Odisha news

ଲକ୍ଡାଉନ୍ ବଦଳାଇଦେଲା ଜଳହରି ଗ୍ରାମର ଚିତ୍ର

0

ସାଲେପୁର : କରୋନା ମହାମାରୀ ପାଇଁ ସରକାର ଘୋଷଣା କରିଥିବା ଲକ୍ଡାଉନ୍ ଓ ସଟ୍ଡାଉନ୍ କାହାପାଇଁ  ଅଭିଶାପ ପାଲଟିଥିବାବେଳେ କାହାପାଇଁ ବରଦାନ ପାଲଟିଥିବା ଦେଖିବାକୁ ମିଳିଛି । ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି ସାଲେପୁର ବ୍ଲକ୍ ଅଞ୍ଚଳର ଜଳହରି ଗ୍ରାମରେ । ଲକ୍ଡାଉନ୍ ଯୋଗୁ ଜଳହରି ଗ୍ରାମର କେତେକ ପ୍ରବାସୀ ଓଡ଼ିଆ ଘରକୁ ଫେରିବାପରେ ନିଜ ଗାଁର ଚିତ୍ର ବଦଳାଇ ଦେଇଛନ୍ତି । ଚେନ୍ନାଇରେ ରହୁଥିବା ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଗୋଲଖ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିଜ ଗାଁକୁ ଫେରିଥିବା ପ୍ରବାସୀ ଓଡ଼ିଆମାନେ ଏକତ୍ରିତ ହୋଇ ଗାଁ ରାସ୍ତାକୁ ୩କି.ମି. ପର୍ଯ୍ୟନ୍ତ କଂକ୍ରିଟିକରଣ କରିବା ସହ ଏକ ମନ୍ଦିର, ପାନୀୟଜଳର ବ୍ୟବସ୍ଥା କରିବା ସହ ଗାଁର କୋଠଘର, ଭାଗବତ ଟୁଙ୍ଗୀର ଚିତ୍ର ବଦଳାଇଦେଇଛନ୍ତି । ପ୍ରାୟ ୬୦ଲକ୍ଷ ଟଙ୍କା ବ୍ୟୟ କରି ମୁଖ୍ୟତଃ ଗାଁର ବିକାଶ ଦିଗରେ ଉଦ୍ୟମ ଜାରି ରଖିଥିବା ଜଣାଯାଇଛି । ସେହିପରି ଆଗାମୀ ଦିନରେ ଏହି ଗାଁରେ ଏକ ପାର୍କ ନିର୍ମାଣ ପାଇଁ ଅଭିଯାନ ଆରମ୍ଭ ହୋଇଛି । ସେହିପରି ଦୀର୍ଘ ଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ବହୁ ପୁରୁଣା ଗୃହକୁ ମଧ୍ୟ ପୁନରୁଦ୍ଧାର କରାଯାଇଥିବା ଦେଖିବାକୁ ମିଳିଛି ।

ଦୀର୍ଘଦିନ ଧରି ଏହି ଗାଁକୁ ରାସ୍ତାଟିଏ ନଥିବାରୁ ଗ୍ରାମବାସୀମାନେ ବର୍ଷାଦିନେ ପଚପଚ କାଦୁଅରେ ଯାତାୟତ କରିଥାନ୍ତି । ଏ ନେଇ ସ୍ଥାନୀୟ ଗ୍ରାମବାସୀମାନେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରିଥିଲେ ମଧ୍ୟ ଏ ଦିଗରେ କେହି କର୍ଣ୍ଣପାତ କରିନଥିଲେ । ଏହାନେଇ ଗ୍ରାମବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଲକ୍ଡାଉନ୍ ଯୋଗୁ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଗୋଲଖ ପରିଡ଼ା ଗାଁକୁ ଆସି ଆଉ ଚେନ୍ନାଇ ଫେରିନପାରି ଶେଷରେ ଗ୍ରାମର ବିକାଶ ଦିଗରେ କାର୍ଯ୍ୟକରିବାକୁ ସ୍ଥିର କରି ପ୍ରଥମ ପର୍ଯ୍ୟାୟରେ ଗ୍ରାମ ରାସ୍ତାକୁ ନିଜ ଖର୍ଚ୍ଚରେ କଂକ୍ରିଟ୍କରଣ କରିବା ସହ ମନ୍ଦିର ନିର୍ମାଣ, କୋଠଘର ପୁନରୁଦ୍ଧାର, ଭାଗବତ ଟୁଙ୍ଗୀ, କ୍ଲବ୍ ଘର ଆଦି ନିର୍ମାଣ କରିଛନ୍ତି । ସେହିପରି ଲକ୍ଡାଉନ୍ ସମୟରେ ଶ୍ରୀ ପରିଡ଼ାଙ୍କ ଉଦ୍ୟମରେ ଦୈନଦିନ ଗରିବ ଲୋକମାନଙ୍କୁ ରନ୍ଧାଖାଦ୍ୟ ପ୍ରାୟ ୨ମାସ ଧରି ବଣ୍ଟନ କରିଥିଲେ । ଏଥିରେ ତାଙ୍କ ପତ୍ନୀଙ୍କ ପ୍ରମୁଖ ଭୂମିକା ଥିବା ସେ ପ୍ରକାଶ କରିଛନ୍ତି । ଗୋଲଖଙ୍କ କହିବା ଅନୁଯାୟୀ ଜଣେ ଗରିବ  ଲୋକ ହେଲେ ମଧ୍ୟ ଯଦି ନିଜର ଦୃଢ଼ ଇଚ୍ଛା ଶକ୍ତି ରହେ ତେବେ ସେ ମଧ୍ୟ ଦେଶର ବିକାଶ ଦିଗରେ କାର୍ଯ୍ୟ କରି ଦେଶସେବା କରିପାରିବ ବୋଲି ସେ ପ୍ରକାଶ କରିଥିଲେ

Leave A Reply