Odisha news

ଶେଷ ଦିନରେ ନାକ୍ ଦଳର ସ୍କୁଲ୍ ଅଫ୍ ଏଜୁକେଶନ୍ ବିଭାଗ ପରିଦର୍ଶନ

ଟିଚ୍ ମୟୂରଭଞ୍ଜ କାର୍ଯ୍ୟକ୍ରମକୁ ସର୍ବୋତ୍ତମ ଶିକ୍ଷାଦାନ ଅଭ୍ୟାସର ମାନ୍ୟତା

0

ବାରିପଦା  : ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିଥିବା ନାକ୍ ଟିମ୍ର ଅଧ୍ୟକ୍ଷ ଡଃ ଅରବିନ୍ଦ ଦୀକ୍ଷିତ, କମିଟିର ସଦସ୍ୟ ସଂଯୋଜକ ପ୍ରଫେସର ରାକେଶ ରାମ୍ଟେକେ, ସଦସ୍ୟ ମାନଙ୍କ ମଧ୍ୟରେ ଡଃ ସଙ୍କେତ ଭିଜ୍, ପ୍ରଫେସର ଡଃ ଭରତ ରାମାନୁଜ୍ ଓ ପ୍ରଫେସର ଡଃ ଫ୍ରାନ୍ସିସ୍ ଏପି.ଆରକଲ୍ ଅନ୍ତିମ ଦିନରେ ସ୍କୁଲ୍ ଅଫ୍ ଏଜୁକେସନ୍ ବିଭାଗ ପରିଦର୍ଶନରେ ଆସିଥିବାବେଳେ କମିଟିର ସଦସ୍ୟ ମାନଙ୍କ ସମ୍ମାନାର୍ଥେ ଏକ ଔପଚାରିକ ସଭା ବିଭାଗୀୟ ମୁଖ୍ୟ ଡଃ ସମୀର କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍କୁ ବିଭାଗର ସହକାରୀ ପ୍ରଫେସର ଡଃ ରମେଶ କୁମାର ପରୁଆ ଉପସ୍ଥାପନ କରିଥିଲେ । ପରେ କମିଟିର ସମସ୍ତ ସଦସ୍ୟ ବିଭାଗର ରିସୋର୍ଶ ସେଣ୍ଟର୍କୁ ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଟିଚିଂ ଲାର୍ଣିଂ ମେଟେରିଆଲ୍ସ ଗୁଡିକୁ ମଧ୍ୟ ଦେଖି ତାହାର ଭୂୟସୀ ପ୍ରଶଂସା କରିଥିଲେ । ଏଠାରେ ପ୍ରକାଶ ଥାଉକି, ଗତ ବର୍ଷ ନଭେମ୍ବର ୧୦ରୁ ଡିସେମ୍ବର ୧୦ପର୍ଯ୍ୟନ୍ତ ବିଭାଗର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମ ଟିଚ୍ ମୟୂରଭଞ୍ଜ ଆୟୋଜନ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ସମ୍ମିଳିତ ବିଇଡି, ଏମ୍ଇଡି ଓ ସ୍ନାତକୋତ୍ତର ଶିକ୍ଷା ବିଭାଗର ସର୍ବମୋଟ୍ ୧୮୪ଜଣ ଛାତ୍ରଛାତ୍ରୀ ଜିଲ୍ଲାର ୧୫ଟି ବ୍ଲକ୍ ସହ ୨ଟି ଏନ୍ଏସି ଓ ବାରିପଦା ପୌରପରିଷଦର ସର୍ବମୋଟ୍ ୭୪ଟି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଯାଇ ଯେଉଁ ବିଦ୍ୟାଳୟରେ ଯେଉଁ ବିଷୟର ଶିକ୍ଷକଙ୍କ ଅଭାବ ଥିଲା ସେହି ବିଷୟରେ ଶିକ୍ଷାଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ମୟୂରଭଞ୍ଜ ଜିଲ୍ଲାର ବିଶେଷ କରି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ମାନେ ଉପକୃତ ହୋଇଥିଲେ । ଏହାଦ୍ୱାରା ଜିଲ୍ଲାର ପାଖାପାଖି ୬,୫୮୩ ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଥିବା ବେଳେ ସେଥିରୁ ୮୨ପ୍ରତିଶତ ଆଦିବାସୀ ପିଲାଥିଲେ ଓ ୫୬ ପ୍ରତିଶତ ଛାତ୍ରୀ ଉପକୃତ ହୋଇଥିଲେ । ସେବା ମନୋଭାବ ନେଇ ବିନା ପାରିଶ୍ରମିକରେ ଏଭଳି ଏକ କାର୍ଯ୍ୟକ୍ରମକୁ ହାତକୁ ନେଇଥିବା ଯୋଗୁଁ କମିଟିର ସମସ୍ତ ସଦସ୍ୟ ମାନେ ଖୁସି ପ୍ରକଟ କରିଥିଲେ ଏବଂ ଏଥିରେ ସାମିଲ୍ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଜୀବନ ପାଇଁ ଶୁଭକାମନା ଜଣାଇଥିଲେ । ନାକ୍ ଟିମ୍ ସହ ବିଭାଗର ଛାତ୍ର ତଥା ବିଶ୍ୱବିଦ୍ୟାଳୟର ଅନ୍ତରୀଣ ଗୁଣବତ୍ତା ସେଲ୍ର ସଦସ୍ୟ ଅଭିଷେକ ପଣ୍ଡା, ଶୁଭଜିତ୍ ପାଣି, ସ୍ନେହାଶିଷ ମହାନ୍ତି, ସ୍ୱୟଂସିଦ୍ଧା ପଣ୍ଡା, ଶେଫାଳି ନାୟକ, ଅରୋଲିତା ସାହୁ, କାବ୍ୟଶ୍ରୀ ନନ୍ଦ, ସତିସୂତା ମହାପାତ୍ର, ପ୍ରେମାନନ୍ଦ ପ୍ରଧାନ, ଗୁରୁପ୍ରସାଦ ସାହୁ, ବିଶାଖା ରଥ, ଶୁଭଶ୍ରୀ ପତି, ପ୍ରଣବକାନ୍ତି ଦତ୍ତ, ଜ୍ୟୋତିସ୍କା ଦାସ ଓ ଶୋଭନା ଦାସ ପ୍ରମୁଖ ଭାବ ବିନିମୟ କରିଥିଲେ ।

Nalco
Leave A Reply