ଡ଼ ପ୍ରତିଭା ମହାରଥୀ : ଯେପରି ଶରୀର ଭିତରେ ଆତ୍ମା ଥାଏ, କିନ୍ତୁ ତାହାକୁ ଦେଖି ହୁଏ ନାହିଁ ଯେପରି ମାଟି ତଳେ ବୃକ୍ଷର ବୀଜଥାଏ ତାକୁ ମଧ୍ୟ ଦେଖି ହୁଏ ନାହିଁ, ଠିକ୍ ସେହିପରି ଏ ପ୍ରକାଶ୍ୟମାନ ଜଗତର ସ୍ରଷ୍ଟାଙ୍କୁ ମଧ୍ୟ ଦେଖିହୁଏ ନାହିଁ । ସମଗ୍ର ଶରୀରକୁ ଯେପରି ଅଦୃଶ୍ୟ ଆତ୍ମା କି୍ରୟାଶୀଳ କରାଉଥାଏ, ମାଟି ତଳର ବୀଜରୁ ଯେପରି ମହାଦ୍ରୁମର ବିକାଶ ହୋଇଥାଏ ଠିକ୍ ସେହିପରି ପରମାତ୍ମାଙ୍କ ଠାରୁ ଜାତ ହୋଇଥିବା ଏହି ଜଗତର ପରିଚାଳକ, ନିୟନ୍ତ୍ରକ, ସ୍ରଷ୍ଟା ହେଲେ ସେହି ପରମାତ୍ମା ।
କୁହାଯାଏ ଆମର ସମଗ୍ର ଶରୀରକୁ ଯଦିଓ ନିୟନ୍ତ୍ରଣ କରାଉଥାଏ ଆତ୍ମା, ଏହା କିନ୍ତୁ ଭୃକୁଟୀ (ଦୁଇ ଭୃଲତାର ମଝି ସ୍ଥାନ)ରେ ବସବାସ କରିଥାଏ । ଠିକ୍ ସେହିପରି ପରମାତ୍ମା ଆକାଶ, ମହାକାଶ, ଶୂନ୍ୟ, ମହାଶୂନ୍ୟ ଡେଇଁ ସବୁଠୁ ଉଚ୍ଚଧାମ ପରମଧାମରେ ବସବାସ କରୁଥାଆନ୍ତି । କେହି କେହି ଏହାକୁ ନିର୍ବାଣଧାମ, ମୁକ୍ତିଧାମ, ଶାନ୍ତିଧାମ, ବ୍ରହ୍ମଲୋକ ବୋଲି ମଧ୍ୟ କହିଥାଆନ୍ତି । ଆତ୍ମାକୁ ଯେପରି କେବଳ ଅନୁଭବ କରିହୁଏ, ପରମାତ୍ମାଙ୍କୁ ମଧ୍ୟ ଠିକ୍ ସେହିପରି କେବଳ ଅନୁଭବ କରିହୁଏ ।
କାରଣ ସେ ନିର୍ଗୁଣ, ନିରାକାର ଅର୍ଥାତ୍ ନାମ, ରୂପ, ଗୁଣର ବହୁତ ଉଦ୍ଧ୍ୱର୍ରେ । ଆତ୍ମା ଅଜର, ଅମର, ଅବିନାଶୀ, ନିତ୍ୟ, ନୂତନ, ସନାତନ । ପରମାତ୍ମା ମଧ୍ୟ ଅଜର, ଅମର ଅବିନାଶୀ, ନିତ୍ୟ, ନୂତନ, ସନାତନ ।
ବୃକ୍ଷଭିତରେ ବୀଜର ଗୁଣ, ଶରୀର ଭିତରେ ଆତ୍ମାର ଗୁଣ ଲୁକ୍କାୟିତ ଥିବା ପରି ଏହି ସମଗ୍ର ବିଶ୍ୱର ପ୍ରତ୍ୟେକ ଅଣୁ ପରମାଣୁ ଭେଦି ସେହି ପରମାତ୍ମା ଶକ୍ତିର ପ୍ରକାଶ ବା ପ୍ରତିଫଳନ ହୋଇଛି । ସେହି ପରମାତ୍ମିକ ଶକ୍ତିକୁ ଅନ୍ତସ୍କରଣରେ ଅନୁଭବ କରିବା ପାଇଁ ଲୋଡ଼ା ଅନାବିଳ ଭକ୍ତି, ସଂଶୟହୀନ ବିଶ୍ୱାସ ଓ ଅସୀମ ଧୈର୍ଯ୍ୟ ।
ଏ ସମ୍ପର୍କରେ ଏକ ତାତ୍ତ୍ୱିକ କାହାଣୀ ଏଠାରେ ଉପସ୍ଥାପନ କରୁଛି ।
ଜଣେ ଋଷି ଥିଲେ । ସେ ବହୁତ ଜ୍ଞାନୀ ଥିଲେ । ତାଙ୍କ ପାଖରୁ ଜ୍ଞାନପ୍ରାପ୍ତି ପାଇଁ ଶିଷ୍ୟମାନଙ୍କର ଲମ୍ବାଧାଡ଼ି ଲାଗୁଥିଲା । କିନ୍ତୁ ଋଷିଙ୍କ ମୁଖମଣ୍ଡଳରେ କେବେ ବି ସରସତା ନଥିଲା । ଶିଷ୍ୟମାନେ ମଧ୍ୟ ଏହା ଲକ୍ଷ୍ୟ କରୁଥିଲେ । ଋଷି ନିଜକୁ ସବୁବେଳେ ତୁଚ୍ଛ ମନେ କରୁଥିଲେ । କାରଣ ସେ ସର୍ବଦା ଭାବୁଥିଲେ ମୁଁ ଈଶ୍ୱରଙ୍କୁ ପାଇନାହିଁ । ତେଣୁ ଜ୍ଞାନପ୍ରାପ୍ତି ଉପରେ ତାଙ୍କର ସନ୍ତୁଷ୍ଟତା ନଥିଲା । ସବୁବେଳେ ଶିଷ୍ୟମାନଙ୍କୁ କହୁଥିଲେ, “କାହିଁକି ମୋ ପାଖକୁ ଆସୁଛ ଜ୍ଞାନ ଲାଭ ପାଇଁ । ମୁଁ ତ ନିଜେ ଏଯାଏଁ ଈଶ୍ୱରଙ୍କୁ ପାଇ ପାରିଲି ନାହିଁ । କେମିତି କହିପାରିବି ମୁଁ ଜଣେ ଆଦର୍ଶ ଗୁରୁ ବୋଲି!” ଶିଷ୍ୟମାନଙ୍କର କିନ୍ତୁ ସେହି ଗୁରୁଙ୍କ ନିକଟରେ ଅଖଣ୍ଡ ବିଶ୍ୱାସ ଓ ପ୍ରଚଣ୍ଡ ଭକ୍ତି ଥିଲା । ସେମାନେ ଭାବୁଥିଲେ ଏହା ଗୁରୁଦେବଙ୍କର ଉଦାରତା ତଥା ନମ୍ରତାର ପରିଚୟ ।
ଦିନେ ଋଷି ସକାଳୁ ସକାଳୁ ସକାଳୁ ସମୁଦ୍ରକୂଳକୁ ଯାଇ ତପସ୍ୟା ଆରମ୍ଭ କଲେ । ସଙ୍କଳ୍ପଟିଏ ରଖିଲେ କି, “ଯଦି ସୂର୍ଯ୍ୟାସ୍ତ ପୂର୍ବରୁ ଈଶ୍ୱର ନ ମିଳନ୍ତି ତେବେ ସେ ସମୁଦ୍ରକୁ ଡେଇଁ ସଲୀଳ ସମାଧି ବରଣ କରିବେ । ସମୟ ଘଣ୍ଟା ପରେ ଘଣ୍ଟା ବିତିଚାଲିଛି । ମଧ୍ୟାହ୍ନ ଯାଇ ଅପରାହ୍ନ ହେଲାଣି । ଆଉ କିଛି ସମୟ ପରେ ସୂର୍ଯ୍ୟାସ୍ତ ହେବ, ସନ୍ଧ୍ୟା ନଇଁବ । କିନ୍ତୁ କାଇଁ କେଉଁଠି ତ ଈଶ୍ୱର ଦିଶୁନାହାନ୍ତି! ଋଷି ଚିନ୍ତାମଗ୍ନ ହୋଇ ଚତୁର୍ଦ୍ଦିଗକୁ ଦୃଷ୍ଟି ନିକ୍ଷେପ କରନ୍ତେ, ଏକ ଅଦ୍ଭୂତ ଦୃଶ୍ୟ ଦୃଷ୍ଟିଗୋଚର ହେଲା ।
ଋଷି ଦେଖିଲେ ଗୋଟିଏ ଛୋଟ ବାଳକ ଗୋଟିଏ ଥାଳିଆ ହାତରେ ଧରି ତାଙ୍କର ଖୁବ୍ ନିକଟରେ ବସି କାନ୍ଦୁଛି । ଋଷି ସଙ୍ଗେ ସଙ୍ଗେ ତା ନିକଟକୁ ଯାଇ ତା କାନ୍ଦିବାର କାରଣ ପଚାରିଲେ । ପିଲାଟି ରୋକ୍ଠୋକ୍ ଉତ୍ତର ଦେଲା । ମୁଁ କାହିଁକି କାନ୍ଦୁଛି ଜାଣିଲେ ଆପଣ କଣ ତା’ର ସମାଧାନ କରିପାରିବେ? ଆଗରୁ ଏମିତି କେତେଜଣ ଏ କଥା ପଚାରି କରି ଗଲେଣି । କେହି ମୋ ସମସ୍ୟା ସମାଧାନ କରିପାରି ନାହାନ୍ତି । ଋଷି ତଥାପି ବ୍ୟଗ୍ରତାକୁ ରୋକି ନ ପାରି କହିଲେ, ଠିକ୍ ଅଛି, ମୋତେ ମଧ୍ୟ ଅନ୍ୟମାନଙ୍କ ଭଳି ତୁମ ସମସ୍ୟାଟି କଣ ଥରୁଟିଏ କୁହ । ମୁଁ ଚେଷ୍ଟା କରିବି ତାର ସମାଧାନ ପାଇଁ ।
ପିଲାଟି କହିଲା, “ମୁଁ ଚାହୁଁଛି ଏହି ଥାଳିଆରେ ସମୁଦ୍ରକୁ ନେଇଯିବାକୁ, କିନ୍ତୁ ସମୁଦ୍ର ତ ଥାଳିଆରେ ଧରୁନାହିଁ । ସେଥିପାଇଁ ମୁଁ କାନ୍ଦୁଛି ।”
ଋଷି ପିଲାଟିର ମୁହଁରୁ ଏହି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ମନେମନେ ଭାବିଲେ, ଏହି ଥାଳିଆଟି ଅତି କ୍ଷୁଦ୍ର, ସମୁଦ୍ର କିନ୍ତୁ ଅସୀମ, ଅନନ୍ତ, ବିରାଟ; କସ୍ମିନ୍କାଳେ ଏହି କ୍ଷୁଦ୍ର ଥାଳିଆ ଭିତରେ ସମୁଦ୍ର ଭର୍ତ୍ତି ହୋଇ ପାରିବନି । ଆଉ ମୁଁ କେଡ଼େ ବୁଦ୍ଧୁ!! ଥାଳିଆଠୁ ଆହୁରି କ୍ଷୁଦ୍ର, ପୁଣି ଅଦୃଶ୍ୟ ଏଇ ମୋର ମସ୍ତିଷ୍କ ଭିତରେ ମୁଁ ଅନାଦି, ଅନନ୍ତ, ଅସୀମ, ଅବିନାଶୀ, ଈଶ୍ୱରଙ୍କୁ ଭର୍ତ୍ତି କରିବାକୁ ଚାହୁଁଛି ଯେ! ତାଙ୍କ ମନ ଭିତରୁ ବର୍ଷ ବର୍ଷର ସଂଶୟ ସେହି ମୁହୂର୍ତ୍ତରେ ସବୁଦିନ ପାଇଁ ହଟିଗଲା । ଈଶ୍ୱରଙ୍କୁ କେବଳ ଅନୁଭବ କରିହୁଏ, ଏହି ଜ୍ଞାନଟି ତାଙ୍କୁ ପ୍ରାପ୍ତିହେଲା । ଖୁବ୍ ଆନନ୍ଦରେ ହସି ହସି ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କଲାବେଳେ ଋଷି ଭାବୁଥିଲେ ନିଜେ ଈଶ୍ୱର ବୋଧେ ବାଳକ ରୂପରେ ଆସି ତାଙ୍କୁ ଏହି ଦିବ୍ୟଜ୍ଞାନଟି ଦେଇଗଲେ ।
ଗୁରୁଦେବଙ୍କ ମୁଖମଣ୍ଡଳ ଏବେ ପ୍ରଶାନ୍ତ ଓ ନିର୍ମଳ ଦିଶୁଥିଲା । ଶିଷ୍ୟମାନେ ସନ୍ଦିଗ୍ଧ ଦୃଷ୍ଟିରେ ଋଷିଙ୍କୁ ଚାହିଁ ରହିବାରୁ ଋଷି ସମୁଦ୍ରକୂଳର ସେଇ ଦିବ୍ୟ ଅନୁଭବକୁ ସେମାନଙ୍କ ଭିତରେ ବାଣ୍ଟିଦେବାକୁ ଯାଇ କହିଲେ, ଈଶ୍ୱରଙ୍କୁ ଦେଖିହୁଏ ନାହିଁ, କି ଛୁଇଁ ହୁଏନାହିଁ, ପାଇହୁଏ କେବଳ ଦିବ୍ୟ ଅନୁଭବ ମାଧ୍ୟମରେ । ତାହାହିଁ ଅତିନ୍ଦି୍ରୟ ସୁଖ, ସ୍ୱର୍ଗୀୟ ଉପଲବ୍ଧି ।