Odisha news

ସାଲେପୁର : ଓମ୍ଫେଡ୍ କ୍ଷୀର ନନେବାରୁ ଶହ ଶହ ଲିଟର କ୍ଷୀର ରାସ୍ତାରେ ଢ଼ାଳି ପ୍ରତିବାଦ ଜଣାଇଲେ ଗୋଚାଷୀ

0

ସାଲେପୁର, ୨୮ ।୩ – କରୋନା ଭାଇରସ୍ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସମଗ୍ର ଭାରତ ବର୍ଷକୁ ଲକ୍ଡାଉନ୍ ଘୋଷଣା କରିଥିବାବେଳେ ଏହାର ପ୍ରଭାବ ପଡିଛି ଗୋଚାଷୀଙ୍କ ଉପରେ । ଓମ୍ଫେଡ୍ ଗୋଚାଷୀଙ୍କ ଠାରୁ ନିୟମିତ କ୍ଷୀର ନେଉନଥିବାରୁ ଗୋଚାଷୀମାନେ ବ୍ୟାପକ କ୍ଷତିଗ୍ରସ୍ତ ହେବା ସହ ଗାଈଗୋରୁମାନଙ୍କୁ ଦାନା ଦେବାକୁ ସକ୍ଷମ ହେଉନାହାଁନ୍ତି । ଏହାର ପ୍ରତିବାଦରେ ଆଜି ରାଇସୁଙ୍ଗୁଡ଼ା ଅଞ୍ଚଳର ବହୁ ଗୋ-ଚାଷୀ ଶହ ଶହ ଲିଟର କ୍ଷୀରକୁ ରାସ୍ତା ଉପରେ ଢ଼ାଳିବା ସହ ଆନେ୍ଦାଳନ କରିଥିଲେ ।

ପ୍ରକାଶ ଯେ ଚଳିତ ମାସ ୨୨ତାରିଖ ଦିନ ଜନତା କର୍ଫୁ୍ୟ ଓ ପରେ ଲକ୍ ଡାଉନ୍ ଘୋଷଣା ହେବାରେ ଓମ୍ଫେଡ୍ ସଂସ୍ଥା ସାଲେପୁର, ରୋଧପୁର, ବେଙ୍ଗସାହୁ କଲୋନୀ, ବୋଦାମୁଣ୍ଡାଇ, ନାନେ୍ଦାଳ ସମେତ ବିଭିନ୍ନ ସୋସାଇଟିର ଗୋଚାଷୀଙ୍କ ଠାରୁ ନିୟମିତ କ୍ଷୀର ସଂଗ୍ରହ କରୁନଥିବାରୁ ଏହି ଅଞ୍ଚଳର ଗୋଚାଷୀମାନେ ଶହ ଶହ ଲିଟର କ୍ଷୀର ନଷ୍ଟ କରୁଛନ୍ତି । ଅପର ପକ୍ଷରେ କ୍ଷୀର ବିକ୍ରି ନହେବାରୁ ଗୋରୁଗାଈମାନଙ୍କୁ ଦାନା ଯୋଗାଇ ପାରୁନାହାଁନ୍ତି । ଅପର ପକ୍ଷରେ କ୍ଷୀର ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀ ବୋଲି ସରକାର ଘୋଷଣା କରିବା ସହ ଏହା ପ୍ରତି ରୋକ୍ ଲଗାଇନଥିବାବେଳେ ଓମ୍ଫେଡ୍ ସଂସ୍ଥା କ’ଣ ପାଇଁ ସୋସାଇଟିର ଗୋଚାଷୀଙ୍କ ଠାରୁ ନିୟମିତ କ୍ଷୀର ସଂଗ୍ରହ କରୁନାହାଁନ୍ତି, ତାହା ଗୋଚାଷୀଙ୍କ ମଧ୍ୟରେ ବିସ୍ମୟ ସୃଷ୍ଟି କରିଛି । ଅପର ପକ୍ଷରେ ଓମ୍ଫେଡ୍ କ୍ଷୀର ନେବା ବନ୍ଦ କରିବା ସହ ଓମ୍ଫେଡ୍ ଗୋଖାଦ୍ୟ ଦେବା ବନ୍ଦ କରିଦେଇଛି । ଫଳରେ ଗାଈଗୋରୁମାନଙ୍କୁ ଖୋଲା ବଜାରରୁ ଦାନା କିଣି ଖାଇବାକୁ ଦେଉଛନ୍ତି ।

ଗୋଚାଷୀମାନଙ୍କ ଆର୍ଥିକ ସ୍ଥିତିରେ ପ୍ରଭାବ ପଡିବା ସହ ଗୋମଡ଼କ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏ ସଂପର୍କରେ ଓମ୍ଫେଡ୍ କର୍ତ୍ତୃପକ୍ଷଙ୍କ ଠାରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏ ଦିଗରେ କେହି କର୍ଣ୍ଣପାତ କରୁନଥିବାରୁ ଆଜି ରାଇସୁଙ୍ଗୁଡ଼ା ସୋସାଇଟିର ଭୀମସେନ ବେହେରା, ଶରତ ସାମଲ, ଅଭିରାମ ସାମଲ, ଗୌରହରି ବେହେରା, ନେତ୍ରାନନ୍ଦ ମଲ୍ଲିକ, ଅଭୟ ମଲ୍ଲିକ, ଗୁନା ମାହୁନ୍ତ, ମୃତୁ୍ୟଞ୍ଜୟ ସାହୁ, ରାମ ବେହେରା, ମାଧବ ସାମଲ, ନୃସିଂହ ନାୟକଙ୍କ ସମେତ ୨୦ରୁ ଅଧିକ ଗୋଚାଷୀ କ୍ଷୀର ବାଲ୍ଟି ଧରି ରାଇସୁଙ୍ଗୁଡ଼ା ଓମ୍ଫେଡ୍ ସୋସାଇଟି ସମ୍ମୁଖରେ ଶହ ଶହ ଲିଟର କ୍ଷୀର ରାସ୍ତାରେ ଢ଼ାଳିଦେବା ସହ ଏହାର ଅଭିନବ ଉପାୟରେ ପ୍ରତିବାଦ କରିଥିଲେ ।

Leave A Reply