ତାଳଚେର ତା ୦୭/୦୪ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଜ୍ୱାଳାମୁଖୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ବୁଧବାର ନିଶାର୍ଦ୍ଧରେ ସ୍ଥାନ ଚିହ୍ନଟ କରାଯାଇଛି । ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିରର ପଶ୍ଚିମ ଦିଗରେ ପ୍ରାୟ ଏକ କିଲୋମିଟର ଦୂରରେ ଅବସ୍ଥିତ ଗୋପାଳପ୍ରସାଦ ଉଚ୍ଚ ବିଦ୍ୟାଳୟର ପାଚେରୀ ନିକଟସ୍ଥ ତଥା ଗଜରାଜ ଷ୍ଟାଡିୟମ୍ର ପଶ୍ଚାତ୍ ଭାଗରେ ଥିବା ପଡିଆରେ ମା’ ଅଗ୍ନିରୂପା ଆର୍ବିଭାବ ହୋଇଛନ୍ତି । ଗତକାଲି ମଧ୍ୟ ରାତ୍ରୀରେ ଦେହୁରୀ ମା’ଙ୍କୁ ଶାବରୀ ମନ୍ତ୍ରରେ ଆରାଧନା କରି ବଂଶୀଭୂତ କରିଥିଲେ ଏବଂ କୋଇଲା ସଂଯୋଗ କରି ମା’ଙ୍କ ଉଭାସ୍ଥଳୀ ଚିହ୍ନଟ କରିଥିଲେ । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ମା ଅଗ୍ନିରୂପା ସିଙ୍ଗଡା ନଦୀର ତଟଦେଶରେ ଆବିର୍ଭାବ ହୋଇଥିବାରୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅପାର ଆନନ୍ଦ ଖେଳିଯାଇଛି । ସୂଚନାଯୋଗ୍ୟ ଯେ, ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ବାର୍ଷିକ ଯାତ୍ରା ଓ ୧୮ତମ ଲୋକ ମହୋତ୍ସବ ଚଳିତ ମାସ ୧୫ ତାରିଖ ଠାରୁ ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । କେଉଁ ରାଜା ରାଜୁଡ଼ା ଅମଳରୁ ତାଳଚେର ଉପଖଣ୍ଡର ଗୋପାଳଗଡ଼ ଠାରେ ଆଦ୍ୟାଶକ୍ତି ଜ୍ୱାଳାମୁଖୀ ମା’ହିଙ୍ଗୁଳା ଯାତ୍ରା ପ୍ରତ୍ୟେକ ବର୍ଷ ଚୈତ୍ରମାସ ଶୁକ୍ଳପକ୍ଷ ତିଥିରେ ଅନୁଷ୍ଠିତ ହୋଇଥାଏ । ଏଥିପାଇଁ ନବଦିନ ବ୍ୟାପି ମା’ଙ୍କ ଦର୍ଶନ ନିମନ୍ତେ ହିଙ୍ଗୁଳା ଗଡ଼ଟି ଲୋକାରଣ୍ୟରେ ଚଳଚଂଚଳ ହୋଇପଡ଼ି ଥାଏ । ମାତ୍ର ମହାମାରୀ କରୋନା ଯୋଗୁଁ ମା’ଙ୍କ ଯାତ୍ରା ଦୁଇବର୍ଷ ହେବ ମା’ ଓ ଭକ୍ତଙ୍କ ମଧ୍ୟରେ ପାଚେରୀ ପଡ଼ିଥିଲା । ମାତ୍ର ଚଳିବର୍ଷ କୋଭିଡ଼ମ କଟକଣା ନଥିବାରୁ ମା’ଙ୍କର ଯାତ୍ରା ମହାଆଡ଼ମ୍ବର ସହକାରରେ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଚଳିତବର୍ଷ ଆଶାତିତ ଭକ୍ତଙ୍କ ଭିଡ଼କୁ ଆଖି ଆଗରେ ରଖି ସ୍ଥାନୀୟ ପୋଲିସ୍ ଓ ପ୍ରଶାସନ ପକ୍ଷରୁ ଉଭାସ୍ଥଳୀରେ ବାରିକେଟ୍ ନିର୍ମାଣ କରିବା ସହିତ ବ୍ୟାପକ ପୋଲିସ୍ ବ୍ୟବସ୍ଥା କରାଯାଇଛି । ଏବେ ଠାରୁ ରାଜ୍ୟ ତଥା ରାଜ୍ୟ ବାହାରୁ କୋଣ ଅନୁକୋଣରୁ ଭକ୍ତଙ୍କ ସମେତ ଅସ୍ଥାୟୀ ଦୋକାନ ବାଡ଼ି ଖୋଲିବାକୁ ବ୍ୟବସାୟୀମାନେ ଚଳଚଂଚଳ ହୋଇପଡ଼ିଛନ୍ତି ।