ଦେଶର ବିଭିନ୍ନ ସ୍ଥାନରେ ଭଗବାନ ଶିବଙ୍କ ପ୍ରସିଦ୍ଧ ମନ୍ଦିର ରହିଛି । ସେହିଭଳି ତାମିଲନାଡୁ ତିରୁବନମଲାଇ ଜିଲ୍ଲାରେ ଭଗବାନ ଶିବଙ୍କ ଏକ ମନ୍ଦିର ରହିଛି । ଅନ୍ନାମଲାଇ ପର୍ବତ ଉପରେ ସ୍ଥିତ ଏହି ମନ୍ଦିରକୁ ଅରୁଣାଚଳେଶ୍ୱର ଶିବ ମନ୍ଦିର କୁହାଯାଏ | ପ୍ରତ୍ୟେକ ପୂର୍ଣ୍ଣମୀରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ଜମେ । ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣମୀରେ ବିଶେଷ ମେଳା ମଧ୍ୟ ଲାଗେ । ଶ୍ରଦ୍ଧାଳୁ ଏଠାରେ ଅନ୍ନାମଲାଇ ପର୍ବତର ୧୪ କିମି ପରିକ୍ରମା କରି ଭଗବାନ ଶିବଙ୍କ ପାଖରେ ମାନସିକ ରଖନ୍ତି । ଏହା ବିଶ୍ୱରେ ଶିବଙ୍କ ସବୁଠାରୁ ବଡ ମନ୍ଦିର ବୋଲି କୁହାଯାଏ | ପବିତ୍ର ଶ୍ରାବଣ ମାସରେ ଏଠାରେ ଲକ୍ଷ ଲକ୍ଷ ସଂଖ୍ୟକ ଭକ୍ତ ଶିବଲିଙ୍ଗରେ ଜଳ ଅର୍ପଣ କରନ୍ତି ।
କଥାରେ ଅଛି, ଥରେ ବ୍ରହ୍ମା ହଂସ ରୂପ ଧାରଣ କରି ଭଗବାନଙ୍କ ଶୀର୍ଷକୁ ଦେଖିବା ପାଇଁ ଉଡି ଉଡି ଯାଇଥିଲେ । କିନ୍ତୁ ତାଙ୍କୁ ଦେଖିବାରେ ଅସମର୍ଥ ହୋଇଥିଲେ । ଅସମର୍ଥ ହେବାପରେ ବ୍ରହ୍ମା କିଆ ଫୁଲକୁ (କେତକୀ), ଯାହା ଶିବଙ୍କ ମୁକୁଟରୁ ପଡିଥିଲା ତାକୁ ଶୀର୍ଷ ସମ୍ପର୍କରେ ପଚାରିଥିଲେ । କିଆ ଫୁଲ କହିଥିଲା ଯେ ସେ ୪୦ ହଜାର ବର୍ଷରୁ ପଡି ରହିଛି । ବ୍ରହ୍ମା ଭାବିଲେ ସେ ପର୍ବତ ଶୀର୍ଷ ଯାଏଁ ପହଞ୍ଚି ପାରିବେନି । ସେତେବେଳେ ସେ କିଆ ଫୁଲକୁ ମିଛ କହିବାରେ ରାଜି କରାଇଥିଲେ ଯେ ବ୍ରହ୍ମା ଶିବଙ୍କ ଶୀର୍ଷ ଦେଖିଛନ୍ତି । କିଆ କଥା ଶୁଣି ଶିବ କ୍ରୋଧିତ ହୋଇଗଲେ ।

ଭଗବାନ ଶିବ କ୍ରୋଧିତ ହୋଇ ବ୍ରହ୍ମାଙ୍କୁ ଅଭିଶାପ ଦେଇଥିଲେ ଯେ ପୃଥିବୀପୃଷ୍ଠରେ ତାଙ୍କର କୌଣସି ମନ୍ଦିର ନିର୍ମାଣ ହେବନାହିଁ । ମିଛ କଥା କହିଥିବାରୁ କିଆ ଫୁଲକୁ ମଧ୍ୟ ଅଭିଶାପ ଦେଇଥିଲେ ଯେ ସେ କେବେ ଶିବଙ୍କ ପୂଜାରେ ଲାଗିବ ନାହିଁ । କେବଳ ବର୍ଷକୁ ଥରେ ଶିବରାତ୍ରିରେ କିଆ ଫୁଲ ବା କେତକୀ ଫୁଲ ଶିବଙ୍କ ପାଖରେ ଲାଗି ହୋଇଥାଏ । ଯେଉଁଠାରେ ଭଗବାନ ଶିବ ବ୍ରହ୍ମାଙ୍କୁ ଅଭିଶାପ ଦେଇଥିଲେ ସେହି ଜାଗାର ନାଁ ତିରୁବନମଲାଇ ।
ସେଠାରେ ଅରୁଣାଚଳେଶ୍ୱର ମନ୍ଦିର ନିର୍ମାଣ ହୋଇଛି । ଏହି ମନ୍ଦିର ପାହାଡ ପାଦଦେଶରେ ଅବସ୍ଥିତ । ବାସ୍ତବରେ ଅନ୍ନାମଲାଇ ପର୍ବତ ହିଁ ଶିବଙ୍କ ପ୍ରତୀକ । ପର୍ବତର ଉଚ୍ଚତା ୨ ହଜାର ୬୬୮ ଫୁଟ । ଏହି ପର୍ବତ ଅଗ୍ନିର ପ୍ରତୀକ । ତିରୁବନମଲାଇ ସହରରେ ୮ଟି ଦିଗରେ ୮ଟି ଶିବଲିଙ୍ଗ ଯଥା ଇନ୍ଦ୍ର, ଅଗ୍ନି, ଯମ, ନିରୁଥି, ବରୁଣ, ବାୟୁ, କୁବେର, ଇସନ ଲିଙ୍ଗ ସ୍ଥାପିତ ହୋଇଛି । ଲିଙ୍ଗ ଦର୍ଶନରେ ଅଲଗା ଅଲଗା ଲାଭ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି । କାର୍ତ୍ତିକ ମାସର ବିଶେଷ ମହତ୍ୱ ରହିଛି । କାର୍ତ୍ତିକ ମାସରେ ବିଶାଳ ଦୀପଦାନ କରାଯାଏ । ପ୍ରତ୍ୟେକ ପୂର୍ଣ୍ଣମୀରେ ପରିକ୍ରମା କରିବା ବିଧାନ ରହିଛି ଯାହାକୁ ଗିରିବଲମ କୁହାଯାଏ । ମନ୍ଦିର ସକାଳ ସାଢେ ୫ଟା ସମୟରେ ଖୋଲେ ଏବଂ ରାତି ୯ଟା ରେ ବନ୍ଦ ହୁଏ । ମନ୍ଦିରରେ ନିୟମିତ ଅନ୍ନଦାନ ମଧ୍ୟ ହୁଏ । ଚେନ୍ନାଇରୁ ତିରୁବନମଲାଇର ଦୂରତା ୨୦୦ କିମି।