Odisha news

ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗ ମିଥ୍ୟା ଅଭିଯୋଗ କରି ଖସିଯିବାର ପ୍ରୟାସ କରୁଛନ୍ତି ରାଜ୍ୟ ସରକାର: ଡ.ସମ୍ବିତ୍ ପାତ୍ର

0

ଭୁବନେଶ୍ୱର, ୦୧ ସେପ୍ଟେମ୍ବର – କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ଆଇଟିଡିସି ତରଫରୁ ଟେଣ୍ଡର ଆହ୍ୱାନ କରାଯାଇ ପୁରୀ ବଗଲା ଧର୍ମଶାଳା ଜମି ଉପରେ ଜଗନ୍ନାଥ ବିଶ୍ରମସ୍ଥଳୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ନିର୍ମାଣ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଅନୁମତି ମଧ୍ୟ ପ୍ରଦାନ କରିଥିଲେ । ୫୦ କୋଟି ଟଙ୍କା ବ୍ୟୟ ଅନୁକୁଳରେ ଆରମ୍ଭ ହୋଇଥିବା ଏହି ନିର୍ମାଣ କାର୍ଯ୍ୟ ପାଇଁ ୩.୨୬ କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହୋଇସାରିଥିଲା । ମାତ୍ର ପ୍ରପର୍ଟି ଡିଲର ସାଜିଥିବା ରାଜ୍ୟ ସରକାର ହୀନ ଚକ୍ରାନ୍ତ କରି ଉକ୍ତ ଜମିକୁ ପ୍ଲଟିଂ କରି ବିକ୍ରି କରିଦେବାର ଅପପ୍ରୟାସ କରୁଛନ୍ତି ।ଏହା ଅତ୍ୟନ୍ତ ଦୁଃର୍ଭାଗ୍ୟଜନକ ବୋଲି ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି ।
ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ସଚିବ ଶ୍ରୀ ବିଶାଲ ଦେବ ଗତ ଜୁଲାଇ ମାସ ୧ ତାରିଖ ଦିନ ଆଇଟିଡିସିର ମୁଖ୍ୟଙ୍କୁ ପତ୍ର ଲେଖି କହିଥିଲେ ଯେ, ଗତ ୬ ବର୍ଷ ଧରି ଟେଣ୍ଡର କାର୍ଯ୍ୟରେ ବିଳମ୍ବ ହେବା କାରଣରୁ ବଗଲା ଧର୍ମଶାଳା ଜମି ଉପରେ ନିର୍ମିତ ହେବାକୁ ଥିବା ଶ୍ରୀ ଜଗନ୍ନାଥ ବିଶ୍ରାମ ସ୍ଥଳୀ ସହ ଅନ୍ୟ ୩ଟି ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିଦିଆଗଲା । ଯାହାକି ସଂପୂର୍ଣ୍ଣ ମିଥ୍ୟା ବୋଲି ଆଜି ଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଡ.ପାତ୍ର ଅଭିଯୋଗ କରି କହିଛନ୍ତି ।
ଡ.ପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ସଚିବଙ୍କ ଚିଠିର ଉତର ଆଇଟିଡିସି ତରଫରୁ ଜୁଲାଇ ୯ ତାରିଖ ଦିନ ପତ୍ର ମାଧ୍ୟମରେ ଦିଆଯାଇଛି । ସଚିବ କରିଥିବା ଅଭିଯୋଗ ସଂପୂର୍ଣ୍ଣ ଭିତିହୀନ ଓ ମିଥ୍ୟା । ପ୍ରସାଦ ଯୋଜନାରେ ରାଜ୍ୟ ସରକାର ପୁରୀ ଓ ଜଗନ୍ନାଥ ଧାମର ସୈାନ୍ଦର୍ଯ୍ୟକରଣ ପାଇଁ ୨୬/୦୩/୨୦୧୫ ତାରିଖରେ ୫୦ କୋଟି ଟଙ୍କା ଖର୍ଚ୍ଚର ଏକ ପ୍ରସ୍ତାବ ଆଇଟିଡିସିକୁ ଦେଇଥିଲେ । ଆଇଟିଡିସି ଏହି ପ୍ରସ୍ତାବକୁ ତତ୍‌କ୍ଷଣାତ ପାରିତ କରି ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କରିଦେଇଥିଲା । ଆଇଟିଡିସି ତରଫରୁ ପ୍ରସ୍ତୁତ ନକ୍ସାରେ ପରିବର୍ତନ କରିବା ସହ ରାଜ୍ୟ ସରକାର ୨୭/୧୧/୨୦୧୭ ମସିହାରେ ଆଇଟିଡିସିକୁ ଏହି ପ୍ରକଳ୍ପର ଖର୍ଚ୍ଚ ରାଶି ୫୦ କୋଟିରୁ ୭୮ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଚିଠି ଲେଖିଥିଲେ । ଶେଷରେ ଶ୍ରୀ ଜଗନ୍ନାଥ ବିଶ୍ରାମସ୍ଥଳୀର ନିର୍ମାଣ କାର୍ଯ୍ୟ ବଗଲା ଧର୍ମଶାଳା ଜମିରେ ହେବାର ନିଷ୍ପତି ଗ୍ରହଣ କରାଯାଇ ଜମିକୁ ଆଇଟିଡିସିକୁ ହସ୍ତାନ୍ତର କରାଗଲା । ଆଇଟିଡିସିକୁ ହସ୍ତଗତ ଚିଠିରେ ଉଲ୍ଲେଖ ହୋଇଥିଲା ଯେ ଶ୍ରୀ ଜଗନ୍ନାଥ ବିଶ୍ରାମସ୍ଥଳୀ ପାଇଁ ପୁରୀର ଅନ୍ୟ ଏକ ସ୍ଥାନରେ ୨ ଏକର ଜମି ଯୋଗାଇ ଦିଆଯିବ । ମାତ୍ର ଏହି ଜମି ଅତ୍ୟନ୍ତ ତଳୁଆ ଅଂଚଳ ଏବଂ ଗମନାଗମନ ପାଇଁ ଅସୁବିଧା ଥିବା କାରଣରୁ ଏଥି ପାଇଁ ୨.୫ କୋଟିରୁ ୩ କୋଟି ଟଙ୍କା ଅଧିକ ଅର୍ଥ ଖର୍ଚ୍ଚ ହେବ ବୋଲି ଆଇଟିଡିସି ତରଫରୁ କୁହାଯାଇଥିଲା । ବର୍ତମାନ ସୁଦ୍ଧା ରାଜ୍ୟ ସରକାର ଏ ସଂପର୍କରେ କୈାଣସି ଉତର ଦେଇନାହାନ୍ତି ।
ପ୍ରଥମେ ବଗଲା ଧର୍ମଶାଳା ଜମିକୁ ନିର୍ମାଣ କାର୍ଯ୍ୟ ପାଇଁ ଆଇଟିଡିସିକୁ ହସ୍ତାନ୍ତର, ପ୍ରକଳ୍ପ ଖର୍ଚ୍ଚ ପରିମାଣ ୫୦ କୋଟିରୁ ୭୮ କୋଟି ଟଙ୍କା ବୃଦ୍ଧି କରିବା, ୩.୨୬ କୋଟି ଟଙ୍କା ଖର୍ଚ୍ଚ ହୋଇ ପ୍ଲିଂତ୍ ଲେବଲ୍ କାର୍ଯ୍ୟ ସମାପ୍ତ ହୋଇଥିବାବେଳେ ହଠାତ୍ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାର ନିର୍ଦ୍ଦେଶ, ବଗଲା ଧର୍ମଶାଳା ଜମିକୁ ପ୍ଲଟିଂ କରି ବିକ୍ରି କରିବାର ନିଷ୍ପତି, ଶ୍ରୀ ଜଗନ୍ନାଥ ବିଶ୍ରାମସ୍ଥଳୀକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାର କାହିଁକି ଏବଂ କାହା ସ୍ୱାର୍ଥରେ କରିଲେ ବୋଲି ଡ.ପାତ୍ର ପ୍ରଶ୍ନ କରିଛନ୍ତି ।

Leave A Reply