକାଣ୍ଡରେ ଏହି ୪ଟି ପରିବାରର ଧାନଚାଉଳ, ଆସବାବପତ୍ର ଓ ଲୁଗାପଟା ପୋଡି ଯାଇଛି । ସେହିପରି ଅଗ୍ନିକାଣ୍ଡରେ ସୁଦର୍ଶନ, ତାଙ୍କ ପତ୍ନୀ ଖୁଲଣା ଓ ପୁଅ ରୁଦ୍ର ପୋଡି ହୋଇ ଗୁରୁତର ହୋଇଛନ୍ତି । ସେମାନେ ଏବେ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି ।