ତିହିଡି(ଯଦୁମଣି ପାଣିଗ୍ରାହୀ)୧୧/୧୨: ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଉପକୃତ କରିବା ଲାଗି ଘାସ ଚାଷ ଯୋଜନା ଆରମ୍ଭ କରାଯାଇଛି । ଭଦ୍ରକ ଜିଲ୍ଲା ଅଧିନ ତିହିଡି ବ୍ଲକରେ ମନରେଗାରେ ଗତ ଅଗଷ୍ଟ ମାସରୁ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି । ତଦନୁଯାୟୀ ବ୍ଳକର ୫୦ ଜଣ ଚାଷୀ ଯୋଜନାରେ ସାମିଲ ହୋଇଛନ୍ତି । ତନ୍ମଧ୍ୟରୁ ୧୦ ଜଣ ଚାଷୀ ଘାସ ଚାଷ କରି ସହାୟତା ପ୍ରାପ୍ତ ହୋଇଥିବା ବେଳେ ଅନ୍ୟ ୪୦ ଜଣ ଚାଷୀ ଘାସ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି । ଯୋଜନାରେ ପ୍ରତି ଚାଷୀଙ୍କୁ ବାର୍ଷିକ ୨୫ ହଜାର ୪ଶହ ଟଙ୍କା ସହାୟତା ପ୍ରଦାନ କରାଯାଉଛି ।
ଏହି ସହାୟତା ୩ ବର୍ଷ ଧରି ପ୍ରଦାନ କରାଯିବ । ଶ୍ରମିକ ମଜୁରୀ ବାବଦକୁ ୧୫ ହଜାର ୧ଶହ ଟଙ୍କା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୧୦ ହଜାର ୩ଶହ ଟଙ୍କା ପ୍ରଦାନ କରାଯାଉଛି । ବ୍ଲକର କୋହ୍ଲ ପଞ୍ଚାୟତରେ ୪ ଜଣ, ଗୋବିନ୍ଦପୁର ଓ ବାରସର ପଞ୍ଚାୟତର ୨ ଜଣ ଲେଖାଏଁ, ଶ୍ୟାମସୁନ୍ଦରପୁର ଓ ଭାଟପଡା ପଞ୍ଚାୟତରେ ଜଣେ ଲେଖାଏଁ ଚାଷୀ ଉପକୃତ ହୋଇଛନ୍ତି ।
ଏହାବ୍ୟତୀତ ବ୍ଲକର ଅନ୍ୟ ଅଞ୍ଚଳରୁ ୪୦ ଜଣ ଚାଷୀ ଘାସ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏମାନଙ୍କୁ ପରବର୍ତ୍ତୀ ସମୟରେ ସହାୟତା ଯୋଗାଇ ଦିଆଯିବ । ବ୍ଳକରେ ଗୋପାଳନ କରି ଜୀବିକା ନିର୍ବାହ କରୁଥିବା ପରିବାର ଗୁଡିକ ପାଇଁ ସରକାର ଏହି ଯୋଜନା କରିଛନ୍ତି । ଯାହାଦ୍ୱାରା ଗୋପାଳକ ମାନେ ଏହି ଘାସ ଚାଷ କରି କମ୍ ଖର୍ଚ୍ଚାନ୍ତ ହେବା ସହିତ ଅଧିକରୁ ଅଧିକ ଦୁଗ୍ଧ ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିବେ ।