ବେତନଟୀ/ ବୈଶିଙ୍ଗା : ବେତନଟୀ ଥାନା ଗୁରୁଡବସା ରେଳ ଫାଟକ ନିକଟରୁ ଜଣେ ଯୁବକଙ୍କ ମୃତ ଦେହକୁ ପୁଲିସ ଠାବ କରିଛି। ଘଟଣାରୁ ପ୍ରକାଶ ବେତନଟୀର କୌଣସି ଏକ ଫାର୍ମ ହାଉସରେ ଯୋଗୁଆଳି ଭାବେ କାର୍ଯ୍ୟରତ ଥିବା ବାରିପଦାର କାଳିକାପୁର ୨୪ ନଂ ୱାର୍ଡର ଅର୍ଦ୍ଧାଙ୍ଗୀ ବୈଠା ର ପୁଅ ଜିତୁ ବୈଠା (୨୩) ବୋଲି ଜଣା ପଡିଛି। ଯୁବକ ଜିତୁ କଣ ପାଇଁ ଆତ୍ମହତ୍ୟା କଲା ନା ତାକୁ ମାରି ରେଳ ଧକ୍କାରେ ମୃତ୍ୟୁ ହୋଇଛି ବୋଲି ଦର୍ଶାଯାଇଛି, ତାହା ତଦନ୍ତ ସାପେକ୍ଷ ।ଘଟଣା ସ୍ଥଳରେ ବେତନଟୀ ପୁଲିସ ସମେତ ରେଳବାଇ ପୁଲିସ ଉପସ୍ଥିତ ରହି ତଦନ୍ତ କରୁଥିବା ବେଳେ ଯୁବକର ମୃତ୍ୟୁକୁ ନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ପୁଲିସ ହସ୍ତକ୍ଷେପ ଫଳରେ ଉତ୍ତେଜନା ପ୍ରଶମିତ ହୋଇଥିଲା । ମୃତ ଜିତୁ ଶୁକ୍ରବାର ରାତି ପରିବାର ଲୋକଙ୍କ ସହିତ କଥାବାର୍ତ୍ତା ହୋଇଥିଲା ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି। ଏଥି ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଯାଇଛି।