ତାଳଚେର : ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ଅଗ୍ନିରୂପାଙ୍କ ନବଦିନାତ୍ମକ ପବିତ୍ର ଯାତ୍ରା ଅବସରରେ ୧୮ ତମ ଲୋକ ମହୋତ୍ସବର ଉଦଘାଟନୀ ସମାରୋହ ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମା ହିଙ୍ଗୁଳା ପୀଠ ପରିଷଦ ଉନ୍ନୟନ ପରିଷଦ ପକ୍ଷରୁ ପ୍ରକାଶିତ ‘ତାଳଚେର ପ୍ରଜାମଣ୍ଡଳର ଇତିହାସ’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତାଳଚେର ଉପଜିଲ୍ଲାପାଳ ତଥା ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ବିଶ୍ୱରଞ୍ଜନ ରଥ ଅଧ୍ୟକ୍ଷତା କରିଥିଲେ ।
ମୁଖ୍ୟ ଅତିଥି ଭାବେ େକେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ମୁଖ୍ୟ ବକ୍ତା ଭାବରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏବଂ ସମ୍ମାନୀତ ଅତିଥି ଭାବରେ ତାଳଚେର ରାଜକୁମାର ବିଜେୟନ୍ଦ୍ର ଦେବ ଓ ଏମ୍ସିଏଲ୍ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକ ପି.ବି.ରେଡ୍ଡୀ ପ୍ରମୁଖଙ୍କ କରକମଳରେ ଏହି ପୁସ୍ତକଟି ଲୋକାର୍ପିତ ହୋଇଥିଲା । ଏହି ଉନ୍ମୋଚନ ସମାରୋହରେ ମା ହିଙ୍ଗୁଳା ପୀଠ ପରିଷଦ ଉନ୍ନୟନ ପରିଷଦର ସଭାପତି ବରିଷ୍ଠ ଶ୍ରମିକ ନେତା ସୌଭାଗ୍ୟ ଚନ୍ଦ୍ର ପ୍ରଧାନ,ଗବେଷକ ବିଭୂତି ଭୂଷଣ ସାହୁ ଓ ବିଭୂତି ଭୂଷଣ ସ୍ୱାଇଁ ଉପସ୍ଥିତ ଥିଲେ । ତାଳଚେର ପ୍ରଜାମଣ୍ଡଳ ଇତିହାସ କମିଟି ଦ୍ୱାରା ଏହି ପୁସ୍ତକଟି ୧୯୫୦ ମସିହାରେ ସଂକଲନ କରି ପ୍ରକାଶ କରାଯାଇଥିବା ବେଳେ ଅଧୁନା ଏହି ବିରଳ ପୁସ୍ତକଟି କୌଣସି ଠାରେ ମିଳୁନାହିଁ । ତେଣୁ ଏଭଳି ଏକ ବିରଳ ପୁସ୍ତକକୁ ଲୋକ ଲୋଚନକୁ ଆଣି ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ଗୌରବମୟ ଇତିହାସର ବିସ୍ତୃତ ବିବରଣୀକୁ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିଥିବାରୁ ଉପସ୍ଥିତ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ ।