ବାରିପଦା : ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଡୁକୁରା ବନ୍ୟପ୍ରାଣୀ ବନାଞ୍ଚଳରୁ ୪ଜଣ ଶିକାରୀଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି । ଡେପୁଟି ରେଞ୍ଜର ସୁବାସ ସାହୁ ଓ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଯୁଗ୍ମ ଟାସ୍କଫୋର୍ସ ମୁଖ୍ୟ ଧୃବେନ୍ଦ୍ରନାଥ ନାଏକଙ୍କ ନେତୃତ୍ୱରେ ଯୁଗ୍ମ ପେଟ୍ରୋଲିଂ ସମୟରେ ୪ଜଣ ଶିକାରୀ ଧରାପଡିଥିଲେ । ସେମାନେ ହେଲେ ଗମେଇଘାଟିର ସଂଗ୍ରାମ ସିଂ(୫୧), ସଞ୍ଜୟ ସିଂ(୨୩), ସୁବର୍ଣ୍ଣମଞ୍ଜରୀର ମଣ୍ଟୁ ସିଂ(୨୦) ଓ ବିଶୁ ସିଂ(୪୮) । ଅନ୍ୟଜଣେ ଶିକାରୀ ସପନ୍ଚୁଆ ଗ୍ରାମର ମହେନ୍ଦ୍ର ସିଂ(୨୨) ଖସିପଳାଇବାରେ ସକ୍ଷମ ରହିଛି । ଗିରଫ ୪ଜଣଙ୍କ ନିକଟରୁ ୨ଟି ଦେଶୀବନ୍ଧୁକ, ଲୁହା ବଲ, ମୋବାଇଲ ଫୋନ ଓ ଶୁଖିଲା ରାସନ ସାମଗ୍ରୀ ଜବତ କରାଯାଇଛି । ମକର ସଂକ୍ରାନ୍ତି ସମୟରେ ଶିକାର ଉଦେ୍ଦଶ୍ୟରେ ଅଭିଯୁକ୍ତଗଣ ଜଙ୍ଗଲକୁ ଯାଇଥିଲେ ବୋଲି ସ୍ୱୀକାର କରିଛନ୍ତି । ବନ କର୍ମଚାରୀଙ୍କୁ ଦେଖି ସେମାନେ ଗୁଳିଚଳାଇବା ଧମକ ଦେଇଥିଲେ । ତେବେ ଯୁଗ୍ମ ଟିମ ରାତିରେ ସାହାସିକତାର ସହିତ ମୁକାବିଲା କରି ୪ଜଣଙ୍କୁ କାବୁ କରିଥିଲେ । ଅଧିକ ତଦନ୍ତ ଚାଲିଥିବାବେଳେ ୪ଜଣ ଶିକାରୀଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ବନଖଣ୍ଡର କ୍ଷେତ୍ର ଉପନିଦେ୍ର୍ଦଶକ ସମ୍ରାଟ ଗୌଡା ସୂଚନା ଦେଇଛନ୍ତି ।
