ତାଳଚେର ତା ୧୫/୦୩ ଓଡ଼ିଶା ପ୍ରସିଦ୍ଧ ତାଳଚେର ଅଧିଷ୍ଠାତ୍ରୀ ଦେବା ମା’ହିଙ୍ଗୁଳାଙ୍କ ଯାତ୍ରା ଓ ଲୋକମହୋତ୍ସବ ଚଳିତବର୍ଷ ଆଗାମୀ ଚୈତ୍ରମାସ ୫ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିନେଇ ଟ୍ରଷ୍ଟବୋର୍ଡ଼ ପ୍ରଶାସନ ପକ୍ଷରୁ ଜନସମାଗମକୁ ଦୃଷ୍ଟିରେ ରଖି ଓ ଯାତ୍ରା ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ମାତ୍ର ପରିତାପର ବିଷୟ ଏମସିଏଲ, ବିଭିନ୍ନ କର୍ମଚାରୀ, ଶ୍ରଦ୍ଧାଳୁ ଓ ସାଧାରଣ ଜନତା ଏହି ମନ୍ଦିରର ଉନ୍ନତି ନିମନ୍ତେ କୋଟି କୋଟିଟଙ୍କା ପ୍ରଦାନ କରୁଥିବା ବେଳେ ପ୍ରଶାସନ ଓ ଟ୍ରଷ୍ଟବୋର୍ଡ଼ ପକ୍ଷରୁ ମନ୍ଦିର ପ୍ରାଙ୍ଗଣରେ ଏବର୍ଷ କୌଣସି ଭକ୍ତ ମାଟି ଦୀପଟିଏ ଲଗାଇ ପାରିବେ ନାହିଁ ଓ ତତ୍ ସହିତ ମା’ଙ୍କ ପ୍ରଚାରପ୍ରସାର ପାଇଁ ସମସ୍ତ ବିଧିବ୍ୟବସ୍ଥା କରାଯାଉଥିବା ବେଳେ ମା’ଙ୍କ ଉପରେ ଆଧାରିତ ପୁସ୍ତକ ଚଳିତବର୍ଷ ଭକ୍ତମାନଙ୍କୁ ବିକ୍ରି କରାଯିବା ନେଇ ସ୍ଥିର କରାଯାଇଛି । ଏହି ପୁସ୍ତକର ମୂଲ୍ୟ କେତେ ଟଙ୍କା ରହିବ ଜଣାନଥିଲେ ମଧ୍ୟ ମା’ଙ୍କ ପ୍ରଚାରପ୍ରସାର ନିମନ୍ତେ ଟ୍ରଷ୍ଟବୋର୍ଡ଼ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚଳାଉଥିବା ବେଳେ ଏହି ପୁସ୍ତିକା ଭକ୍ତଙ୍କୁ ମାଗଣା ଦେବା ପରିବେର୍ତ ଏହା ବିକ୍ରି କରାଯିବା ଏକ ନିନ୍ଦନୀୟ ବିଷୟ ବୋଲି ଚର୍ଚ୍ଚା ଯୋରଧରିଛି । ଏତିକି ନୁହେଁ, ଭକ୍ତ ନିଜର ମନସ୍କାମନା ପୂରଣ ପାଇଁ ବହୁ ଦୂରଦୂରାନ୍ତରୁ ବ୍ୟାପକ ଧୂଳିଧୂଆଁ ଖାତିର ନକରି ପ୍ରଚଣ୍ଡରୌଦ୍ରତାପ ଓ ଖର୍ଚ୍ଚାନ୍ତ ହୋଇ ବର୍ଷକରେ ଥରେ ମା’ଙ୍କ ସାନ୍ନିଧ୍ୟଲାଭ ଓ ନିଜର ମାନସିକ ପୂରଣ ନିମନ୍ତେ ମା’ଙ୍କୁ ମାଟି ଦୀପଦାନ କରି ମା’ଙ୍କ ନିକଟରେ ନିଜର ଦୁଃଖ ଜଣାଇଥାଏ ।
ମାତ୍ର ଏହି ଦୀପଦାନରୁ ଭକ୍ତମାନେ ଏଥର ବଂଚିତ ରହିବା ନେଇ ଭକ୍ତଙ୍କ ଭାବାବେଗ ସହିତ ଏହା ଏକ ପ୍ରକାର ଖେଳ ନୁହଁକି? ମା’ଙ୍କ ଯାତ୍ରାକୁ ନେଇ ବିଗତ ବର୍ଷ ଗୁଡ଼ିକରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତାଳଚେରର ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମସ୍ତ ବୈଠକକୁ ଆମନ୍ତ୍ରୀତ କରାଯାଇଥାଏ, କାରଣ ଖବର କାଗଜ ମାଧ୍ୟମରେ ଓଡ଼ିଶା ତଥା ବାହାର ଲୋକ ମା’ଙ୍କ ଯାତ୍ରାର ସର୍ବିଶେଷ ବିବରଣୀ ଜାଣିପାରିଥାନ୍ତି । କିନ୍ତୁ ପରିତାପ ବିଷୟ ଏଥର ସ୍ଥାନୀୟ ପ୍ରଶାସନ ଓ ଟ୍ରଷ୍ଟବୋର୍ଡ଼ କାହିଁକି ଯେ, ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅଣଦେଖା କରିଥିବା ଦୁର୍ଭାଗ୍ୟଜନକ ବିଷୟ ହୋଇଛି । ପ୍ରଶାସନର ଏପ୍ରକାର ମାନସିକତା କ’ଣ ହୋଇପାରେ ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୂର୍ବତନ ତାଳଚେର ଉପଜିଲ୍ଳାପାଳ ନିର୍ମଳ ମିଶ୍ରଙ୍କ ସମୟରେ ହିଙ୍ଗୁଳା ପୀଠରେ ଯାତ୍ରା ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁମାନଙ୍କୁ ରିହାତି ମୂଲ୍ୟରେ ଅନ୍ନପ୍ରସାଦ ଓ ଶୁଖିଲା ଭୋଗ ବିକ୍ର କରାଯିବାର ବ୍ୟବସ୍ଥା କରାଯାଇଥିଲା, ଏହି ଭୋଗ ଭକ୍ତମାନେ ବହୁ ଆନନ୍ଦରେ ଘରକୁ ନେଇଥାନ୍ତି । ମାତ୍ର ଶ୍ରୀ ମିଶ୍ର ଏଠାରୁ ଅନ୍ୟତ୍ର ବଦଳି ହେବାପରେ କେବଳ ଅନ୍ନପ୍ରସାଦ ଦିଆଯାଉଥିବା ବେଳେ ଶୁଖିଲା ଭୋଗକୁ କାହା ସ୍ୱାର୍ଥରେ ବନ୍ଦ କରାଗଲା ଏହାକୁ ନେଇ ଭକ୍ତଙ୍କ ମହଲରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଛି! ଏହାକୁ ବିଚାରକୁ ନେଇ ପ୍ରଶାସନ ଓ ଟ୍ରଷ୍ଟବୋର୍ଡ଼ ଏହାର ପୁନଃପ୍ର୍ରଚଳନ କରିବାକୁ ସାଧାରଣରେ ଦାବି ହେଉଛି ।