ତିହିଡି,୧୫/୧୨: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ରାଜନଗର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନନାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ପଞ୍ଚାୟତର ଥିଲାବାଲାଙ୍କୁ ଆବାସ ଯୋଗାଇ ଦିଆଯାଇଥିବା ବେଳେ ଗରିବଙ୍କୁ ମିଳୁନଥିବା ଦର୍ଶାଯାଇଛି । ଯୋଜନାରୁ ବାଦ୍ ପଡିଥିବା ହିତାଧିକାରୀ ମାନେ ବିଭିନ୍ନ ସମୟରେ ବିଡିଓଙ୍କୁ ଭେଟି , ସଂପର୍କରେ ଜଣାଇଥିଲେ ମଧ୍ୟ ଆଜିଯାଏଁ କୌଣସି ସୁଫଳ ପାଇ ପାରିନÿଥିବା ଜଣାଯାଇଛି । ପଞ୍ଚାୟତର ବାହାରପାଳ, ଚାରିତରଫ, ଗୁରୁଦାସପୁର ଓ ଖଡିଜାଣ ପ୍ରମୁଖ ଗ୍ରାମରେ ଏ ପ୍ରକାର ଅନିୟମିତତା ହୋଇଛି । ଏସବୁ ଗ୍ରାମରେ ୨ତାଲା ଥିବା ଘରକୁ ପ୍ରଧାନମନ୍ତ୍ରୀ ଆବାସ ମିଳିଛି ।
ଏହାଛଡା ସରକାରୀ ଜାଗାରେ ଘରକରି ଏବଂ କେତେକ ବ୍ୟକ୍ତି ପରୁଣା ଘରକୁ ଦେଖାଇ ଯୋଜନାରୁ ସଂପୂର୍ଣ୍ଣ ଟଙ୍କା ଉଠାଇ ନେଇଛନ୍ତି । ଅପରପକ୍ଷେ ଗୁରୁଦାସପୁର ଗ୍ରାମର ପ୍ରତାପ ରାଉତ, ନକୁଳ ରାଉତ, ସୂର୍ଯ୍ୟମଣୀ ରାଉତ, ସୁରେଶ ରାଉତ, କାହ୍ନୁଚରଣ ରାଉତ, ଚାରିତରଫ ଗ୍ରାମର ଐର ଜେନା, ଖଡିଜାଣ ଗ୍ରାମର ସନାତନ ବାରିକ ଆବାସ ପାଇବାକୁ ଯୋଗ୍ୟ ହୋଇଥିଲେ ମଧ୍ୟ ସେମାନଙ୍କୁ ଅଦ୍ୟାବଧି ମିଳି ପାରିନାହିଁ । ଯାହାଫଳରେ ଏହି ହିତାଧିକାରୀ ମାନେ ପରିବାର ସହ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି । ଅନିୟମିତତାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବା ସହ ପ୍ରକୃତ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବାକୁ ଦାବି ହେଉଛି ।