Odisha news

‘ମୋ ସ୍କୁଲ ଅଭିଯାନ’ର ସଫଳତା ଅଶା ଓ ଆଶଙ୍କାରେ

0

ହିମାଂଶୁ ଶେଖର ଆଚାର୍ଯ୍ୟ : ନିକଟ ଅତୀତରେ ଶିଶୁ ଦିବସ ପାଳନ ଅବସରରେ ରାଜ୍ୟ ସରକାର “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏଥିରେ “ମୋ ସ୍କୁଲ ଶିଖାଇଥିଲା ଅ-ଏବେ ଡାକୁଛି ଆ” ଭଳି ମନଲୋଭା ସ୍ଲେଗାନ ରିହିଛି । ଉଦେ୍ଦଶ୍ୟ ହୋଉଛି ସ୍କୁଲର ବିକାଶରେ ପୁରାତନ ଛାତ୍ର ଓ ସାଧାରଣ ଲୋକଙ୍କୁ ସାମିଲ କରିବା । ଏଥିପାଇଁ ସରକାର ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଘୋଷଣା କରିଛନ୍ତି । ସ୍କୁଲର ବିକାଶ ପାଇଁ ପୁରାତନ ଛାତ୍ର ବା ବଦାନ୍ୟ ବ୍ୟକ୍ତି ଯେତିକି ଅର୍ଥ ସହାୟତା ଦେବେ ତାର ଦ୍ୱିଗୁଣ ରାଜ୍ୟସରକାର ଯୋଗାଇଦେବେ । ଏହି ଅର୍ଥରେ ସ୍କୁଲର ଭିତ୍ତିଭୂମି ବିକାଶ,ପାଠାଗାର ଓ ବିଜ୍ଞାନଗାର ନିର୍ମାଣ,କ୍ରୀଡାର ବିକାଶ,ଖେଳ ପଡିଆର ଉନ୍ନତି, ସ୍ୱାସ୍ଥ୍ୟଶିବିର ଆୟୋଜନ ଓ ବୃକ୍ଷ ରୋପଣ ଇତ୍ୟାଦି କାର୍ଯ୍ୟକ୍ରମ ଜରିଆରେ ସ୍କୁଲକୁ ଏକ ଆଦର୍ଶ ବିଦ୍ୟାଳୟରେ ପରିଣତ କରାଯିବ । ଏହାର ସଫଳ ରୁପାୟନ ପାଇଁ ବିଭିନ୍ନ ବିଦ୍ୟାଳୟମାନଙ୍କରେ କମିଟିମାନ ଗଢାହେଉଛି । କମିଟି ଗଢାକୁ ନେଇ ମଧ୍ୟ ବିଭିନ୍ନ ସମସ୍ୟା ।

ସତରେ କ’ଣ ‘ଷାଠିଏ ମହଣ ଘିଅ ପୋଡାହବ ନା ରାଧା ନାଚିବ’ । ପୁରାତନ ଛାତ୍ର କେତେଜଣ ବିଦ୍ୟାଳୟକୁ ସାହାଯ୍ୟର ହାତ ବଢାଇବେ ତାହା ସମୟ କହିବ । ତାହାନହେଲେ ଅନ୍ୟ ଯୋଜନା ଭଳି ମୋ ସ୍କୁଲ ଅଭିଯାନ କେବଳ ଯୋଜନାରେ ରହିଯିବନିତ? ଯୋଜନା ତିଆରି କରିବା ଓ ତାର ସଫଳ ରୂପାୟନ ହେବା ପାଇଁ ଦୃଢ ଇଚ୍ଛା ଶକ୍ତି ଓ ଗଭୀର ଆନ୍ତରିକତା ଲୋଡା । ତାହା ଆମ ସରକାର, ପୁରାତନ ବିଦ୍ୟାର୍ଥୀ ଓ ଜନସାଧାରଣଙ୍କର କେତେ ଅଛି ତାହା ଦେଖିବାକୁ ରହିଲା ।

ଆମ ଶିକ୍ଷା ବ୍ୟବସ୍ଥା କଥା ଆଲୋଚନା କଲେ ଜଣାପଡେ ଯେ, ସ୍ୱାଧୀନତା ପରେ ଅନେକ କମିଶନ ଶିକ୍ଷା କ୍ଷେତ୍ରରେ ବସିଛି । ମାତ୍ର ଶିକ୍ଷା ବ୍ୟବସ୍ଥାର ସେପରି କିଛି ଆଖିଦୃଶିଆ ପରିବର୍ତ୍ତନ ଘଟିନାହିଁ । ଶିକ୍ଷାର ବିକାଶ ପାଇଁ ଆବଶ୍ୟକ ହେଉଥିବା ଅର୍ଥର ଅଭାବ ହିଁ ଏହାର ପ୍ରମୁଖ କାରଣ । ବିଭିନ୍ନ ସମୟରେ ଗଠନ କରାଯାଇଥିବା ଶିକ୍ଷା କମିଶନ ଓ ଶିକ୍ଷା କମିଟିର ସୁପାରିଶ ହେଉଛି ଶିକ୍ଷା ବାବଦରେ ବ୍ୟୟ ବରାଦ ବୃଦ୍ଧି କରିବା ପାଇଁ । ଏସବୁ କମିଶନ ଓ କମିଟିର ସୁପାରିଶ ଶୀତଳ ଭଣ୍ଡାରରେ ପଡିରହିିଛି । ୧୯୬୪ ମସିହାରେ ଗଠିତ କୋଠାରି କମିଶନ କେନ୍ଦ୍ର ବଜେଟ୍ର ୧୦ ଭାଗ ଓ ରାଜ୍ୟ ବଜେଟ୍ର ୩୦ ଭାଗ ଶିକ୍ଷାକ୍ଷେତ୍ରରେ ବ୍ୟୟ କରିବାକୁ ସରକାରଙ୍କୁ ସୁପାରିଶ କରିଥିଲେ ।

କିନ୍ତୁ ଅଦ୍ୟାବଧି ଶିକ୍ଷା କ୍ଷେତ୍ରରେ ବ୍ୟୟ ନିର୍ଦ୍ଧାରିତ ସୁପାରିଶ ଠାରୁ ବହୁଦୂରରେ । ବରଂ କେନ୍ଦ୍ର ବଜେଟ୍ରେ ଶିକ୍ଷାପାଇଁ ବ୍ୟୟ ୪.୪ ପ୍ରତିଶତରୁ ରୁ ୩.୩ ପ୍ରତିଶତକୁ ହ୍ରାସ ପାଇଥିବାବେଳେ ଆମ ରାଜ୍ୟ ବଜେଟରେ ୧୦.୪ ଭାଗ ଶିକ୍ଷା ପାଇଁ ବ୍ୟୟବରାଦ କରାଯାଉଛି । କାରଣ ଆମ ଦେଶ ତଥା ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବ୍ୟୟକୁ ଏକ ବୋଝ ବୋଲି ବିବେଚନା କରାଯାଏ, ପରିସମ୍ପତ୍ତି ନୁହେଁ । ବିଶେଷକରି ୧୯୯୦ ଦଶକ ପରଠାରୁ ଆମ ଦେଶ ଜଗତୀକରଣକୁ ଆପଣେଇ ନେଲାପରେ ଶିକ୍ଷାକ୍ଷେତ୍ରରେ ଏହାର ପ୍ରତିକୂଳ ପ୍ରଭାବ ବହୁଳ ଭାବରେ ପରିଲକ୍ଷିତ ହୋଇଛି । ଏହାର ପ୍ରଭାବ ଆମ ରାଜ୍ୟରେ ମଧ୍ୟ ଅନୁଭୂତ ହୋଇଛି ।

ରାଜ୍ୟରେ ପ୍ରାଥମିକ ଶିକ୍ଷା ବିଗିଡିବାର ପ୍ରମୁଖ କାରଣ ହେଉଛି ଆବଶ୍ୟକ ଶିକ୍ଷକ ଓ ଭିତ୍ତିଭୂମିର ଅଭାବ । ଶିକ୍ଷା ଅଧିକାର ଆଇନ ଅନୁସାରେ ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରେ ୨ ଲକ୍ଷ ୨୪ ହଜାର ୩୩୦ ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି । ଅଛନ୍ତି ୧ ଲକ୍ଷ ୧୫ ହଜାର ୮୩୩ ଜଣ ନିୟମିତ ଶିକ୍ଷକ । ବଳକା ୧ ଲକ୍ଷ ୮ ହଜାର ୪୯୭ ଜଣ ନିୟମିତ ଶିକ୍ଷକ ପଦବୀ ସ୍ଥାନରେ ୭୩ ହଜାର ୭୩୬ ଜଣ ନିୟମିତ ଶିକ୍ଷା ସହାୟକ ଓ ଗଣଶିକ୍ଷକଙ୍କୁ ନେଇ ଶିକ୍ଷା ବ୍ୟବସ୍ଥା ଚଲାଇଛନ୍ତିି । ଖାଲିଥିବା ଶିକ୍ଷକ ପଦବୀ ପୂରଣ ହେବା ତ ଦୂରର କଥା, କେଉଁଠି ୫ଟି ଶ୍ରେଣୀକୁ ଜଣେ ଶିକ୍ଷକ ତ ଆଉ କେଉଁଠି ୭ଟି ଶ୍ରେଣୀକୁ ଦୁଇ ବା ତିନି ଜଣ ଶିକ୍ଷକରେ ସ୍କୁଲ ଚାଲିଛି ।ସେହିପରି ଭିତ୍ତିଭୂମିର ଅଭାବ ଶିକ୍ଷାର ବିକାଶରେ ଏକ ପ୍ରମୁଖ ସମସ୍ୟା ରୂପେ ଉଭାହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ଥିବା ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାନୀୟଜଳ, ପରିମଳ ବ୍ୟବସ୍ଥା, ବିଜୁଳି ଆଲୋକ, ସୁସ୍ଥ ଶିକ୍ଷଣୀୟ ପରିବେଶ ଭଳି ଆବଶ୍ୟକତାକୁ ପୂରଣ କରାଯାଇପାରିନାହିଁ ।

‘ଓପେପା’ ତରଫରୁ ମିଳିଥିବା ସୂଚନା ମୁତାବକ ରାଜ୍ୟରେ ଥିବା ମୋଟ ୫୧ ହଜାର ୯୪ଟି ସ୍କୁଲ ମଧ୍ୟରୁ ୧୨ ହଜାର ୩୬୪ଟି ସ୍କୁଲରେ ଶୌଚାଳୟ ନାହିଁ । ୫୦ ପ୍ରତିଶତରୁ ଅଧିକ ସ୍କୁଲରେ ବାଳକ ଓ ବାଳିକାଙ୍କ ପାଇଁ ଅଲଗା ଅଲଗା ଶୌଚାଳୟ ନାହିଁ । ସେହିପରି ୪୧ ହଜାର ୩୮୨ଟି ସ୍କୁଲରେ ଖେଳପଡିଆ ନଥିଲା ବେଳେ ୪୩ ହଜାର ସ୍କୁଲକୁ ବିଦୁ୍ୟତ୍ ସଂଯୋଗ ନାହିଁ । ୧୨ ହଜାର ୨୦୦ ସ୍କୁଲରେ ମଧ୍ୟାହ୍ନ ଭୋଜନ ରାନ୍ଧିବା ପାଇଁ ରୋଷେଇଘର ନଥିଲା ବେଳେ ୧୮ ହଜାର ୫୦୦ ସ୍କୁଲରେ ପାଚେରୀ ନାହିଁ । ସବୁଠାରୁ ପରିତାପର ବିଷୟ ଯେ ୩୫୦ ସ୍କୁଲର ନିଜସ୍ୱ ଘର ନାହିଁ । ଗୋଟିଏ ପଟେ ଶିକ୍ଷକମାନଙ୍କର ଅଭାବ ଓ ଅନ୍ୟପଟେ ଭିତ୍ତିଭୂମିର ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ଦକ୍ଷତା ହ୍ରାସ ପାଇବାରେ ଲାଗିଛି । ‘ପ୍ରଥମା’ ପ୍ରସ୍ତୁତ କରିଥିବା ରିପୋର୍ଟ ଅନୁଯାୟୀ ୫୩.୩ ପ୍ରତିଶତ ପ୍ରଥମ ଶ୍ରେଣୀ ପିଲା ଦ୍ୱିତୀୟ ଶ୍ରେଣୀର ଗଣିତ କରିବାକୁ ସକ୍ଷମ ନୁହନ୍ତି । ସେହିପରି ୪୫.୮ ପ୍ରତିଶତ ପ୍ରଥମ ଶ୍ରେଣୀ ପିଲା ଦ୍ୱିତୀୟ ଶ୍ରେଣୀ ବହି ପଢି ପାରନ୍ତି ନାହିଁ ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟକାରୀ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ନିମନ୍ତେ ସରକାର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ, ପୁଷ୍ଟିକର ଅଣ୍ଡା, ମାଗଣାରେ ପାଠ୍ୟ ପୁସ୍ତକ, ପୋଷାକ ଯୋଗାଇ ଦେଉଛନ୍ତି । ବିଦ୍ୟାଳୟକୁ ସର୍ବାଙ୍ଗ ସୁନ୍ଦର କରିବା ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଉଛନ୍ତି । ଏସବୁ ସତ୍ତ୍ୱେ ସର୍ବଶିକ୍ଷା ଅଭିଯାନ ଦିଗହରା ହୋଇଛି । ଏକ ତଥ୍ୟ ଅନୁସାରେ ୨୦୧୧-୧୨ ମସିହାରେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲରେ ଷଷ୍ଠ ଶ୍ରେଣୀରେ ୫,୫୧,୬୮୬ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ୨୦୧୩-୧୪ ଶିକ୍ଷାବର୍ଷରେ ଅଷ୍ଟମ ଶ୍ରେଣୀରେ ପହଁଞ୍ଚିଲା ବେଳକୁ ଏହି ଛାତ୍ରଛାତ୍ରୀଙ୍କ ସଂଖ୍ୟା ଥିଲା ୨,୯୬,୩୫୩ । ଅବଶିଷ୍ଟ ଛାତ୍ରଛାତ୍ରୀ ବାଟରୁ କୁଆଡେ ଗଲେ ତା’ର ଏବେ ହିସାବ ମିଳୁନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ହିସାବ ମିଳୁନଥିବା ୨,୫୫,୩୩୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨,୪୯,୮୬୫ ହେଉଚନ୍ତି ସରକାରୀ ବିଦ୍ୟାଳୟର । ଏବେ ପ୍ରାୟ ଫେଲ୍ ବ୍ୟବସ୍ଥା ନାହିଁ । ଏସବୁ ସତ୍ତ୍ୱେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଢେଇ ଲକ୍ଷ କମିବା ବ୍ୟବସ୍ଥାଗତ ତ୍ରୁଟିକୁ ଅଙ୍ଗୁଳି ନିଦେ୍ର୍ଦଶ କରୁଛି ।

ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହେଲା ଶିକ୍ଷା ବ୍ୟବସ୍ଥାରେ ଜାତିଭେଦ । ଏଠି କିଏ ଜିଲ୍ଲାପରିଷଦ ଶିକ୍ଷକ, କନିଷ୍ଠ ଶିକ୍ଷକ,ଗଣଶିକ୍ଷକ, ଶିକ୍ଷା ସହାୟକ ତ କିଏ ବ୍ଲକ୍ଗ୍ରାଣ୍ଟ୍ ଶିକ୍ଷକ । ଯଦିଓ ନିକଟରେ ବ୍ଲକଗ୍ରାଣ୍ଟ ବ୍ୟବସ୍ଥା ଉଚ୍ଛେଦ କରାଯାଇଛି ତଥାପି ସେମାନଙ୍କୁ ପୂର୍ଣ୍ଣ ଚାକିରି ସର୍ତ୍ତାବଳୀ ଓ ଅବସରକାରଳୀନ ସୁବିଧା ସୁଯୋଗ ମିଳିନାହିଁ । କାହିଁ ଅତୀତରେ ଶିକ୍ଷକମାନଙ୍କୁ ଏପରି ଭାଗ ଭାଗ କରାଯାଉନଥିଲା? ଗୋଟିଏ ବୃତ୍ତିରେ ଥାଇ ସମାନ କାମକରି ଭିନ୍ନ ଭିନ୍ନ ବେତନ ପାଉଥିବାରୁ ଶିକ୍ଷକମାନେ ହୀନମନ୍ୟତାର ଶିକାର ହେଉଚନ୍ତି । ପରିଣାମ ସ୍ୱରୂପ, ବିଭିନ୍ନ ସମୟରେ ସେମାନେ ଆନେ୍ଦାଳନ କରୁଛନ୍ତି ଓ କୋର୍ଟ କଚେରୀର ଦ୍ୱାରସ୍ଥ ହେଉଛନ୍ତି ତାଙ୍କୁ ଶିକ୍ଷକ ସ୍କେଲ ଦେବାପାଇଁ ।

ସାମଗ୍ରିକ ଭାବେ ଏହାର ପ୍ରତିକୂଳ ପ୍ରଭାବ ଶିକ୍ଷା ବ୍ୟବସ୍ଥା ଉପରେ ପଡୁଛି । ସମାନ ଶିକ୍ଷା ବ୍ୟବସ୍ଥା ଓ ସମାନ କାମକୁ ସମାନ ଦରମା ହିଁ ଏହି ସମସ୍ୟାର ସମାଧାନ କରିପାରିବ ।

ସରକାରୀ ସ୍ତରରେ ସମସ୍ତ ପ୍ରକାର ପ୍ରୟାସ ସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନି । ସାମ୍ବିଧାନିକ ବିଧି ବ୍ୟବସ୍ଥା, ଜାତୀୟ ଶିକ୍ଷାନୀତି,ନିରନ୍ତର ଶିକ୍ଷା,କଳାପଟା ଅଭିଯାନ,ସର୍ବଶିକ୍ଷା ଅଭିଯାନ,ଶିକ୍ଷା ଅଧିକାର ଆଇନ ଓ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠାପରେ ବି ଶିକ୍ଷା କ୍ଷେତ୍ରରେ ଆମର ଅଗ୍ରଗତି ସନ୍ତୋଷଜନକ ହୋଇପାରି ନାହିଁ । ଏପରିକି ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହେବାର ୧୦ ବର୍ଷ ପରେ ବି ଶିକ୍ଷା ଅଧିକାର ଅନେକଙ୍କ ପାଇଁ ସ୍ୱପ୍ନ ହୋଇ ରହିଛି । ଆମ ଶିକ୍ଷା ବ୍ୟବସ୍ଥାକୁ ସଜାଡିବାକୁ ହେବ । କାରଣ ଶିକ୍ଷା ହିଁ ମାନବ ସମ୍ବଳ ବିକାଶର ମୁଖ୍ୟ ଆୟୁଧ ଓ ପ୍ରଗତିର ·ବକାଠି ।

Leave A Reply