ତାଳଚେର ତା ୦୮/୦୪ ତାଳଚେର ଏକ ଉତପ୍ତ ସହରଭାବେ ପରିଗଣିତ । ଏଠାରେ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଦେଖାଦେଇଛି ଉତ୍କଟ ଜଳସଂକଟ । ଏହାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ତାଳଚେର ପୌରପରିଷଦ ମଧ୍ୟର ୯ଟି ସ୍ଥାନରେ ଥଣ୍ଡା ପାନୀୟ ଜଳପ୍ରକଳ୍ପ ନିର୍ମାଣ କରାଯାଇଛି । ମାତ୍ର ଏବେ ଏସମସ୍ତ ପ୍ରକଳ୍ପ ଗୁଡ଼ିକ ଅଚଳ ହୋଇ ପଡ଼ିଛି । ଏଥିପ୍ରତି ତାଳଚେର ପୌରପରିଷଦ ସ୍ଥାନୀୟ ପ୍ରଶାସନ ଓ ଲୋକପ୍ରତିନିଧି ମାନଙ୍କର କିପରି ଦୃଷ୍ଟି ପଡ଼ୁନଥିବା ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଘଟଣାରୁ ପ୍ରକାଶ, ଜିଲ୍ଳା ଖଣିଜପାଣ୍ଠି ପକ୍ଷରୁ କୋଟି କୋଟିଟଙ୍କା ବିନିମୟରେ ତାଳଚେର ଟାଉନ ହାଣ୍ଡିଧୂଆଁ, ହାଟତୋଟା, ତହସିଲ ଅଫିସ୍ କାର୍ଯ୍ୟାଳୟ, ତାଳଚେର କଲେଜ, ବସଷ୍ଟାଣ୍ଡ, ରାମଚନ୍ଦ୍ର ମାର୍କେଟ ବନ୍ଧ ନିକଟ, ବଡ଼ବଜାର ଗୁଣ୍ଡିଚାମନ୍ଦିର, ତାଳଚେର ଥାନା, ତାଳଚେର ମ୍ୟୁନିସପାଲିଟି ହାଇସ୍କୁଲ, ତାଳଚେର ବ୍ରାହ୍ମଣୀ ବିହାର ସରସ୍ୱତୀ ଶିଶୁ ମନ୍ଦିର ସମ୍ମୁଖରେ ଏହି ଥଣ୍ଡା ପାନୀୟଜଳ ପ୍ରକଳ୍ପ ବାଟୋଇ ଓ ଅଂଚଳବାସୀଙ୍କ ନିମନ୍ତେ ଉଦ୍ଦିଷ୍ଟ । ଏସମସ୍ତ ଥଣ୍ଡା ପାନୀୟଜଳ ପ୍ରକଳ୍ପ ଗୁଡ଼ିକ ତାଳଚେର ସହରର ମୁଖ୍ୟ ରାସ୍ତା କଡ଼କୁ ଲାଗି ରହିଛି । ଏବଂ ଏବେ ଏହି ପ୍ରକଳ୍ପ ଗୁଡ଼ିକ ଦୀର୍ଘଦିନ ବ୍ୟାପି ଅଚଳ ଅବସ୍ଥାରେ ପଡ଼ି ରହିଛି । ବାରମ୍ବାର ଅଂଚଳବାସୀ ଅଭିଯୋଗ କଲେ ମଧ୍ୟ ଏହାକୁ କେହି ହେଲେ କର୍ଣ୍ଣପାତ କରିନଥାନ୍ତି । ଫଳରେ ବାଟୋଇ ଓ ସେଠିକାର ଅଂଚଳବାସୀ ପାଣିଟୋପାଏ ପାଇଁ ହାହାକାର ଅବସ୍ଥା ଭୋଗୁଛନ୍ତି । କୁଆଡ଼େ ଏହାକୁ ରକ୍ଷଣାବେକ୍ଷଣା ନିମନ୍ତେ ବାର୍ଷିକ ୩୦ହଜାର ଟଙ୍କା ପୌରପରିଷଦ ଖର୍ଚ୍ଚ କରିଥାଏ ବୋଲି କୁହାଯାଉଛି । ଏହି ରାସ୍ତାଦେଇ ସମ୍ପୃକ୍ତ ବିଭାଗୀୟ ପୌରଅଧିକାରିଣୀ ରଶ୍ମିରେଖା ଅମାନ୍ତ, ଉପଜିଲ୍ଲପାଳ ବିଶ୍ୱରଞ୍ଜନ ରଥ, ତହସିଲଦାର ମନ୍ମଥ ନାୟକ, ଜନସ୍ୱାର୍ଥ ବିଭାଗ ଯନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନ, ସ୍ଥାନୀୟ ସାଂସଦ ମହେଶ ସାହୁ ଓ ନବ ନିର୍ବାଚିତ ନଗରପାଳ ପବିତ୍ର ଭୂତିଆ ଏବଂ ନବନିର୍ବାଚିତ ୨୧ଗୋଟି ୱାର୍ଡ଼ର ସମସ୍ତ କାଉନସିଲର୍ ଦୈନନ୍ଦିନ ଏହି ରାସ୍ତାଦେଇ ଯାତାୟତ କରୁଥିଲେ ମଧ୍ୟ କିପରି କାହାର ଏଥିପ୍ରତି ଦୃଷ୍ଟି ପଡ଼ୁନାହିଁ ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚାର ମୁଖ୍ୟ ବିଷୟ ହୋଇଛି । ରାଜ୍ୟ ସରକାର ଲୋକଙ୍କ ଶୁଦ୍ଧପାନୀୟ ଜଳ ଯୋଗାଇ ଦେବାକୁ ବିଭିନ୍ନ ଯୋଜନା ଉପରେ ଯୋଜନା କରିଥିଲେ ମଧ୍ୟ ଏହା ହୋଇଛି ଏଠାରେ ବାଟବଣା ।