ଜଳେଶ୍ୱର : ଜଳେଶ୍ୱର ପୌରାଞ୍ଚଳରେ କରୋନା ପଜେଟିଭ୍ ସଂଖ୍ୟା ବହୁଗୁଣ ବଢିବାରେ ଲାଗିଥିବାରୁ ଜିଲ୍ଲା ପ୍ରଶାସନ ପୌରପାଳିକା ସହିତ ବ୍ଲକ ଅଞ୍ଚଳର ୨ଟି ସମ୍ବେଦନଶୀଳ ସ୍ଥାନରୁ ଆଜି ସ୍ୱାବ ସଂଗ୍ରହ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ଅନୁଯାୟୀ ଗତ କିଛିଦିନ ତଳେ ମୁ୍ୟନିସିପାଲଟି ଅଞ୍ଚଳରେ ସ୍ୱାବ ସଂଗ୍ରହ ବେଳେ ରାଜପୁର ପଞ୍ଚାୟତର ଜଣେ ପାଉଁରୋଟି ବ୍ୟବସାୟୀ ଓ ନଛିମପୁର ପଞ୍ଚାୟର ଆମ୍ବଳିଅଠା ଗାଁର ମା ଓ ପୁଅ ୨ଜଣଙ୍କ ସ୍ୱାବ ଟେଷ୍ଟରେ ପଜେଟିଭ୍ ଆସିଥିବାରୁ ଏହି ୨ ଅଞ୍ଚଳରେ ସେମାନଙ୍କ କଣ୍ଟାକ୍ଟରେ ଆସିଥିବା ଓ ସେମାନଙ୍କ ପରିବାର ଲୋକଙ୍କର ସ୍ୱାବ ଟେଷ୍ଟର ବ୍ୟବସ୍ଥା ହୋଇଛି ।
ଆଜି ପୂର୍ବାହ୍ନରେ ଆମ୍ବଳିଅଠା ୟୁୂଜିଏମ୍ଇ ସ୍କୁଲ ପରିସରରେ ହାତୀଗଡ ସିଏଚ୍ସି ଡାକ୍ତର ପ୍ରଭାସ ନାୟକ, ଆୟୁଷ ଡାକ୍ତର ଘନଶ୍ୟାମ ଦାସ, ଡା. ବିପ୍ଳବ ପ୍ରଧାନ, ପିଏଚ୍ଇଓ ଫକୀର ମୋହନ ପ୍ରଧାନ, ବିପିଏମ୍ ସ୍ମିତା ପ୍ରମାଣିକ, ଫାର୍ମାସିଷ୍ଟ ଜ୍ୟୋତିର୍ମୟ ଡଗର ଓ ଦିବ୍ୟପ୍ରସାଦ କର, ମଞ୍ଜୁରାଣୀ ଦାସ, ରଶ୍ମି ସାମଲ , କଳ୍ପନା ନନ୍ଦି, ଚିନ୍ମୟ ସେନାପତି, ସରପଞ୍ଚ ଦୀପାଳୀ ଜେନା ପ୍ରମୁଖ ରହି ୩୬ଜଣଙ୍କ ସ୍ୱାବ ଗ୍ରହଣ କରିଛନ୍ତି । ସରପଂଚ ଦୀପାଳୀ ଜେନା ଏହି ପଞ୍ଚାୟତରେ କରୋନା ପଜେଟିଭ୍ ସଂଖ୍ୟା ବଢିବାର ଆଶଙ୍କା କରି ତଥା ପଶ୍ଚିମବଂଗ ସୀମାକୁ ଗ୍ରାମଟି ଲାଗି ରହିଥିବାରୁ ନଛିମପୁର ପଂଚାୟତକୁ ଆଜି ଶନିବାର ଦିନ ୧୦ଟାରୁ ୬୦ଘଣ୍ଟା ଲାଗି ସୋମବାର ରାତ୍ରି ୧୦ଘଣ୍ଟା ପର୍ଯ୍ୟନ୍ତ କଣ୍ଟେନ୍ମେଣ୍ଟ ଜୋନ୍ଭାବେ ଘୋଷଣା କରାଯାଇଛି । ସେହିପରି ରାଜପୁରରେ ସଂପୃକ୍ତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ସଂସ୍ପର୍ଶରେ ଆସିଥିବା ୩୩ଜଣଙ୍କ ଠାରୁ ସ୍ୱାବ ସଂଗ୍ରହ କରାଯାଇଥିବା ଜଣାଯାଇଛି ।