ଚଣ୍ଡିଖୋଲ,୧୪/୫ : ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଳକ ତଥା ଜେନାପୁର ଥାନା ଅନ୍ତର୍ଗତ ମଧୁପୁର ବେଢା ପର୍ବତ ଶୀଖରରେ ବ୍ରହ୍ମଲିନ ବାବା ସନ୍ଥଶିରୋମଣୀ ମୌନାନନ୍ଦ ସରସ୍ୱତୀ ମହାରାଜଙ୍କ ଦ୍ୱାରା ସ୍ଥାପିତ ପ୍ରଶିଦ୍ଧ ଶ୍ରୀଗୁରୁ ଆଶ୍ରମ ଓ ଶିଦ୍ଧେଶ୍ୱର କ୍ଷେତ୍ର ଆନୁକୂଲ୍ୟରେ ରାଜ୍ୟର ସର୍ବ ବୃହତ୍ତମ ତଥା ଐତିହାସିକ ଭାବଙ୍ଗ ପୁଷ୍କରିଣୀରେ ଚତୁର୍ଥ ବର୍ଷିକ ଚନ୍ଦନଯାତ୍ରା ମହୋତ୍ସବ ଶନିବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି! ଶ୍ରୀଗୁରୁ ଆଶ୍ରମର ତତ୍ତ୍ୱାବଧାରକ ବାବା ଗ୍ୟାନାନନ୍ଦ ସରସ୍ୱତୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଚନ୍ଦନଯାତ୍ରା ମହୋତ୍ସବର ଉଦଘାଟନ ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ସାଧୁସନ୍ଥ ଯୋଗଦେଇଥିଲେ! ପ୍ରଥମେ ଶ୍ରୀଗୁରୁ ଆଶ୍ରମରୁ ପ୍ରଭୁ ମଦନମୋହନଙ୍କୁ ଏକ ଶୁସଜିତ ବିମାନରେ ଭାବଙ୍ଗ ପୁଷ୍କରିଣୀ ପର୍ଯ୍ୟନ୍ତ ଦେଢ କିମି ରାସ୍ତା ଶୋଭାଯାତ୍ରାରେ ନିଆଯାଇଥିଲା!
ଭଜନ କୀର୍ତ୍ତନ ଓ ଲଉଡି ଖେଳ ସହ ଘଣ୍ଟଘଣ୍ଟା ନାଦରେ ବିଭିନ୍ନ ଗ୍ରାମଦେଇ ଶୋଭାଯାତ୍ରା ଯାଉଥିଲା ବେଳେ ମହିଳାମାନେ ରାସ୍ତା ପାର୍ଶ୍ଵରେ କଳସ ସ୍ଥାପନକରି ପ୍ରଭୁ ମଦନମୋହନଙ୍କୁ ସ୍ୱାଗତ କରିଥିଲେ! ୬୧ ଏକର ବିଶିଷ୍ଟ ଭାବଙ୍ଗ ପୁଷ୍କରିଣୀର ଉତ୍ସବ ସ୍ଥଳରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ମଧ୍ୟରେ ପ୍ରଭୁ ଓ ଗଙ୍ଗା ମାତାଙ୍କ ଆଳତୀ ଓ ବନ୍ଦାପନା ସମ୍ପୂର୍ଣ୍ଣ ହେବାପରେ ଶୁସଜିତ ନୌକାରେ ପ୍ରଭୁ ମଦନମୋହନଙ୍କୁ ବିରାଜମାନ କରାଯାଇ ଚାପ ଖେଳାଯାଇଥିଲା!ଏହି ଉପଲକ୍ଷେ ସନ୍ଥ ପୂଜନ, ଭଜନ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସାଧନାର ସ୍ଵରୂପ ସମ୍ପାଦକ ଦେଵବ୍ରତ ଦେଵତା ସଞ୍ଚାଳନ କରିଥିଲା ବେଳେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସାଧାରଣ ସମ୍ପାଦକ ବରିଷ୍ଠ ସାମ୍ବାଦିକ ବେଣୁଧର ପଣ୍ଡା ,ବାବା ଦର୍ଶନ ବିଦ୍ୟାର୍ଥୀ କବିନ୍ଦ୍ର କୁମାରଙ୍କ ସହ ବହୁ ସନ୍ଥ ସାଧୁବାଣୀ ପ୍ରଦାନ କରିଥିଲେ। ରାତି ଦଶଟା ପର୍ଯ୍ୟନ୍ତ ଚାପ ଖେଳ ଚାଲିଥିଲା।ଏହି ଚନ୍ଦନ ଯାତ୍ରା ତିନିଦିନ ଧରି ଚାଲିବ ଓ ଆସନ୍ତା ଷୋଳ ତରିଖରେ ଉଦଯାପିତ ହେବ।