Odisha news

ଜିଲ୍ଲା ଟ୍ରେଜେରୀକୁ ଗଲା କଳାହାଟ ଦ୍ୱାରର ୫ କୁଇଣ୍ଟାଲ ରୂପା

ପୁରୀ : :ଶ୍ରୀମନ୍ଦିର କଳାହାଟ ଦ୍ୱାର ପାଇଁ ଆସିଥିବା ୫ କୁଇଣ୍ଟାଲ ରୂପାକୁ ଜିଲ୍ଲା ଟ୍ରେଜେରୀକୁ ସ୍ଥାନାନ୍ତର କରାଯାଇଛି । ନିଳାଦ୍ରୀ ଭକ୍ତନିବାସ ଷ୍ଟ୍ରଙ୍ଗ ରୁମ୍ରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ୧୧ଟି ଟିଣବାକ୍ସରେ ଶ୍ରୀମନ୍ଦିର କଳାହାଟ ଦ୍ୱାର ପାଇଁ ଆସିଥିବା ରୂପାଗୁଡ଼ିକୁ ଜିଲ୍ଲା ଟ୍ରେଜେରୀ ଷ୍ଟ୍ରଙ୍ଗ ରୁମ୍କୁ ନିଆଯାଇଥିଲା । ଜିଲ୍ଲା ଟ୍ରେଜେରୀ ଷ୍ଟ୍ରଙ୍ଗ ରୁମ୍କୁ ନିଆଯାଇଥିବା ରୂପା ମଧ୍ୟରେ ପ୍ଲେଟ୍,ଡ଼ିଜାଇନ୍,ଡିÿଜିଟାଲ ପ୍ଲେଟ୍ ଓ ରୂପା ଖଣ୍ଡ ରହିଛି । ଟିଣ ବାକ୍ସ ଗୁଡ଼ିକର ଚାବି ମଧ୍ୟ ଟ୍ରେଜରୀରେ ରଖାଯାଇଛି । ଆସନ୍ତା ରଥଯାତ୍ରାର ଏକମାସ ପୂର୍ବରୁ ଟ୍ରେଜେରୀରୁ ରୂପା ଅଣାଯାଇ ରଥଯାତ୍ରା ପୂର୍ବରୁ କଳାହାଟ ଦ୍ୱାର ରୂପା ଛାଉଣୀ କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଗଣମାଧ୍ୟମକୁ କହିଛନ୍ତି । ସୂଚନାଯୋଗ୍ୟଯେ, ଶ୍ରୀମନ୍ଦିର ୮ଗୋଟି ଦ୍ୱାରକୁ ରୂପା ଛାଉଣୀ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ପରିଚାଳନା କମିଟି ଓ ପତ୍ନ ତତ୍ତ୍ୱବିଭାଗର ଅନୁମୋଦନ ପରେ ପ୍ରସ୍ତାବିତ ୮ଟି ଦ୍ୱାର ନୂଆ ବର୍ମାଟିକ୍ରେ ନିର୍ମାଣ କରିବାକୁ କାର୍ଯ୍ୟ ଆରମ୍ଭ ହୋଇଥିଲା । ମୁମ୍ବାଇର ଜଣେ ଦାତା ଏଥି ଲାଗି ଆବଶ୍ୟକ କାଠ ଓ ପ୍ରାୟ ୨୩୫୦ କେଜି ରୂପା ଯୋଗାଇଦେଇଥିଲେ ।

ଇତିମଧ୍ୟରେ ଭୋଗ ମଣ୍ଡପ ପଶ୍ଚିମପାଖଦ୍ୱାର,ଜୟ ବିଜୟ ଦ୍ୱାର,ସାତପାହାଚ ଦ୍ୱାର,ବେହରଣ ଦ୍ୱାର ସହିତ ଶ୍ରୀମନ୍ଦିର ପରିସର ସ୍ଥିତ ପ୍ରଭୁ ନୃସିଂହ,ମା’ବିମଳା ଓ ମାତା ଲକ୍ଷ୍ମୀଙ୍କ ମନ୍ଦିରଦ୍ୱାର ନୂତନ ଭାବେ ଲଗା ଯାଇ ରୂପା ଛାଉଣୀ କାର୍ଯ୍ୟ କରାଯାଇଛି । ରତ୍ନ ସିଂହାସନ ରୂଢ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି କାନ୍ତି ଯୋଗୁଁ ଚଳିତ ବର୍ଷ ପ୍ରସ୍ତାବିତ କଳାହାଟ ଦ୍ୱାରର ରୂପା ଛାଉଣୀ କରିବା ସମ୍ଭବ ନୂହେଁ । ତେଣୁ ଆସନ୍ତା ରଥଯାତ୍ରା ସମୟରେ ମହାପ୍ରଭୁ ରତ୍ନ ସିଂହାସନ ଛାଡ଼ି ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ଯାତ୍ରା କରିବା ସମୟରେ ଏହି କାର୍ଯ୍ୟ କରାଯିବ । କବାଟ ଗୁଡ଼ିକର ଛାଉଣି ପାଇଁ ଆସିଥିବା ସମସ୍ତ ରୂପା ସାମଗ୍ରୀକୁ ନୀଳାଦ୍ରୀ ଭକ୍ତ ନିବାସ୍ ଷ୍ଟ୍ରଙ୍ଗ ରୁମ୍ରେ ରଖାଯାଇଥିଲା । ସାତ ଗୋଟି ଦ୍ୱାର କାର୍ଯ୍ୟ ପରେ କଳାହାଟ ଦ୍ୱାର ପାଇଁ ଥିବା ରୂପା ସାମଗ୍ରୀ ଗୁଡ଼ିକୁ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ଟ୍ରେଜେରୀକୁ ସ୍ତାନାନ୍ତର କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଜିଲ୍ଲାପ୍ରଶାସନକୁ ପତ୍ର ଲେଖିଥିଲା । ଜିଲ୍ଲପାଳ ସମର୍ଥ ବର୍ମାଙ୍କ ଅନୁମୋଦନ ପରେ ଆଜି ରୂପା ସାମଗ୍ରୀ ଗୁଡ଼ିକୁ ଟ୍ରେଜେରୀକୁ ସ୍ଥାନାନ୍ତର କରାଯାଇଛି ।

Comments are closed.