Odisha news

ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତରଙ୍କ ଭାରତ ଜୟଗାନ

0

ଲାହୋର : ଭାରତ ହେଉଛି ଏକ ଶାନ୍ତିପ୍ରିୟ ଦେଶ। ସେଠାର ଲୋକ ଯୁଦ୍ଧ ଚାହାନ୍ତି ନାହିଁ। ସେମାନେ ପାକିସ୍ତାନ ସହିତ ସୁସଂପର୍କ ରଖିବାକୁ ଚାହାନ୍ତି। ଭାରତ ଭଳି ଭଲ ଦେଶ ମୁଁ ଦେଖିନାହିଁ। ଭାରତର ଏଭଳି ପ୍ରଶଂସା କରିଛନ୍ତି ରାୱଲପିଣ୍ଡି ଏକ୍ସପ୍ରେସ ରୂପେ ପରିଚିତ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର।

ପାକିସ୍ତାନର ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସୋଏବ କହିଛନ୍ତି ଯେ ଭାରତ ଏକ ଚମତ୍କାର ସ୍ଥାନ। ସେଠାକାର ଲୋକ ବହୁତ ଭଲ। ସେମାନେ ପାକିସ୍ତାନ ସହ କୌଣସି ପ୍ରକାର ଯୁଦ୍ଧ କରିବା କିମ୍ବା ଶତ୍ରୁତା ରଖିବାକୁ ଚାହୁଁଥିବା, ମୁଁ କେବେବି ଅନୁଭବ କରିନି। ହେଲେ ମୁଁ ଯେତେବେଳେ ସେମାନଙ୍କ ଟେଲିଭିଜନ କାର୍ଯ୍ୟକ୍ରମକୁ ଯାଏ, ଲାଗେ ଯେମିତି ଯୁଦ୍ଧ କାଲି ହୋଇଯିବ। ମୁଁ ଭାରତର କୋଣ ଅନୁକୋଣକୁ ଭ୍ରମଣ କରିଛି। ସେହି ଦେଶକୁ ଅତି ନିକଟରୁ ଦେଖିଛି। ମୁଁ ଆଜି କହି ପାରିବି ଯେ ପାକିସ୍ତାନ ସହ କାମ କରିବାକୁ ଭାରତ ପୂରା ବ୍ୟଗ୍ର। ଭାରତର ବିକାଶପଥ ପାକିସ୍ତାନ ଦେଇ ଯାଇଛି। ଏ କଥା ମୁଁ ହୃଦୟଙ୍ଗମ କରି ସାରିଛି।

କରୋନା ଭୂତାଣୁ ପାଇଁ ଆଇପିଏଲ୍ ପ୍ରଭାବିତ ହେବା ସହ ଭାରତ ବହୁତ କ୍ଷତି ସହିବ ବୋଲି ମଧ୍ୟ ଏହି ଅବସରରେ ଅଖତର ମତ ପ୍ରକାଶ କରିଥିଲେ। ‘‘ମୁଁ ଆଶା କରୁଛି ଭାରତ ଏଭଳି କ୍ଷତି ନସହୁ, ସେମାନେ ସମୃଦ୍ଧଶାଳୀ ହୁଅନ୍ତୁ। ହେଲେ ସଂପ୍ରତି ଏଭଳି ଘଟୁଛି, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।’’ ବୋଲି ଅଖତାର କହିଥିଲେ। କରୋନା ଭୂତାଣୁର ବ୍ୟାପକ ପ୍ରଭାବ ସମଗ୍ର ବିଶ୍ବର କ୍ରୀଡ଼ାଜଗତ ଉପରେ ପଡ଼ିବା ନେଇ ସେ ଦୁଃଖ ପ୍ରକାଶ କରିଥିଲେ। ଏଥିଲାଗି କିନ୍ତୁ ସେ ପାକିସ୍ତାନର ବନ୍ଧୁ ଚୀନକୁ ଖୋଲାଖୋଲି ଭାବେ ଦାୟୀ କରିଥିଲେ।

ସେ କହିଥିଲେ, ‘ମୁଁ ବୁଝି ପାରୁନି ସେମାନେ ବାଦୁଡ଼ି, ବିରାଡ଼ି ଓ କୁକୁର ଭଳି ଜନ୍ତୁ କାହିଁକି ଖାଆନ୍ତି। ଯେତେବେଳେ ବହୁତ ଭଲ ଭଲ ଖାଦ୍ୟ ଅଛି, ସେଭଳି ସ୍ଥିତିରେ ଏମାନଙ୍କ ମୁତ୍ର ଓ ରକ୍ତ ପିଇବା କ’ଣ ଦରକାର? ଏସବୁ ଖାଦ୍ୟ ଖାଇବା ଦ୍ବାରା ସାରା ବିଶ୍ବରେ କେବଳ ଭୂତାଣୁ ସଂକ୍ରମଣ କରିବା ହିଁ ସାର ହେଉଛି। ମୁଁ ଚୀନ ଲୋକଙ୍କ କଥା କହୁଛି, ସେମାନେ ସମଗ୍ର ବିଶ୍ବକୁ ବିପଦରେ ପକାଇ ଦେଇଛନ୍ତି। ଏଥିଲାଗି ମୋ ମନରେ ବହୁତ ରାଗ ଆସୁଛି।’

Leave A Reply