ପ୍ରଦୀପ୍ତ କୁମାର ବିଶ୍ୱାଳ : ମନ୍ଦିର ପୂଜାରୀ ପୂଜା କାର୍ଯ୍ୟ ସମାପ୍ତ ପରେ ତାଲା ପକେଇ ବାହାରିଲା ବେଳକୁ ଚାରି ପାଞ୍ଚ ବର୍ଷର ଛୋଟ ପିଲା ଟିଏ ଘର ପାଖ ମନ୍ଦିର ପାହାଚ ରେ ବସି କାନ୍ଦୁଥିଲା |
କିରେ ବାବା କାନ୍ଦୁଛୁ କାହିଁକି , କଣ ହେଇଚି ତୋର ? ପୂଜାରୀ ଙ୍କ ପ୍ରଶ୍ନ ର ଉତ୍ତରରେ କୋମଳମତି ବାଳକ କାନ୍ଦି କାନ୍ଦି କହିଲା – ଠାକୁର ଆଜି ମୋ ହଜି ଯାଇଥିବା ପେନସିଲ ଫେରେଇଲେନି | ସେଦିନ ମୋ ଖେଳନା ହଜି ଯାଇଥିଲା, ଏଇଠି ଆସି ଠାକୁରଙ୍କୁ ଜୁହାର କରି କହିଥିଲି ମୋ ହଜି ଯାଇଥିବା ଖେଳନା ଖୋଜି ଦିଅ ବୋଲି | ସତକୁ ସତ ଘରକୁ ଫେରିଲା ବେଳକୁ ମା ସେ ଖେଳନା ଖୋଜି ପାଇଯାଇଥିଲେ | ହେଲେ ଆଜି ମୋ ହଜିବା ପେନସିଲ ଜମା ମିଳୁନି | ଠାକୁରଙ୍କୁ କେତେଥର କହି ସାରିଲିଣି , ସେ ଆଜି ମୋ ଡାକ ଶୁଣୁ ନାହାନ୍ତି | ଆଉ ମନ୍ଦିର ଆସିବିନି କି ଠାକୁରଙ୍କୁ କିଛି ମାଗିବିନି | କି ଠାକୁର ହେ ତୁମେ , ଛୋଟିଆ ପେନସିଲ ଗୋଟେ ଖୋଜି ପାରୁନ ମୋ ପାଇଁ ?
ନିଷ୍ପାପ ବାଳକର ସରଳତା ମୁଗ୍ଧ କଲା ପୂଜାରୀଙ୍କୁ | ତା ହାତ ଧରି ବାଳକର ଘର ଆଡକୁ ଚାଲିବା ଆରମ୍ଭ କଲେ | ଚାଲୁ ଚାଲୁ ପଚାରିଲେ – ତୁମେ ଏତେ ଛୋଟ ପିଲା , ପେନସିଲରେ ତୁମର କି କାମ ? ପିଲାଟି କହିଲା – ସେଇଟି ମୋ ଭାଇର ପେନସିଲ | ସେ ବଡ ଶ୍ରେଣୀ ରେ ପଢେ ଆଉ ପେନସିଲ ରେ ଲେଖେ | ମୁଁ ମଧୁ ବର୍ଣ୍ଣବୋଧ ପଢେ ଆଉ ସିଲଟ ଖଡ଼ି ରେ ଅ-ଆ ଲେଖେ | ଭାଇକୁ ଦେଖି ମୋର ବି ମନ ହେଲା ପେନସିଲରେ ଲେଖିବା ପାଇଁ ଆଉ ସେଇଥି ପାଇଁ ଭାଇ ପାଖରୁ ମାଗି ଆଣିଥିଲି | କୁଆଡେ ହଜି ଗଲା କେଜାଣି ଜମା ପାଉନି |
ପୂଜାରୀ ଟିକେ ହସି କହିଲେ – ତୁମର ଏବେ ପେନସିଲ ରେ ଲେଖିବା ବୟସ ହେଇନି | ଛୋଟ ପିଲା , ଟିକେ ଅସାବଧାନ ହେଲେ ପେନସିଲ ତୀକ୍ଷ୍ଣ ମୁନ ବାଜି ଦେହ ଖଣ୍ଡିଆ ହେବାର ଡର ଅଛି | ସେଇଥି ପାଇଁ ବୋଧେ ଠାକୁର ତୁମ ପେନସିଲ ହଜେଇ ଦେଲେ | ଆଉ ତୁମକୁ ଫେରେଇବା ପାଇଁ ଇଚ୍ଛା କରୁନାହାନ୍ତି | ଅଚ୍ଛା କହିଲ ଦେଖି , ତୁମ ଖଡ଼ି କେବେ ହଜିଛି ?
ପିଲାଟି ମୁଣ୍ଡ ହଲେଇ କହିଲା – ଅନେକ ଥର ହଜିଛି , ହେଲେ ଖୋଜିଲେ ପାଇ ଯାଏ | ପେନସିଲ ଟା ଯାହା ପାଉନି |
ପୂଜାରୀ କହିଲେ – କେମିତି ପାଇବ, ଠାକୁର ପରା ଲୁଚେଇ ଦେଇଛନ୍ତି ତୁମ ଭଲ ପାଇଁ | ଠାକୁର ମଙ୍ଗଳମୟ | ଯେଉଁଥିରେ ସମସ୍ତଙ୍କର ମଙ୍ଗଳ ହେବ ସେ ସେମିତି ବ୍ୟବସ୍ଥା କରନ୍ତି | ପେନସିଲ ତୁମ ପାଇଁ କ୍ଷତିକାରକ ତେଣୁ ତୁମପାଖରୁ ସେଇଟି ହଜେଇଦେଲେ ଠାକୁର |
ପିଲାଟିକୁ ପୂଜାରୀଙ୍କ କଥା ଠିକ ଲାଗିଲା ଓ ଠାକୁରଙ୍କ ଲୀଳା ବିଷୟରେ ଅଳ୍ପ ବହୁତ ବିଶ୍ୱାସ ଆସିଯାଇଥିଲା | ସେମାନେ ତାଙ୍କ ଘରେ ପହଁଚିଲା ବେଳକୁ ପିଲାଟିର ମା ପୂଜାରୀଙ୍କୁ କହିଲେ – ୟାକୁ କଉଁଠୁ ପାଇଲେ ,କେତେ ବେଳୁ ଖୋଜୁଛି | ପୂଜାରୀ ସବୁ କଥା ବର୍ଣ୍ଣନା କଲେ | ମା କହିଲେ ତୋର ସେ ପେନସିଲ ମୁଁ ନେଇ ଭାଇକୁ ଦେଇ ଦେଇଛି | ଛୋଟ ପିଲା ମାନେ କଣ ପେନସିଲ ରେ ଲେଖନ୍ତି ?
ପେନସିଲଟା ହଜିନି ବୋଲି ତା ମନ ଖୁସି ହେଇଗଲା | ଏବେ ତାର ପୁରା ବିଶ୍ୱାସ ହେଇଯାଇଥିଲା , ଭଗବାନ ମଙ୍ଗଳମୟ | ତାଙ୍କର ସବୁ ଲୀଳା ଖେଳା ଜଗତର ମଙ୍ଗଳ ପାଇଁ ହିଁ ହେଇଥାଏ |