ହିମାଂଶୁ ଶେଖର ଆ·ର୍ଯ୍ୟ : ଏମିତି ଏକ ଅଭାବନୀୟ ଘଟଣା ଦେଖା ଦେଇଛି ଶିକ୍ଷା କ୍ଷେତ୍ରରେ । ପୁଣି ସ୍ୱାଧୀନତା ହାସଲର ୭୪ ବର୍ଷପରେ । ଯେଉଁଠି ସରକାରୀ ଶିକ୍ଷାନୁଷ୍ଠାନ ମିଶ୍ରଣକୁ ନେଇ ବିଦ୍ୟାର୍ଥୀମାନେ କହୁଛନ୍ତି-‘ତୁମ ଅଣ୍ଡାନିଅ, ଚାଉଳ ନିଅ-ଆମ ସ୍କୁଲକୁ ଫେରାଇ ଦିଅ’ । ଆମେ ଗାଁ ସ୍କୁଲରେ ପାଠ ପଢିବୁ । ଏମିତି ଲେଖା ଥିବା ପ୍ଲା କାର୍ଡ ଧରି ସ୍ଳୋଗାନ ଦେଇ ଧାରଣାରେ ବସୁଛନ୍ତି ଛାତ୍ରଛାତ୍ରୀ । ଏଥିରେ ସାମିଲ ହୋଇଛନ୍ତି ଅଭିଭାବକ ଓ ଗ୍ରାମବାସୀ । ଏଠାରେ ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ଗତ ନଅ ମାସ ହେଲା ସାଧାରଣ ଜନ ଜୀବନକୁ ସମ୍ପୂର୍ଣ୍ଣ କବଳିତ କରି ରଖିଛି ।ଏଥିରେ ସବୁ ବର୍ଗର ଲୋକ ପ୍ରଭାବିତ ହୋଇଛନ୍ତି ।
କିନ୍ତୁ ସବୁଠୁ ବେଶି ଦୁର୍ଦ୍ଦଶାର ଶିକାର ହୋଇଛନ୍ତି ଛାତ୍ରଛାତ୍ରୀ । ମହାମାରୀ କରୋନା ଯୋଗୁଁ ଦୀର୍ଘ ଦିନ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏଥିସହିତ ଚଳିତ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀଗୃହରେ ଶିକ୍ଷା ଗ୍ରହଣ ସୁଯୋଗ ହରାଇବାକୁ ପଡିଛି । ତେବେ ଛାତ୍ରଛାତ୍ରୀଙ୍କ ପାଠକୁ କେତେକାଂଶରେ ଭରଣା କରିବା ପାଇଁ ସରକାର ଅନ୍ଲାଇନ ଶିକ୍ଷାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏହାର ବାସ୍ତବ ଦିଗ ଯେ କେତେ ଅନ୍ଧକାରାଚ୍ଛନ୍ନ ତାହା ଏନ୍ସିଇଆରଟି ଦ୍ୱାରା ହୋଇଥିବା ଏକ ସର୍ବେକ୍ଷଣରୁ ଜଣାଯାଇଛି ।
ଏହି ଅନ୍ଲାଇନ ଶିକ୍ଷା ବ୍ୟବସ୍ଥା ଦ୍ୱାରା ଉପକୃତ ହେବାକୁ ଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅତି କମ୍ରେ ୨୭ ପ୍ରତିଶତଙ୍କର ସ୍ମାର୍ଟଫୋନ୍ କି ଲାପ୍ଟପ୍ ନାହିଁ । ଫଳରେ ସେମାନେ ଏହି ବ୍ୟବସ୍ଥାରେ ସାମିଲହେବାରୁ ବଞ୍ଚିତ ରହିଛନ୍ତି । ସେହିପରି ୨୮ ପ୍ରତିଶତଙ୍କର ଘରୋଇ ବିଦୁ୍ୟତ୍ ସମସ୍ୟା ଲାଗି ରହିଛି, ଯାହା କି ସେମାନଙ୍କର ଧାର୍ଯ୍ୟ ସମୟରେ ଶିକ୍ଷା ପ୍ରକ୍ରିୟାରେ ନାନା ବ୍ୟାଘାତ ସୃଷ୍ଟି କରିଛି । ଖାଲି ସେତିକି ନୁହେଁ, ବିନା ମୋବାଇଲ୍, ଟିଭି, କମ୍ପୁ୍ୟଟରରେ ଅନ୍ଲାଇନ ପାଠପଢା ସମ୍ଭବପର ନୁହେଁ । ଯଦିଓ ଅନ୍ଲାଇନ ଶିକ୍ଷା କିଛି ମାତ୍ରାରେ ଉପଯୋଗୀ ସାବ୍ୟସ୍ତ ହୋଇଛି ତଥାପି ଏହା ସାମଗ୍ରିକ ଭାବେ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିପାରୁ ନାହିଁ ।
କରୋନାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ପରେ ସରକାର ନଭେମ୍ବର ୧୫ ତାରିଖ ପରେ ସ୍କୁଲ କଲେଜ ଖୋଲିବା ପାଇଁ ଆପାତତଃ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଆନ୍ଧ୍ରପ୍ରଦେଶ ସରକାର ପରୀକ୍ଷା ମୂଳକ ଭାବରେ କେତେକ ଶିକ୍ଷାନୁଷ୍ଠାନ ଖୋଲିବା ପଦକ୍ଷେପ ନେଇଥିଲେ । ମାତ୍ର ବିଦ୍ୟାଳୟ ଖୋଲିବା ଦୁଇ ଦିନ ନଯାଉଣୁ ଶତାଧିକ ଛାତ୍ରଛାତ୍ରୀ ଓ କିଛି ଶିକ୍ଷକ କରୋନା ଭୂତାଣୁ ସଂକ୍ରମଣର ଶିକାର ହେବା ଦେଖାଗଲା । ସେହିପରି ଆମ ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ କଲେଜକୁ ବନ୍ଦ କରାଯାଇଛି । ଏହାପରେ ସ୍ଥିତିକୁ ଦେଖି ଯାହା ନିଷ୍ପତ୍ତି ନିଆଯିବ । ତେବେ ଶିକ୍ଷାନୁଷ୍ଠାନ ଯେତେବେଳେ ଖୋଲୁ ନା କାହିଁକି ଗୋଟିଏ କଥା ନିଶ୍ଚିତ ଯେ ଚଳିତ ଶିକ୍ଷା ବର୍ଷରେ ଛାତ୍ରଛାତ୍ରୀମାନଙ୍କ ପାଠପଢା ଏକରକମ୍ ଠପ୍ ହୋଇଯାଇଛି ।
ଯାହାକୁ ଭରଣା କରିବା ସମ୍ଭବ ନୁହେଁ । ଆଗକୁ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା । ମାଟ୍ରିକ ପରୀକ୍ଷା ହେଉଛି ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଗଢିବାର ଅସଲ ମୂଳଦୁଆ ଏବଂ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହା ପ୍ରଥମ ଅଗ୍ନି ପରୀକ୍ଷା । ସେହିପରି ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କୁ ନିଜର କ୍ୟାରିୟର ଗଢିବା ପାଇଁ ନିର୍ଣ୍ଣାୟକ ଭୂମିକା ନେଇଥାଏ । ଯେହେତୁ ଶ୍ରେଣୀ ଗୃହରେ ଆଦୈା ପାଠ ପଢାଯାଇ ନାହିଁ ପିଲାମାନେ କିପରି ବିନା ପାଠରେ ଏସବୁ ପରୀକ୍ଷା ଦେଇପାରିବେ ତାହା ହିଁ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏଠାରେ ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ଫେବୃୟାରୀ ମାସରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥାଏ । ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଯୁକ୍ତ ଦୁଇଶ୍ରେଣୀରେ ନାମ ଲେଖାଇଥାନ୍ତି । କିନ୍ତୁ ଚଳିତ ବର୍ଷ ଦଶମ ଓ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଶିକ୍ଷାନୁଷ୍ଠାନ ଖୋଲିବାର ଅନ୍ତତଃ ତିନି ମାସ ପଠ ପଢାଯିବା ପରେ ବାର୍ଷିକ ପରୀକ୍ଷା କରାଯିବ । ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀରରଞ୍ଜନ ଦାସ ଏହି ସୂଚନା ଦେଇଛନ୍ତି । ତେବେ ଏ ପରୀକ୍ଷା କେବେ କରାଯିବ ତାର ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇନାହିଁ । କରୋନା ଯୋଗୁଁ ରାଜ୍ୟରେ ୩୦ ପ୍ରତିଶତ ପାଠ୍ୟକ୍ରମ ଚଳିତ ଶିକ୍ଷା ବର୍ଷରେ ହ୍ରାସ କରାଯାଇଛି ।
ଅନ୍ୟ ପକ୍ଷରେ ରାଜ୍ୟ ସରକାର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଓ ଦଶମ ଛାତଛାତ୍ରୀଙ୍କ ପାଠପଢା ଓ ପରୀକ୍ଷା ପ୍ରସଙ୍ଗରେ ତର୍ଜମା କରୁଥିବା ବେଳେ ଖୁବ୍ ଶୀଘ୍ର ନୂଆ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ତେବେ ସର୍ବ ଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ପାଇଁ ନିଷ୍ପତ୍ତି ହୁଏ ତାହାଲେ ଆମ ରାଜ୍ୟରେ ବି ପରୀକ୍ଷା ବନ୍ଦ ହୋଇପାରେ । ସର୍ବ ଭାରତୀୟ ସ୍ତରରେ ବନ୍ଦ ନିଷ୍ପତ୍ତି ନହଲେ ଆମ ରାଜ୍ୟରେ ପରୀକ୍ଷା ହେବ । ରାଜ୍ୟ ସରକାର ଏକକ ଭାବେ କିଛି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ବିଭାଗୀୟମନ୍ତ୍ରୀ କହିଛନ୍ତି । ମନ୍ତ୍ରୀଙ୍କ ଏହି ଆଶ୍ୱସନା ବାଣୀ ପରେ ଛାତ୍ରଛାତ୍ରୀମାନଙ୍କର ଦ୍ୱନ୍ଦ ଅନେକାଂଶରେ ଦୂର ହୋଇଛି । ଏଦିଗରେ ଗଣଶିକ୍ଷା ମନ୍ତ୍ରୀଙ୍କର ବକ୍ତବ୍ୟର ଯଥାର୍ଥତା ରହିଛି । କାରଣ ମାସମାସ ଧରି ଶ୍ରେଣୀଗୃହ ମାଡି ନଥିବା ଜଣେ ପିଲା କିପରି ସିଧାସଳଖ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷାରେ ବସିବ ତାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ଥିଲା ।
ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆଉ ଏକ ନିଷ୍ପତ୍ତି ରାଜ୍ୟବ୍ୟାପୀ ବିର୍ତକର ଝଡ ସୃଷ୍ଟି କରିଛି । ଖୁବ୍ କମ ଛାତ୍ରଛାତ୍ରୀ ପାଠ ପଢୁଥିବା ରାଜ୍ୟର ୧୪ ହଜାର ବିଦ୍ୟାଳୟକୁ ବନ୍ଦକରିଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ଫେବୃୟାରୀ ମାସରେ ଏଥିପାଇଁ ନିଷ୍ପତ୍ତି ନିଆଯାଇଥିଲା, ଯାହାକୁ ଏବେ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । କେଉଁ କେଉଁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ନଗଣ୍ୟ ଓ ତାହା ବନ୍ଦ ହେବାପାଇଁ ଉପଯୁକ୍ତ ତାହାର ଅନୁସନ୍ଧାନ କରି ତାଲିକା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।
ତେବେ ସରକାରଙ୍କ ଏହି ପଦକ୍ଷେପକୁ ଓଡିଶା ଅଭିଭାବକ ମହାସଂଘ ସମେତ ବିଭିନ୍ନ ଶିକ୍ଷକ ସଂଗଠନ ଓ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ ଓ ବିଭିନ୍ନ ଶିକ୍ଷକ ସଂଗଠନ ଦ୍ୱରା ପ୍ରତିବାଦ ଫଳରେ ସରକାର ଟିକେ କୋହଳ ମନୋଭାବ ପ୍ରଦର୍ଶନ କରିଛନ୍ତି । ଏକ ଉଲ୍ଲେଖନୀୟ ଘଟଣା କ୍ରମରେ ୨୦୨୧-୨୨ ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଢାଞ୍ଚା ବଦଳିବ ବୋଲି ଜଣା ପଡିଛି । କେବଳ ୪୦୦ ମାର୍କର ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ସେହିପରି ପ୍ରତି ବିଷୟରେ ପୂର୍ବରୁ ୧୦୦ ମାର୍କ ରହୁଥିବା ବେଳେ ଏଣିକି ଏହା ୮୦ ମାର୍କକୁ ହ୍ରାସ ପାଇବ । ଫଳରେ ମୋଟ ୪୦୦ ମାର୍କର ପରୀକ୍ଷା ହେବ ।
ଏଠାରେ ସୂଚନାଯୋଗ୍ୟ ଯେ, ଦୀର୍ଘଦିନ ଧରି କ୍ରମାଗତ ଅବହେଳାର ଶିକାର ହେଉଛି ସରକାରୀ ଶିକ୍ଷାନୁଷ୍ଠାନ । ଏଥିପ୍ରତି ସରକାରଙ୍କ ନିଘା ନାହିଁ । ଅନ୍ୟପଟେ ଗୋଟିଏ ପରେ ଗୋଟିଏ ବେସରକାରୀ ଶିକ୍ଷାନୁଷ୍ଠାନ ଖୋଲିଚାଲିଛି । ସରକାରୀ ଶିକ୍ଷାନୁଷ୍ଠାନରେ ପରିସ୍ଥିତି ଏପରି ହୋଇଛି ଯେ, କେଉଁଠି ସ୍କୁଲ ଥିଲେ ପିଲା ନାହାଁନ୍ତି ତ ଆଉ କେଉଁଠି ସ୍କୁଲ ଓ ପିଲାଥିଲେ ବି ଆବଶ୍ୟକୀୟ ଶିକ୍ଷକ ନାହାନ୍ତି, ଅଉ କେଉଁଠି ପିଲାମାନେ ବସିବା ପାଇଁ ଆବଶ୍ୟକୀୟ ଘର ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସୁଯୋଗ ନାହିଁ । ବହୁ ଚର୍ଚ୍ଚିତ ସର୍ବ ଶିକ୍ଷା ଅଭିଯାନ, ଶିକ୍ଷା ଅଧିକାର ଆଇନ୍, ମାଗଣାରେ ମଧ୍ୟାହ୍ନ ଭୋଜନ ପିଲାମାନଙ୍କୁ ସରକାରୀ ବିଦ୍ୟାଳୟକୁ ଆସିବାକୁ ଆକୃଷ୍ଟ କରିପାରୁନାହିଁ । ଏବେ ଅଭିଭାବକମାନେ ସରକାରୀ ବିଦ୍ୟାଳୟର ମୋହ ଛାଡି ବେସରକାରୀ ବିଦ୍ୟାଳୟ ମୁହାଁ ।
ଯାହାର ଫଳ ଆଜି ଦେଖିବାକୁ ମିଳୁଛି । ତେଣୁ ଏବେବି ସମୟ ଅଛି । କେବଳ ଉପସ୍ଥାନ କମ୍ ଦର୍ଶାଇ ସ୍କୁଲ ବନ୍ଦ କରିବା ନିଷ୍ପତ୍ତି ଗ୍ରହଣଯୋଗ୍ୟ ନୁହେଁ । ଶିକ୍ଷା କ୍ଷେତ୍ରରେ ବାର୍ଷିକ ବଜେଟର ବ୍ୟୟ ବୃଦ୍ଧିକରିବା, ଶିକ୍ଷକ ମାନଙ୍କପାଇଁ ଉପଯୁକ୍ତ ପ୍ରଶିକ୍ଷଣ ବ୍ୟବସ୍ଥା କରିବା, ବିଦ୍ୟାଳୟ ଗୁଡିକରେ ଉପଯୁକ୍ତ ଭିତ୍ତିଭୂମିର ବିକାଶ କରିବା, ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି କରିବା, ସ୍କୁଲ ପରିଚାଳନା କମିଟିକୁ ଅଧିକ କ୍ରିୟାଶୀଳ କରିବା, ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଅଭିଜ୍ଞ ଶିକ୍ଷକ ସହାୟତାରେ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ଦ୍ୱାରା ଏସବୁ ସମସ୍ୟାର ସମାଧାନ ହୋଇପାରିବ । ଏପରି ହେଲେ ସରକାରୀ ସ୍କୁଲ ଗୁଡିକରେ ଗୁଣାତ୍ମକ ଶିକ୍ଷା ଉପଲବ୍ଧ ହୋଇପାରିବ । ଏଥିପାଇଁ ଦୃଢ ରାଜନୈତିକ ଇଛାଶକ୍ତି ସହିତ ଅଭିଭାବକ, ବୃଦ୍ଧିଜୀବୀ, ଶିକ୍ଷକ ତଥା ସବୁବର୍ଗର ଜନସାଧାରଣଙ୍କର ସହଯୋଗ ଲୋଡା ।