ସାଲେପୁର : ସାଲେପୁର ବ୍ଲକ୍ର ରଟିଲୋ ପଞ୍ଚାୟତରେ ଗତକାଲି ଜଣେ ପ୍ରବାସୀ ଓଡ଼ିଆ ହୋମ୍ କ୍ୱାରେଣ୍ଟାଇନ୍ରେ ଥିବାବେଳେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାନେଇ ସ୍ଥାନୀୟ ସରପଞ୍ଚ ନିଜର ଜିଲ୍ଲାପାଳ କ୍ଷମତାକୁ ପ୍ରୟୋଗ କରି ୭୨ଘଣ୍ଟା ପର୍ଯ୍ୟନ୍ତ ଏହି ପଞ୍ଚାୟତକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଏହାନେଇ ଆଜି ରଟିଲୋ ପଞ୍ଚାୟତର ସମସ୍ତ ଦୋକାନ ବଜାର ବନ୍ଦ ଥିବାବେଳେ ରାସ୍ତାଘାଟ ମଧ୍ୟ ଶୂନ୍ଶାନ୍ ହୋଇପଡିଥିବାର ଦେଖିବାକୁ ମିଳିଥିଲା । କରୋନା ସଂକ୍ରମଣ ଆଶଙ୍କା ଭୟରେ ଲୋକମାନେ ସ୍ୱତଃସ୍ଫୁର୍ତ୍ତ ଭାବେ ଏହି ସଟ୍ଡାଉନ୍କୁ ପାଳନ କରିବା ସହ କେହି ଘରୁ ପଦାକୁ ବାହାରିନଥିବା ଦେଖିବାକୁ ମିଳିଥିଲା ।
ଖାଲି ମେଡ଼ିସିନ୍ ଦୋକାନକୁ ଛାଡିଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ଥିବାବେଳେ ଗ୍ରାମ ରାସ୍ତା ଶୂନ୍ଶାନ୍ ହୋଇପଡିଥିବା ଦେଖିବାକୁ ମିଳିଥିଲା । ଅପର ପକ୍ଷରେ ପଜିଟିଭ୍ ବାହାରିଥିବା ତଥା ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ପ୍ରବାସୀ ଓଡ଼ିଆଙ୍କର ପରିବାର ସଦସ୍ୟମାନଙ୍କ ମଧ୍ୟରୁ ୩ଜଣଙ୍କର ଆସନ୍ତା କାଲି ସ୍ୱାବ୍ ପରୀକ୍ଷା ନିମନ୍ତେ ପଠାଯିବ । ସେହିପରି ରଟିଲୋ ଗ୍ରାମ ସମେତ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ସାନିଟାଇଜେସନ୍ କରିବାପାଇଁ ସରପଞ୍ଚ ସୁଜାତା ପଣ୍ଡା ପ୍ରଶାସନ ନିକଟରେ ଲିଖିତ ଭାବେ ଜଣାଇବା ସହ ଏହି ପଞ୍ଚାୟତକୁ ୩ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରିଛନ୍ତି ।
