ସାଲେପୁର : କ୍ୱାରେଣ୍ଟାଇନ୍ ସେଣ୍ଟର ଅବଧି ସାରି ବିଭିନ୍ନ ଗ୍ରାମକୁ ଫେରୁଥିବା ପ୍ରବାସୀ ଓଡ଼ିଆମାନଙ୍କ ପାଇଁ କରୋନା ସଂକ୍ରମଣ ଆଶଙ୍କା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । ସାଲେପୁର ଅଞ୍ଚଳର ବହୁ ପ୍ରବାସୀ ଓଡ଼ିଆ ରାଜ୍ୟ ବାହାରୁ ଯଥା ମହାରାଷ୍ଟ୍ର, କଲିକତା, ବାଙ୍ଗାଲୋର, ଗୁଜୁରାଟ ଆଦି ଅଞ୍ଚଳରୁ ଆସି ସାଲେପୁର ବ୍ଲକ୍ର ବିଭିନ୍ନ ସରକାରୀ କ୍ୱାରେଣ୍ଟାଇନ୍ରେ ରହି କ୍ୱାରେଣ୍ଟାଇନ୍ ଅବଧି ଶେଷ କରି ନିଜ ନିଜ ଗ୍ରାମକୁ ଫେରୁଛନ୍ତି । କିନ୍ତୁ ପ୍ରଶାସନ ପକ୍ଷରୁ ଅଧିକାଂଶ ପ୍ରବାସୀଙ୍କର ସ୍ୱାବ୍ ପରୀକ୍ଷା କରାନଯାଇ ନିଜ ନିଜ ଘରକୁ ଛାଡିଦିଆଯାଉଥିବାବେଳେ କେତେକ ପ୍ରବାସୀ ଓଡ଼ିଆ ହୋମ୍ କ୍ୱାରେଣ୍ଟାଇନ୍ ନିୟମକୁ ସଠିକ୍ ଭାବେ ପାଳନ କରୁନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଏହି ପ୍ରବାସୀଙ୍କୁ ନେଇ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ଗତ ୨୯ତାରିଖ ଦିନ ସାଲେପୁର ବ୍ଲକ୍ର ବିଭିନ୍ନ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ପ୍ରାୟ ୩୦ରୁ ଉଦ୍ଧ୍ୱର୍ ନିଜର କ୍ୱାରେଣ୍ଟାଇନ୍ ଅବଧି ଶେଷ କରି ହୋମ୍ କ୍ୱାରୋଣ୍ଟାଇନ୍ ରହିବାପାଇଁ ନିଜ ନିଜ ଗ୍ରାମକୁ ଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ସ୍ୱାବ୍ ପରୀକ୍ଷା କରାଯାଇନଥିବାରୁ ଏହି ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଗ୍ରାମବାସୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ରାଜ୍ୟ ବାହାରୁ ଆସି କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କର ସ୍ୱାବ୍ ପରୀକ୍ଷା କରାଯାଇ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାପାଇଁ ଛଡାଯାଉ ବୋଲି ବହୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଯଦି ପ୍ରଶାସନ ପକ୍ଷରୁ ଏହି ପ୍ରବାସୀ ଓଡ଼ିଆମାନଙ୍କର ସ୍ୱାବ୍ ପରୀକ୍ଷା କରାନଯାଇ ହୋମ୍ କ୍ୱାରେଣ୍ଟାଇନ୍କୁ ଛଡାଯାଏ, ଏମାନଙ୍କ ମଧ୍ୟରୁ କେତେକ ପ୍ରବାସୀଙ୍କୁ ନେଇ ଗୋଷ୍ଠୀ ସଂକ୍ରମଣର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।