Odisha news

କରୋନା ଟୀକା ଅପେକ୍ଷାରେ ଦେଶବାସୀ

0

ହିମାଂଶୁ ଶେଖର ଆଚାର୍ଯ୍ୟ : ଦୀର୍ଘ ଦିନ ଧରି ସାରା ବିଶ୍ୱକୁ ଆତଙ୍କିତ ଓ ଭୟଭୀତ କରି ରଖିଛି ମହାମାରୀ କରୋନା । ଅଦ୍ୟାବଧି ଏହି କରୋନା ରୋଗରେ ବିଭିନ୍ନ ପ୍ରଭାବିତ ରାଷ୍ଟ୍ର ମାନଙ୍କରେ ମୃତୁ୍ୟ ସଂଖ୍ୟା ସମୁଦାୟ ୧୫ ଲକ୍ଷରୁ ଉଦ୍ଧ୍ୱର୍ରେ ରହିଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟିରୁ ଉଦ୍ଧ୍ୱର୍ରେ ରହିଛି । ଏଣୁ ସମସ୍ତଙ୍କ ନଜର କରୋନା ଟୀକା ଉପରେ ଥିଲା । କରୋନା ଟୀକାକୁ ନେଇ ଏବେ ଖୁସିର ଖବର । ବୈଜ୍ଞାନିକ ଓ ବିଶେଷଜ୍ଞମାନଙ୍କ ପ୍ରଚେଷ୍ଟା ଶେଷରେ ସଫଳ ହେବାକୁ ଯାଉଛି । ଏହା ଆମ ଦେଶବାସୀ ତଥା ବିଶ୍ୱବାସୀଙ୍କୁ ଆଶ୍ୱାସନା ଦେଇଛି । କରୋନା ଅପରାଜେୟ ନୁହେଁ ବୋଲି ଧରଣା କ୍ରମଶଃ ବଳବତ୍ତର ହେଉଛି ।

ୟୁକେ ଓ ଆମେରିକାରେ ଫାଇଜର ଟୀକାକରଣ ପରେ ଏବେ ଦେଶ ବିଦେଶରେ ଟୀକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ଭାରତ ମଧ୍ୟ କରୋନା ଟୀକା ଦୈାଡରେ ପଛରେ ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ୧୬୪ କମ୍ପାନୀଙ୍କ ଟୀକା ପ୍ରାଥମିକ ପର୍ଯ୍ୟାୟରେ ଥିବା ବେଳେ ୪୮ ଟୀକା ବିଭିନ୍ନ ପର୍ଯ୍ୟାୟ ମାନବ ପରୀକ୍ଷଣରେ ରହିଛି । ବିଭିନ୍ନ କମ୍ପାନୀଦ୍ୱାରା ପ୍ରସ୍ତୁତ କରୋନା ଟୀକାର ଅଗ୍ରଗତି ଦେଖି ଆମେ କରୋନା ସମାପ୍ତିର ସ୍ୱପ୍ନ ଦେଖି ପାରିବା ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ମହାନଦେ୍ର୍ଦଶକ ଡା. ଟଡୋ୍ରସ୍ ଏହା କହିଛନ୍ତି ।

ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କରୋନା ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଡକାଯାଇଥିବା ସର୍ବଦଳୀୟ ବୈଠକରେ ଯୋଗଦେଇ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, କରୋନା ଟୀକା ପାଇଁ ଆଉ ଅଧିକ ଦିନ ଅପେକ୍ଷା କରିବା ପାଇଁ ପଡିବ ନାହିଁ । କିଛି ସପ୍ତାହ ମଧ୍ୟରେ ଭାରତକୁ କରୋନା ଟୀକା ଆସିଯିବ । ବୈଜ୍ଞାନିକ ଓ ବିଶେଷଜ୍ଞଙ୍କ ସବୁଜ ସଙ୍କେତ ମିଳିବା ପରେ ଭାରତରେ କୋଭିଡ ଟୀକାକରଣ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି । ଅପରପକ୍ଷେରେ, ଆମେରିକୀୟ ମେଡିସିନ୍ କମ୍ପାନୀ ଫାଇଜର ଓ ଜର୍ମାନ କମ୍ପାନୀ ବାୟୋଟେକ୍ର ମିଳିତ ଉଦ୍ୟମରେ ବିକଶିତ କରୋନା ଟୀକାର ବ୍ୟବହାର ପାଇଁ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ବ୍ରିଟେନ୍ ଅନୁମତି ପ୍ରଦାନ କରିଛି । ଏକ ଉଲ୍ଲେଖନୀୟ ଘଟଣା କ୍ରମରେ ବ୍ରିଟେନ୍ରେ ମଙ୍ଗଳବାର ଠାରୁ ଫାଇଜର କରୋନା ଟୀକା କରଣ ଆରମ୍ଭ ହୋଇଛି । ଦେଶର ଜଣେ ୯୦ବର୍ଷିୟା ବୃଦ୍ଧା ମାର୍ଗାରେଟ୍ କୀନନ୍ ବିଶ୍ୱର ପ୍ରଥମ ଫାଇଜର ଟୀକା ନେଇ ରେର୍କଡ ସୃଷ୍ଟି କରିଛନ୍ତି ।

ବି୍ରଟେନ୍ ପରେ ବାହାରିନ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ଟୀକାକରଣ ପାଇଁ ଅନୁମତି ଦେଇଛି ।ଏହା ସହ ଯୁକ୍ତରାଷ୍ଟ୍ର ଆମେରିକାରେ ମଧ୍ୟ ଏହି ଟୀକାକୁ ଅନୁମତି ମିଳିସାରିଛି । ସେହିପରି ଋଷିଆର ରାଜଧାନୀ ମସ୍କୋରେ କୋଭିଡ-୧୯ ଟୀକା କରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଜଣାପଡିଛି । ସେହିପରି ଆମ ଦେଶର ଲୋକଙ୍କ ଲାଗି ମଧ୍ୟ ବଡ ଖୁସି ଖବର ଆସିଛି । ନୂଆଦିଲ୍ଲୀ ଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆଉ କିଛି ସପ୍ତାହ ପରେ ଭାରତରେ କରୋନା ଟୀକା ଉପଲବ୍ଧ ହେବ । ଏଥିସହିତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଟୀକା କରଣ ବ୍ୟବସ୍ଥାର ଅନୁଧ୍ୟାନ ଲାଗି କୋ-ୱିନ ଆପ୍ ବ୍ୟବସ୍ଥା କରାଯାଇଛି ।

କରୋନାକୁ ନେଇ ଯେଉଁ ମହାମାରୀର ରୂପ ଦେଖାଦେଇଛି ଆଜି ତାହା ନୂଆ ନୁହେଁ । ବିଶ୍ୱ ଇତିହାସରେ ଅନେକ ସମୟରେ ଅନେକ ଦେଶ ଏମିତି ମହାମାରୀର ସାମ୍ନା କରିଛନ୍ତି ଓ ହଜାର ହଜାର ଲୋକବି ମୃତୁ୍ୟ ବରଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଜଣା ପଡିଛି ଯେ, ବହୁ ଚର୍ଚ୍ଚିତ ଟୀକା ଗୁଡିକ ମଧ୍ୟରେ ଫାଇଜର, ମଡର୍ଣ୍ଣା, ଜାଇଡସ୍ କାଡିଲା,ଆଷ୍ଟ୍ରଜେନେକା ଅକ୍ସଫୋର୍ଡ, ଗାମାଲେୟା ସ୍ପୁଟନକ୍ ଓ ଭାରତ ବାୟୋଟେକ୍ର କୋଭାକ୍ସିନ୍ ରହିଛି । ଏଥିମଧ୍ୟରୁ ଅକ୍ସଫୋର୍ଡ, ଗାମାଲେୟା-ସ୍ପୁଟନକ୍, ମଡର୍ଣ୍ଣା ଓ ଫାଇଜର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି । ହେଲେ ଫାଇଜର ଟୀକାର ଟୀକାକରଣ ଆରମ୍ଭ ହୋଇଛି ।

ମାତ୍ର ଏହି ଟୀକାର ମୂଲ୍ୟ ୩୭ଡଲାର ବା ୨୭୨୮ ଟଙ୍କା ରହିଥିବା ବେଳେ ଏହା ସବୁଠୁ ମହଙ୍ଗା ରହିଛି ।ଅନ୍ୟ ପକ୍ଷରେ ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଟୀକା, କୋଭିଶିଲ୍ଡର ମୂଲ୍ୟ ୩ଡଲାର ବା ୨୨୨ ଟଙ୍କା ରହିଛି । ଏପରିକି ରୁଷିଆ ଟୀକା ସ୍ଫୁଟନିକ-ଭିର ଦାମ୍ ୧୦ ଡଲାର ବା ୭୩୭ ଟଙ୍କା ରହିଥିବା ବେଳେ ଭାରତ ବାୟୋଟକ ଓ ଜାଇଡସ୍ କାଡିଲା ଦ୍ୱାରା ପ୍ରସ୍ତୁତ ଟୀକାର ମୂଲ୍ୟ ୩ ରୁ ୬ଡଲାର ରହିବ ବୋଲି ଆଶା କରାଯାଉଛି । ଆମ ଦେଶରେ ୬ଟି ଟୀକା କ୍ଲିନିକାଲ୍ ଟ୍ରାଏଲ୍ ଷ୍ଟେଜରେ ରହିଛି । ସେରମର କୋଭାସିଲ୍ଡ, ଭାରତ ବାୟୋଟେକ୍ର କୋଭାକ୍ସିନ୍ ବ୍ୟତୀତ ରୁଷ୍ର ସ୍ଫୁଟନିକ୍-ଭିର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚଳିତ ବର୍ଷ ଆରମ୍ଭ ହେବ । ସେହିଭଳି ଜେଡ୍,ୱାଇ, ସିଓଭି-ଡି, ଏନ୍ଭିଏକ୍ସ-ସିଓଭି-୨୩୭୩, ଏଚ୍ଜିସିଓ-୧୯ ଟୀକା ମଧ୍ୟ ବିକଶିତ ହେଉଛି । ଏହା ମଧ୍ୟରୁ କିଛି ଟୀକା ଆସନ୍ତା କିଛି ସପ୍ତାହ ମଧ୍ୟରେ ଅନୁମୋଦନ ପାଇବାର ସମ୍ଭାବନା ରହିଛି । ଚୂଡାନ୍ତ ନିଷ୍ପତ୍ତି ଡିସିଜିଆଇ ନେବ ।

ଏହିପରି କରୋନା ଟୀକାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ବୟାନ ଲୋକଙ୍କ ମନରେ ଆଶ୍ୱସ୍ତି ଆଣିଦେଇଛି । ମୋଦି କହିଛନ୍ତି ଯେ, ଟୀକା କରଣ ପାଇଁ ରାଜ୍ୟ ଓ କୋନ୍ଦ୍ର ସରକାର ମିଳିତ ଭାବେ ଯୋଜନା ପ୍ରସ୍ତୁତି କରିବା ସହ ଏହା ଉପରେ କାମ କରୁଛନ୍ତି । ଟୀକାର ଦରଦାମ୍ ନେଇ ମଧ୍ୟ ରାଜ୍ୟ ସରକାରଙ୍କ ସହ ଆଲୋଚନା ଚାଲିଥିବା ସେ କହିଛନ୍ତି । ତେବେ ପ୍ରଥମେ ଟୀକା କାହାକୁ ଦିଆଯିବ ସେ କଥା ମଧ୍ୟ ପ୍ରାଥମିକ ସ୍ତରରେ ସ୍ଥିର କରାଯାଇଛି ।

କରୋନା ଟୀକା ଭାରତରେ ପହଞ୍ଚିବା ପରେ ପ୍ରଥମ ଦଫାରେ ଦେଶର ପ୍ରାୟ ୧ କୋଟି ସ୍ୱାସ୍ଥ୍ୟ କର୍ମୀଙ୍କୁ ଏହା ପ୍ରଦାନ କରାଯିବ । ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଏହି ଟୀକା ପ୍ରାଥମିକତା ଭିତ୍ତିରେ ଦିଆଯିବ । ଏଥିସହିତ ବହୁବିଧ ରୋଗରେ ଆକ୍ରାନ୍ତ, ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ସାମିଲ କରାଯିବାର ଯୋଜନା ରହିଛି ।

ଏହାପରେ ପୋଲିସ, ଅର୍ଦ୍ଧସାମରିକ ବାହିନୀ, ମୁ୍ୟନିସିପାଲିଟି କର୍ମୀଙ୍କ ଭଳି ୨ କୋଟି ଆଗଧାଡିର କର୍ମଚାରୀଙ୍କ ଟୀକା କରଣ କରାଯିବ ବୋଲି ଜଣା ପଡିଛି । ଇତିମଧ୍ୟରେ କେନ୍ଦ୍ର ସରକାର ଗାଇଡ ଲାଇନ୍ ଜାରି କରିଛନ୍ତି ଲୋକମାନେ ୧୨ପ୍ରକାରର ପରିଚୟ ପତ୍ର ଯଥା- ଡିଏଲ୍, ଆଧାର କାର୍ଡ, ଭୋଟର ପରିଚୟ ପତ୍ର ପାସପୋର୍ଟ ଆଦି ଦେଇ ନାମ ପଞ୍ଜିକରଣ କରିପାରିବେ । ପଞ୍ଜିକରଣ କେନ୍ଦ୍ରରେ କେବଳ ପଞ୍ଜିକରଣ କରିଥିବା ଲୋକଙ୍କୁ ଟୀକା ଦିଆଯିବ ।

Leave A Reply