ସାଲେପୁର, ୨୮ ।୩ – ସମଗ୍ର ବିଶ୍ୱକୁ ଏବେ କରୋନା ଭାଇରସ୍ର ଭୟ ଘାରିଥିବାବେଳେ ଏହି କରୋନା ଦାଉରୁ ରକ୍ଷା ପାଇବାପାଇଁ ସରକାର ୨୧ଦିନ ପାଇଁ ଲକଡାଉନ ଘୋଷଣା କରିଛନ୍ତି । ଏହାର ପ୍ରଭାବ ଖାଲି ମଣିଷମାନଙ୍କ ଉପରେ ପଡିନାହିଁ, ବୁଲା କୁକୁର ଓ ବୁଲା ଗୋରୁଗାଈମାନଙ୍କ ଉପରେ ପଡିଥିବା ଦେଖାଯାଇଛି । ସାଲେପୁର ଅଞ୍ଚଳରେ ଲକ୍ଡାଉନ୍ ଫଳରେ ହୋଟେଲ୍ ଓ ଦୋକାନ ବଜାରମାନ ବନ୍ଦ ହୋଇଯାଇଥିବାରୁ ଏହି ଅଞ୍ଚଳରେ ଶହ ଶହ ବୁଲା କୁକୁର ଓ ଗୋରୁଗାଈମାନେ ଖାଇବାକୁ ନପାଇ ଡହଳ ବିକଳ ହେଉଥିବା ଦେଖିବାକୁ ମିଳିଛି । ଏପରିକି ଉକ୍ତ ରାସ୍ତା ଦେଇ କୌଣସି ମଣିଷ ଚାଲିଗଲା ଖାଦ୍ୟ ମୁଠେ ପାଇଁ କୁକୁର ଓ ଗାଈଗୋରୁମାନେ ଲୋକମାନଙ୍କ ପ୍ରତି ଚାତକ ପରି ଚାହୁଁଥିବା ଦେଖାଯାଇଛି । ଅଧିକାଂଶ ସ୍ଥାନରେ ଲୋକମାନଙ୍କୁ ଦେଖିଲେ କୁକୁରମାନେ କାଳେ କିଏ ଖାଦ୍ୟ ନେଇଛି ଭାବି ତାଙ୍କ ନିକଟରେ ଏକଜୁଟ ହୋଇଯାଉଥିବା ଦେଖିବାକୁ ମିଳିଛି । ସେହିପରି ବୁଲା ଗୋରୁଗାଈମାନେ ଖାଦ୍ୟ ନପାଇ ଡହଳ ବିକଳ ହେଉଛନ୍ତି । ଅପର ପକ୍ଷରେ ସାଲେପୁର ବ୍ଲକ୍ ଅଞ୍ଚଳରେ ନିରାଶ୍ରୟ ଓ ମାନସିକ ବିକାରଗ୍ରସ୍ତ ଲୋକମାନେ ଦୋକାନ ବଜାର ବନ୍ଦ ହୋଇଯାଇଥିବାରୁ ଖାଇବାକୁ ନପାଇ ଗୋଟିଏ ଜାଗାରେ ପଡିରହିଥିବା ଦେଖିବାକୁ ମିଳିଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।