ସାଲେପୁର :-ସାଲେପୁର ବ୍ଲକ ଅଧିନ ବୁଥ ନଂ୨୨୩ ବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟରେ ଭୋଟ ଗ୍ରହଣ କେନ୍ଦ୍ର ହେଉଥିବା ବେଳେ ଏହି କେନ୍ଦ୍ରକୁ ଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି। ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଜୁନ ୧ ତାରିଖରେ ଭୋଟ ଗ୍ରହଣ ହେବ। ଏହି ବୁଥ ନଂ୨୨୩ରେ ବଲ୍ଲଭପୁର ରାଜସ୍ୱ ଗ୍ରାମର ଆଂଶିକ, ନଇଗୁଆଁ ରାଜସ୍ୱ ଗ୍ରାମର ଆଂଶିକ ଓ ବାଲିଆ ରାଜସ୍ୱ ଗ୍ରାମର ଆଂଶିକ ପ୍ରାୟ ୧୨୦୦ ରୁ ଉର୍ଦ୍ଧ୍ବ ଭୋଟର ମତଦାନ କରିବାକୁ ଥିବା ବେଳେ ଏହି ଅତି କଦର୍ଯ୍ୟ ରାସ୍ତାରେ ଭୋଟ ଗ୍ରହଣ କେନ୍ଦ୍ରକୁ ଯିବା ଏବେ ପ୍ରମୁଖ ସମସ୍ୟା ପାଲଟିଛି। ଏଠାରେ ପ୍ରକାଶ ଥାଉକି ୫ନଂ କେନାଲ ବନ୍ଧ ରାସ୍ତା ଯାହାକି ଶିଶୁଆ-ମଡଙ୍ଗା ଭାୟା ଛାଣିପୁର କୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇ ୧୯/୦୯/୨୦୨୨ରିଖ ରୁ କାର୍ଯ୍ୟ ଆରମ୍ଭ ହୋଇ କାର୍ଯ୍ୟ ର ଶେଷ ଅବଧି ୧୮ ଅଗଷ୍ଟ ୨୦୨୩ ସୁଦ୍ଧା ଥିଲା। ଏହି କାର୍ଯ୍ୟ ନିମନ୍ତେ ଠିକାଦାର ରୂପେ ଡିପିଏସ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ଼ କାର୍ଯ୍ୟ ଆରମ୍ଭ କରିଥିଲା। ଗ୍ରାମ୍ୟ ନିର୍ମାଣ ବିଭାଜନ-୧ ନୂଆବଜାର ଅଧୀନରେ ହେଉଥିବା ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଫେବ୍ରୁଆରୀ ୨୦୨୪ ରୁ ଉକ୍ତ ଠିକାଦାର ସଂସ୍ଥା ଏହି ରାସ୍ତାକୁ ଅଧାପନ୍ତରିଆ ଭାବେ ପକାଇ ଛାଡି ପଳାଇଯାଇଛି। ବିଶେଷ କରି ବଲ୍ଲଭପୁର ରାଜସ୍ୱ ଗ୍ରାମ ନିକଟରେ ରାସ୍ତାଟିକୁ କେନାଲବନ୍ଧର ମାଟି ତାଡି ଖାଲ ଖମା କରି ପଳାଇଛି। ଫଳରେ ରାସ୍ତାରେ ପାଦରେ ଚାଲି ଚାଲି ଯିବା ଅସମ୍ଭବ ହୋଇ ପଡ଼ିଛି। ବର୍ତ୍ତମାନ ରାସ୍ତା କାର୍ଯ୍ୟ କରିବା ପାଇଁ ଉପଯୁକ୍ତ ସମୟ ହୋଇଥିବା ବେଳେ ଏଥିପ୍ରତି ନା ସମ୍ପୃକ୍ତ ଠିକାଦାର ସଂସ୍ଥା ନା ଗ୍ରାମ୍ୟ ନିର୍ମାଣ ବିଭାଜନ-୧ ନୂଆବଜାର କେହି ଦୃଷ୍ଟି ଦେଉନାହାନ୍ତି।ଏହି ବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟରେ ହେଉଥିବା ମତଦାନ କେନ୍ଦ୍ରକୁ ଯିବା ପାଇଁ ବିକଳ୍ପ ରାସ୍ତା ମଧ୍ୟ ନାହିଁ। ଆସନ୍ତା ୧ ଜୁନ ୨୦୨୪ ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ୨୨୩ନଂ ବଲ୍ଲଭ ପୁର ଭୋଟ ଗ୍ରହଣ କେନ୍ଦ୍ରର ଭୋଟରଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଭୋଟର ମାନେ କିଭଳି ମତଦାନ କରିବେ ସେଦିଗରେ ଦୃଷ୍ଟି ଦେବାର ଆବଶ୍ୟକତା ଅଛି। ଏ ଦିଗରେ ଜିଲ୍ଲା ପ୍ରଶାସନ ବିଭାଗୀୟ ଅଧିକାରୀ ମାନେ ୧୨ଶହ ଭୋଟରଙ୍କ ଭୋଟଦାନ କୁ ସୁନିଶ୍ଚିତ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା କାର୍ଯ୍ୟ ସମ୍ପାଦନ କରିବାକୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ମହାନ୍ତି ଦାବି କରିଛନ୍ତି।(ଫଟ ଅଛି)
