ସୋର : ସୋର ଥାନା ଅନ୍ତର୍ଗତ ଟେଣ୍ଟେଇ ଗ୍ରାମର ଦିବାକର ମଲ୍ଲିକ(୩୫) ଆଜି ମଧ୍ୟାହ୍ନରେ ବିଲରୁ ଚାଷ କାମ ସାରି ଫେରୁଥିବାବେଳେ ବ୍ରଜାଘାତରେ ଗୁରୁତର ହୋଇଥିଲେ । ସୋର ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ସୋର ଥାନା ଅଧୀନ କୁଚିଆକୋଇଲି ଗ୍ରାମର ରୋଜି ମଲ୍ଲିକ(୧୨) ଥଣ୍ଡା ବୋତଲରେ ଥିବା ବିଷକୁ ଥଣ୍ଡା ଭାବି ପିଇ ଦେଇ ଗୁରୁତର ହେବା ପରେ ତାକୁ ସୋର ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ ।
ଅନ୍ୟ ଏକ ଘଟଣାରେ ସୋର ଥାନା ମାଣତ୍ରୀ ଗ୍ରାମର ସ୍ୱର୍ଗତ ଜଗବନ୍ଧୁ ଜେନାଙ୍କ ପତ୍ନୀ ମାତାଜି(୭୬) ସକାଳେ ପୋଖରୀକୁ ଶୈାଚ ହେବାକୁ ଯାଇ ପାଣିରେ ବୁଡି ଯାଇଥିଲେ । ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରି ପୋଖରୀରୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ । ସେହିପରି ଘଟଣାରେ ଏହି ଥାନା ଅଧୀନ ବାରିକପୁର ଅଂଚଳର ରବୀନ୍ଦ୍ର ସିଂଙ୍କ ଝିଅ ତଥା ନର୍ସିଂ ଛାତ୍ରୀ ରେବତୀ(୨୦) ମାନସିକ ଭାରସାମ୍ୟ ହରାଇ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଆଜି ପ୍ରକାଶିତ ମ୍ୟାଟ୍ରିକ୍ ପରୀକ୍ଷାରେ ବିଫଳତା ପାଇଁ ସୋର ଥାନା ଅଧୀନ କାନପୁର ଗ୍ରାମର କମଳାକାନ୍ତ ଜେନାଙ୍କ କନ୍ୟା ବିଷ ପିଇ ଗୁରୁତର ହୋଇଥିଲେ । ତାଙ୍କୁ ସୋର ଡାକ୍ତରଖାନାକୁ ଆଣିବା ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି ।