ସାଲେପୁର : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସାଲେପୁର ବ୍ଲକ୍ର ଖାଲୁଆ ଅଞ୍ଚଳମାନଙ୍କରେ ଆଣ୍ଠୁଏ ଲେଖାଁ ପାଣି ଜମି ରହିଥିବାବେଳେ ସାଲେପୁର-କୁଆଁପାଳ ରାସ୍ତାର ଚନ୍ଦ୍ରାଦେଇପୁର ସ୍କୁଲ ନିକଟରେ ବର୍ଷାପାଣି ନିଷ୍କାସିତ ହୋଇପାରୁନଥିବାରୁ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହିଛି । ଫଳରେ ବାଇକ୍ ଚାଳକଠାରୁ ଆରମ୍ଭ କରି ଚାରିଚକିଆ ଯାନ ଚାଳକମାନେ ବାଧ୍ୟ ହୋଇ ଉକ୍ତ ପାଣିରେ ଗାଡ଼ି ପୁରାଇ ନେଉଥିବାବେଳେ ଅଧିକାଂଶ ଗାଡ଼ିର ଷ୍ଟାଟ୍ ବନ୍ଦ ହୋଇଯାଉଥିବାବେଳେ ବହୁ ମୋଟର ସାଇକେଲ୍ ଚାଳକ ପାଣି ମଧ୍ୟରେ ଥିବା ଖାଲରେ ପଡି ଦୁର୍ଘଟଣାଗ୍ରସ୍ତ ହେଉଥିବା ଦେଖାଯାଇଛି । ଅପର ପକ୍ଷରେ ଦୀର୍ଘ ଦିନ ଧରି ରାସ୍ତା ଉପରେ ପାଣି ଜମି ରହୁଥିବାରୁ ରାସ୍ତାର ପିଚୁ ଉଠିଯାଇ ରାସ୍ତା ମଧ୍ୟରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗର୍ତ୍ତମାନ ସୃଷ୍ଟି ହୋଇଗଲାଣି ।
ପ୍ରକାଶ ଯେ ଗତକାଲି ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସାଲେପୁର ସହରର ସାଲେପୁର ସାପ୍ତାହିକ ହାଟ, ସାଲେପୁର ଖେଳପଡ଼ିଆ, ମଧୁ୍ସ୍ମୃତି ଭବନ ଚାରିକଡ଼, ଆର.ଆଣ୍ଡ୍ ବି. କାର୍ଯ୍ୟାଳୟ ପରିସରରେ ପାଣି ଜମି ରହିଛି । ସେହିପରି ତେନ୍ତୋଳ ପଞ୍ଚାୟତର ବିଶରପୁର ଗ୍ରାମରେ ଥିବା ଖାଲୁଆ ଅଞ୍ଚଳରେ ଆଣ୍ଠୁଏ ଲେଖା ପାଣି ଜମି ରହିଛି । ଅପର ପକ୍ଷରେ ମିର୍ଜାପୁର, ଛୋଟିପଡ଼ା, ସିଢ଼ୋ, ଭୀମଦାସପୁର, କାଳିଦହି, ପଟୁଆ, ରାମେଶ୍ୱର ଆଦି ଅଞ୍ଚଳରେ ଥିବା ଶହ ଶହ ଏକର ଚାଷ ଜମି ପାଣିରେ ବୁଡ଼ି ରହିଛି । ସେହିପରି ଚନ୍ଦ୍ରାଦେଇପୁର, ବଟେଶ୍ୱର, ମାଛୁଆତି, ବାଲିସାହି, ବୋଦାମୁଣ୍ଡାଇ, ଛାଣିପୁର, ଆଦି ଅଞ୍ଚଳରେ ଥିବା ଶହ ଶହ ଏକର ଚାଷ ଜମି ବର୍ଷା ପାଣିରେ ବୁଡ଼ି ରହିଥିବା ଦେଖିବାକୁ ମିଳିଛି । ଜଳ ନିଷ୍କାସନର ବ୍ୟବସ୍ଥା ନଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଥିବା ସାଧାରଣରେ ଅଭିଯୋଗ ହୋଇଛି ।