ସମ୍ବଲପୁର ଜିଲ୍ଲାରେ ‘ନବରାତ୍ର’ ସମୟରେ ଜନ୍ମଲାଭ କରିଥିବା କନ୍ୟା ସନ୍ତାନମାନଙ୍କୁ ସମ୍ମାନ କାର୍ଯ୍ୟକ୍ରମ , କନ୍ୟାରତ୍ନ ସବୁଠାରୁ ଅମୂଲ୍ୟ ରତ୍ନ – ଧର୍ମେନ୍ଦ୍ର ପ୍ରଧାନ
• ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟାରତ୍ନଙ୍କ ମା’ଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ
• ନାରୀ ଶକ୍ତିର ଉତ୍ଥାନରେ ହିଁ ସମାଜର ପ୍ରଗତି
• କନ୍ୟା ସନ୍ତାନମାନଙ୍କୁ ସଠିକ୍ ପୋଷଣ, ଶିକ୍ଷା ଓ ଉତ୍ତମ ସ୍ୱାସ୍ଥ୍ୟ ସହ ସେମାନଙ୍କ ଉପଯୁକ୍ତ ଯତ୍ନନେବା ନେବା ଆମ ସମସ୍ତଙ୍କ ଦାୟିତ୍ୱ
ସମ୍ବଲପୁର : ଯେତେବେଳେ ଘରେ କନ୍ୟା ସନ୍ତାନଟିଏ ଜନ୍ମ ନିଏ, ସେତେବେଳେ ଘର ସ୍ୱର୍ଗ ପାଲଟିଯାଏ । କନ୍ୟାରତ୍ନ ସବୁଠାରୁ ଅମୂଲ୍ୟ ରତ୍ନ । ତାଙ୍କୁ ଆମେ ସବୁବେଳେ ସ୍ନେହ ଓ ଶ୍ରଦ୍ଧା ଦେବା ଦରକାର । ନାରୀ ଶକ୍ତିର ଉତ୍ଥାନରେ ହିଁ ସମାଜର ପ୍ରଗତି ଅନ୍ତର୍ନିହିତ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସମ୍ବଲପୁର ଜିଲ୍ଲାରେ ‘ନବରାତ୍ର’ ସମୟରେ ଜନ୍ମଲାଭ କରିଥିବା କନ୍ୟା ସନ୍ତାନମାନଙ୍କ ମା’ଙ୍କୁ ସମ୍ମାନିତ କରିବା କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ନବରାତ୍ରି ହେଉଛି ନାରୀ ଶକ୍ତି ବା ଦୁର୍ଗାଙ୍କର ନଅଟି ସ୍ୱରୂପକୁ ପୂଜା କରିବାର ପର୍ବ । ପ୍ରତ୍ୟେକ କନ୍ୟାକୁ କନ୍ୟା ରୂପରେ ଦେବୀ ବୋଲି ମାନି ଆମେ ପୂଜା କରୁ । ନବରାତ୍ରି ସମୟରେ ଜନ୍ମ ହେବା ଏହି କନ୍ୟାମାନଙ୍କ ପାଇଁ ଏକ ବିଶେଷ ଆଶୀର୍ବାଦ । ମା’ଙ୍କ ଆରାଧନାର ପର୍ବ ନବରାତ୍ରି ସମୟରେ ଯେଉଁ କନ୍ୟାରତ୍ନମାନେ ଜନ୍ମ ନେଇଛନ୍ତି, ସେମାନେ ସେମାନେ ସାକ୍ଷାତ ଦେବୀଙ୍କର ସ୍ୱରୂପ । ବୟସ ଅନୁସାରେ ସେମାନଙ୍କର ସଠିକ୍ ଲାଳନପାଳନ ସହ ସୁରକ୍ଷା, ସ୍ୱାସ୍ଥ୍ୟର ଯତ୍ନନେବା ସହ ଭିଟାମିନଯୁକ୍ତ ଖାଦ୍ୟ ଦେବା ଆମ ସମସ୍ତଙ୍କ ଦାୟିତ୍ୱ । ଏହି ଜନସଚେତନତା ଲକ୍ଷ୍ୟରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏଭଳି ଅଭିନବ କାର୍ଯ୍ୟକ୍ରମ ସମାଜ ପାଇଁ ପ୍ରେରଣା ।
ଶ୍ରୀ ପ୍ରଧାନ ସମ୍ବଲପୁର ଜିଲ୍ଲାର ଉନ୍ନତ ଲିଙ୍ଗାନୁପାତକୁ ପ୍ରଶଂସା କରିଥିଲେ । ସେ କହିଥିଲେ, ଦେଶର ଅନେକ ଜିଲ୍ଲାରେ ପାଖାପାଖି ୧୦୦୦ ପୁରୁଷରେ ହାରାହାରି ୭୦୦ ମହିଳା ଥିବାବେଳେ ସମ୍ବଲପୁର ଜିଲ୍ଲାରେ ୧୦୦୦ ପୁରୁଷରେ ୧୦୬୭ ମହିଳା ଅଛନ୍ତି, ଯାହା ଏକ ପ୍ରଗତିଶୀଳ ସମାଜର ଲକ୍ଷଣ । ଜିଲ୍ଲାରେ ଜନ୍ମ ହେଉଥିବା ୧୦ ହଜାର ଛୋଟ ପିଲାଙ୍କ ମଧ୍ୟରୁ ପ୍ରାୟ ୫ ହଜାର କେବଳ କନ୍ୟା ହୋଇଥିବାରୁ ଏହା ଆମ ପାଇଁ ଗର୍ବର ବିଷୟ । ଝିଅମାନଙ୍କର ଜନ୍ମ ଠାରୁ ବଡ଼ ହେବା ପର୍ଯ୍ୟନ୍ତ ସେମାନଙ୍କର ଦାୟିତ୍ୱ ନେବା ଆବଶ୍ୟକ ବୋଲି ସେ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବରାତ୍ର ସମୟରେ ଜନ୍ମଲାଭ କରିଥିବା କନ୍ୟାରତ୍ନଙ୍କ ମା’ଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ । ଉଲ୍ଲେଖନୀୟ ଯେ, ବିକାଶ ଫାଉଣ୍ଡେସନର ଏହି କନ୍ୟାରତ୍ନ ସମ୍ମାନ କାର୍ଯ୍ୟକ୍ରମ ଢେଙ୍କାନାଳ, ଅନୁଗୋଳ ଓ ଦେବଗଡ଼ରେ ସମାପନ ହୋଇସାରିଛି । ଶ୍ରୀ ପ୍ରଧାନଙ୍କ ସହ ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା ପଞ୍ଚାୟତିରାଜ, ଗ୍ରାମୀଣ ବିକାଶ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ସାମିଲ ହୋଇଥିଲେ ।