Odisha news

କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କୁ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ଦାବିପତ୍ର

0

ସୋର-୧୨/୦୮ : -ଭଦ୍ରକ ସଂସଦୀୟ କ୍ଷେତ୍ରର ବିଭିନ୍ନ ସମସ୍ୟା ଓ ଦାବିକୁ ନେଇ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ପରିବହନ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କୁ ସଂସଦୀୟ କାର୍ଯ୍ୟାଳୟଠାରେ ସାକ୍ଷାତ କରି ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିଗୁଡ଼ିକ ମଧ୍ୟରେ ଓଡ଼ିଶା କୋଷ୍ଟ୍ କେନାଲର ପୁନଃରୁଦ୍ଧାର, ସାଗରତଟ ସମୃଦ୍ଧି ଯୋଜନାରେ ଉପକୂଳ ଅଂଚଳର ଭିତ୍ତିିଭୂମି ପ୍ରତିଷ୍ଠା, ଧାମରାଠାରେ ଲାଇଟ୍ ହାଉସ୍, ଚାନ୍ଦବାଲିଠାରେ ନାବିକ ପ୍ରଶିକ୍ଷଣ କେନ୍ଦ୍ରର ଡିଜି ସିପିଂଙ୍କ ଅନୁମୋଦନ ଓ ଚୁଡ଼ାମୁଣିଠାରେ ବନ୍ଦର ଓ ଲାଇଟ୍ ହାଉସ ପ୍ରତିଷ୍ଠା ପ୍ରଭୃତି ଅନ୍ତର୍ଭୁକ୍ତ । ଅନ୍ତର୍ଦେର୍ଶୀୟ ଜଳପଥର ବିକାଶ ପାଇଁ ଭାରତ ସରକାର ଜାତୀୟ ଜଳପଥ ଅଧିନିୟମ ୨୦୧୬ ପ୍ରଣୟନ କରିଛନ୍ତି , ଯେଉଁଥିରେ ୧୧୧ ଗୋଟି ଜଳପଥକୁ ଜାତୀୟ ଜଳପଥ ଭାବରେ ଘୋଷଣା କରାଯାଇଅଛି ।

ତନ୍ମ୍ମରୁ ଓଡ଼ିଶାରେ ଛଅ ଗୋଟି ଜଳପଥ ଓଡ଼ିଶାରେ ଅବସ୍ଥିତ । ୨୦୦୮ ମସିହାରେ ଓଡ଼ିଶାର ପ୍ରାୟ ୫୮୮ କିଲୋମିଟର ପରିବ୍ୟାପ୍ତ ତାଳଚେରଠାରୁ ଧାମରା ପର୍ଯ୍ୟନ୍ତ ବିସ୍ତାରିତ ନଦୀ ପ୍ରଣାଳି ଯଥା ବ୍ରାହ୍ମଣୀ-ଖରସୁଆ-ମନ୍ତେଇ ଓ କୋଷ୍ଟ କେନାଲ, ଗୋଏନଖାଲିରୁ ଚାରବାଟିଆ ପର୍ଯ୍ୟନ୍ତ ବିସ୍ତାରିତ ପୂର୍ବତଟ କେନାଲ, ଚାରବାଟିଆରୁ-ଧାମରା ପର୍ଯ୍ୟନ୍ତ ବିସ୍ତୃତ ମନ୍ତେଇ ନଦୀ ଏବଂ ମହାନଦୀର ତ୍ରିକୋଣ ଭୂମିକୁ ଜାତୀୟ ଜଳପଥ-୫ ଭାବେ ଘୋଷଣା କରିଥିଲେ ୩୦.୬.୨୦୧୪ ମସିହାରେ ପଙ୍କପାଳରୁ ଧାମରା (୨୦୧ କିଲୋମିଟର) ଏବଂ ପାରଦ୍ୱୀପ ବନ୍ଦର (୧୩୧ କିଲୋମିଟର) ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟର ବିକାଶ ପାଇଁ ଭାରତୀୟ ଅନ୍ତଦେ୍ର୍ଦଶୀୟ ଜଳପଥ ପ୍ରାଧିକରଣ, ଓଡିଶା ସରକାର, ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ଏବଂ ଧାମରା ପୋର୍ଟ କମ୍ପାନୀ ଲିମିଟେଡ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

ଜାତୀୟ ଜଳପଥ ୫ର ଅନ୍ୟ ସ୍ଥାନରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବା ସ୍ଥଳେ ଓଡ଼ିଶା କୋଷ୍ଟ କେନାଲର କୌଣସି କାର୍ଯ୍ୟ ଆରମ୍ଭ ହେଉ ନ ଥିବାରୁ ସାଂସଦ ଶ୍ରୀମତୀ ମଣ୍ଡଳ କେନ୍ଦ୍ର ଜଳପଥ ମନ୍ତ୍ରୀ ଶ୍ରୀ ସୋନୋୱାଲଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି । ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ପରିଚୟ ବହନ କରିଥିବା କୋଷ୍ଟ କେନାଲ ଏବେ ରକ୍ଷଣାବେକ୍ଷଣ ଅଭାବରୁ ସ୍ଥିତି ହରାଇ ବସିଛି । ଏହି କୋଷ୍ଟ କେନାଲ ଦିନେ ଓଡ଼ିଶାର ନୌବାଣିଜ୍ୟ, ଗମନାଗମନ, ପାନୀୟ ଜଳ, ଜଳସେଚନ, ମଧୁର ଜଳ ସଂରକ୍ଷଣ ଓ ଜଳ ନିଷ୍କାସନ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା । କାଳକ୍ରମେ ଏହା ପୋତି ହୋଇ ନଷ୍ଟ ହୋଇଯାଇଛି । ଦିନ ଥିଲା ଏହି କୋଷ୍ଟକେନାଲରୁ ଜଳସେଚନ କରାଯାଇ କୃଷିକ୍ଷେତ୍ରକୁ ଶସ୍ୟଶ୍ୟାମଳା କରାଯାଉଥିଲା । ଏହି କେନାଲ ଜଳକୁ କୃଷିକ୍ଷେତ୍ରରେ ଅଧିକ ବିନିଯୋଗ ଲାଗି ଉଭୟ ପାର୍ଶ୍ୱରେ ପବନଚାଳିତ ପାଣିପମ୍ପ କାର୍ଯ୍ୟକାରୀ କରାଯାଇଥିଲା ।

ସେସବୁ ଏବେ ଅଚଳ ହୋଇପଡ଼ିଛି । କୃଷି ଏବଂ ବାଣିଜ୍ୟ ବ୍ୟବସାୟରେ ବ୍ୟବହୃତ ହେଉଥିବା ଏହି କୋଷ୍ଟକେନାଲ ଲୋକମାନଙ୍କର ମୁଖ୍ୟ ପଥ ଥିଲା । ଦେଶ ସ୍ୱାଧୀନ ହେବା ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହି କୋଷ୍ଟକେନାଲର ରକ୍ଷଣାବେକ୍ଷଣ ପାଇଁ ଦୃଷ୍ଟି ଦେଉ ନ ଥିବାରୁ କେନାଲ ପୋତିହୋଇ ସ୍ଥିତି ହରାଇବସିଛି । ଏହାର ପୁନରୁଦ୍ଧାର ହେଲେ ଏହା ଓଡ଼ିଶାର ଅର୍ଥନୈତିକ ବିକାଶରେ ସହାୟକ ହେବା ସହିତ ବାଣିଜ୍ୟ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ, ଭଦ୍ରକ ସଂସଦୀୟ କ୍ଷେତ୍ରରେ ଉପକୂଳ ଅଞ୍ଚଳର ଶିକ୍ଷିତ ଓ ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି ସୁଯୋଗ ସୃଷ୍ଟି, ଧାମରା ବନ୍ଦରକୁ କମ୍ ଖର୍ଚ୍ଚରେ ଯୋଗାଯୋଗ ସହିତ ଜଳପଥରେ ପରିବହନ ପରିବେଶ ପ୍ରଦୂଷଣକୁ ବହୁ ମାତ୍ରାରେ ରୋକାଯାଇ ପାରିବ ବୋଲି ସାଂସଦ ଶ୍ରୀମତୀ ମଣ୍ଡଳ କେନ୍ଦ୍ରମନ୍ତ୍ରୀ ଶ୍ରୀ ସୋନୋୱାଲଙ୍କ ସହିତ ଆଲୋଚନା କରି ନିଜର ମତ ରଖିଥିଲେ । ଏହି ସାକ୍ଷାତ ସମୟରେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉପସ୍ଥିତ ଥିଲେ

Leave A Reply