Odisha news

ଅମୃତ ଭାରତ ଷ୍ଟେସନ ଯୋଜନାରେ ସାକ୍ଷୀଗୋପାଳ ରେଳ ଷ୍ଟେସନର ପୁନର୍ବିକାଶ ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭିଡିଓ କନଫରେନସିଙ୍ଗ ଜରିଆରେ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
ସାକ୍ଷୀଗୋପାଳ : ଅମୃତ ଭାରତ ଷ୍ଟେସନ ଯୋଜନାରେ ସାକ୍ଷୀଗୋପାଳ ରେଳ ଷ୍ଟେସନର ପୁନର୍ବିକାଶ ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭିଡିଓ  କନଫରେନସିଙ୍ଗ ଜରିଆରେ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ଏହି ଉତ୍ସବରେ ପୁରୀ ବିଧାୟକ ଜୟନ୍ତ  କୁମାର ଷଡ଼ଙ୍ଗୀ, ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ କୁମାର ପଟ୍ଟନାୟକ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଭ୍ୟ ତଥା ବିଜେପି ନେତା ଓମ ପ୍ରକାଶ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ବିଷ୍ନୁପ୍ରିୟା ବରାଳ,  ଜୟପୁର ପଞ୍ଚାୟତ ସମିତି ସଭ୍ୟ ଦୀପକ କୁମାର ଶତପଥୀ, ପେଣ୍ଠପଡା ପଞ୍ଚାୟତ  ସରପଞ୍ଚ ଚିନ୍ମୟ କୁମାର ରାଉତ ଓ ପୂର୍ବ ତଟ ରେଳପଥ ମୁଖ୍ୟ ଯନ୍ତ୍ରୀ ଅଶୋକ କୁମାର ପାଣ୍ଡେ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ l
ପୂର୍ବ ତଟ ରେଳ ପଥ ବାଣିଜ୍ୟିକ ନିରୀକ୍ଷକ ବିଚିତ୍ରାନନ୍ଦ ପରିଡା ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l
ଅମୃତ ଭାରତ ଯୋଜନାରେ ଏହି ରେଳ ଷ୍ଟେସନର ବିକାଶ ଓ ଆଧୁନିକିକରଣ ନିମନ୍ତେ 34.8 କୋଟି ଟଙ୍କା ଅନୁଦାନ ପ୍ରଦାନ କରା ଯାଇଅଛି l ଏହି ଅନୁଦାନରେ ପ୍ରବେଶ ପଥ ଉନ୍ନୟନ, ପ୍ରତୀକ୍ଷାଳୟ, ଲିଫ୍ଟ, ଶୌଚାଳୟ, ଏସ୍କାଲେଟର ସଂଯୋଗ, ମାଗଣା ୱାଇଫାଇ, ଷ୍ଟଲ ସ୍ଥାପନ, ଏକଜିକ୍ୟୁଟିଭ ଲାଉଞ୍ଜ ଓ ବିଜିନେସ ମିଟିଂ ହଲ ଆଦି ନିର୍ମାଣ କରାଯିବ l
ଇଂରେଜ ଶାସନ ସମୟରେ 1909 ମସିହାରେ ସାକ୍ଷୀଗୋପାଳ ରେଳ ଷ୍ଟେସନ ନିର୍ମିତ ହୋଇଥିଲା l ରେଳ ବିଭାଗ ଓ ବିଭାଗୀୟ ଅଧିକାରୀ ମାନଙ୍କ ବୈମାତୃକ ମନୋଭାବ ଫଳରେ ଏହି ରେଳ ଷ୍ଟେସନ ଶ୍ରୀହୀନ ହୋଇ ପଡ଼ିଅଛି l
1909 ମସିହାରେ ଖୋର୍ଦ୍ଧା ରୋଡ଼ ପୁରୀ ମଧ୍ୟରେ ଏହା ଏକମାତ୍ର ରେଳ ଷ୍ଟେସନ ଥିଲା l ପୁରୀକୁ ଆସୁଥିବା ଓ ପୁରୀରୁ ଯାଇଥିବା ସମସ୍ତ ରେଳ ଏହି ଷ୍ଟେସନରେ  ରହୁଥିଲା l ଏହି ଷ୍ଟେସନରୁ ମାଲ ପରିବହନ ବ୍ୟବସ୍ଥା ମଧ୍ୟ ରହିଥିଲା l ପର୍ଯ୍ୟାୟ କ୍ରମେ ଏହି ରେଳ ଷ୍ଟେସନରୁ ସମସ୍ତ ସୁବିଧା ପ୍ରତ୍ୟାହାର  ହୋଇଯାଇଛି  l କରୋନା ସମୟରେ ଏହି ଷ୍ଟେସନରେ ରହୁଥିବା ସମସ୍ତ ରେଳ ରହିବା ବ୍ୟବସ୍ଥା ବନ୍ଦ କରି ଦିଆ ଯାଇଥିଲା  l କରୋନା ପୂର୍ବରୁ ଏଠାରେ ରହୁଥିବା ଅନେକ ଏକ୍ସପ୍ରେସ ରେଳ ଆଜି ପର୍ଯ୍ୟନ୍ତ ଅନେକ ଏଠାରେ ରହୁ ନାହିଁ l
ଆଜିର ଏହି ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ l ରେଳ ବିଭାଗ ତରଫରୁ ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ଏହି ଅବସରରେ ପୁରସ୍କାର ପ୍ରଦାନ କରିଥିଲେ l
Leave A Reply