ସୋର-୨୩/୦୭ : କାର୍ଗିଲ ଯୁଦ୍ଧର ପରାକ୍ରମ ପାଇଁ ପୂର୍ବତନ ବାୟୁସେନା ଅଧିକାରୀ ବିଜୟ କୁମାର ମହାଳିକଙ୍କୁ ଚଳିତ ମାସ ଜାତୀୟ ସୈନ୍ୟ ସେବା ପଦକ ପ୍ରଦାନ କରାଯାଇଛି । ସୋର ବ୍ଲକ ମଙ୍ଗଳପୁର ଶ୍ରୀନିବାସ କଲେଜର ଇଂରାଜୀ ଅଧ୍ୟାପକ ଶ୍ରୀ ମହାଳିକ ଦୀର୍ଘ ୨୦ ବର୍ଷ ବାୟୁସେନାରେ ସଫଳତାର ସହ କାର୍ଯ୍ୟକରିବା ସହିତ ଗତ ୧୯୯୯ ମସିହା ମେ ୩ ତାରିଖଠାରୁ ୨୬ ଜୁଲାଇ ପର୍ଯ୍ୟନ୍ତ ଚାଲିଥିବା କାର୍ଗିଲ ଯୁଦ୍ଧରେ ସାମିଲ ହୋଇ ଶତୁସେନାଙ୍କୁ ପରାସ୍ତ କରିବାରେ ସହାୟକ ହୋଇଥିଲେ । ଗତ ୨୦୧୬ ମସିହାରେ ଚାକିରିରୁ ଅବସର ପରେ ଓଡ଼ିଶା ସିଭିଲ ସର୍ଭିସ୍ ସିଲେକ୍ସନ ବୋର୍ଡ଼ ଦ୍ୱାରା ମନୋନୀତ ହୋଇ ଏହି ମହାବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ।
ଚଳିତ ବର୍ଷ ୨୩ ତମ ବିଜୟ ଦିବସ ଅବସରରେ ତାଙ୍କୁ ଏହି ଜାତୀୟ ସୈନ୍ୟ ସେବା ପଦକ ବାୟୁସେନା ତରଫରୁ ପ୍ରଦାନ କରାଯାଇଛି । ଅଧ୍ୟାପକ ଶ୍ରୀ ମହାଳିକଙ୍କୁ ଏହି ପଦକ ମିଳିବା ପରେ ମହାବିଦ୍ୟାଳୟରେ ଖୁସିର ଲହରୀ ଖେଳି ଯାଇଛି । ଆଜି କଲେଜ ଅଧ୍ୟକ୍ଷ ଜଗଦୀଶ ଚନ୍ଦ୍ର ବିଶ୍ୱାଳଙ୍କ ଉପସ୍ଥିତିରେ କଲେଜ ଅଧ୍ୟାପକ ଅଧ୍ୟାପିକାମାନଙ୍କ ତରଫରୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇବା ସହିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ପୂର୍ଣ୍ଣଚନ୍ଦ୍ର ବେହେରା, ପୁଷ୍ପରାଣୀ ପାଢ଼ୀ, ଡ.ପୁଣ୍ୟବ୍ରତ ମହାନ୍ତିଙ୍କ ସମେତ ସମସ୍ତ ଅଧ୍ୟାପକ/ଅଧ୍ୟାପିକା କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ ।
