ବ୍ରହ୍ମପୁର, ୧।୩: ସିଡ୍ ସୋସାଇଟିରୁ ସୁମନ ଶେଖର ରାଉତ ନାମକ ଜଣେ ବ୍ୟକ୍ତି ଚଂଚକତା କରି ବେଆଇନ ଭାବେ ୪୦ଲକ୍ଷ୬୫ହଜାର ଟଙ୍କା ନିଜ ଆକାଉଣ୍ଟକୁ ସ୍ଥାନାନ୍ତର କରିଥିବା ନେଇ ଗୋସାଇଁ ନୂଆଗାଁ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏନେଇ ଏକ ମାମଲା (କେସ୍ନଂ ୬୬/୨୦୨୩) ରୁଜୁ କରିଥିବା ବେଳେ ତଦନ୍ତ ଭାର ଏସ୍ଡିପିଓ ନେଇଥିବା ଜଣାପଡ଼ିଛି।
ଉକ୍ତ ସୋସାଇଟିର ଜଣେ ସଦସ୍ୟ ହନକ ରଞ୍ଜନ ନାୟକ ଏହି ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ, ଅଭିଯୁକ୍ତ ସୁମନ୍ ସୋସାଇଟି ମ୍ୟାନେଜମେଣ୍ଟର ଅଜାଣତରେ ଗତ ଡିସେମ୍ବର ୧୫ରେ ସୋସାଇଟି ଆକାଉଣ୍ଟରୁ ପ୍ରଥମେ ୪୦ଲକ୍ଷ ଏବଂ ଗତ ଜାନୁଆରି ୧୧ରେ ୬୫ହଜାର ଟଙ୍କା ନିଜ ଜମା ଖାତାକୁ ଟ୍ରାନ୍ସଫର୍ କରି ଦେଇଥିଲେ। ଏସମ୍ପର୍କରେ ସୋସାଇଟି ଗତ ୯ତାରିଖରେ ଜାଣିବାକୁ ପାଇଥିଲେ। ପରେ ମ୍ୟାନେଜମେଣ୍ଟ ନିଷ୍ପତି ମୁତାବକ, ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଥାନାର ଦ୍ବାରସ୍ଥ ହୋଇଥିଲେ।