କାକଟପୁର ତା10/12 : ଦେବୀନଦୀ କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହୋଇ ଅସ୍ତରଙ୍ଗର ନୂଆଗଡ ଠାରେ ସମୁଦ୍ରରେ ମିଶି ଅଛି. ନଦୀର ଉତ୍ତର ପାର୍ଶ୍ୱରେ କାକଟପୁର ବ୍ଲକର ମୁତୁଣିଆ ଓ ଭଣ୍ଡିସାହି ୨ଟି ରାଜସ୍ଵ ଗ୍ରାମ ରହିଅଛି. ସେହିପରି ଅସ୍ତରଙ୍ଗ ବ୍ଲକର ତାଳଦା ନାମକ ଏକ ପଞ୍ଚାୟତ ଦ୍ବୀପାଞ୍ଚଳ ହୋଇ ରହିଅଛି. କାକଟପୁର ବ୍ଲକର ପଥରପକା ଠାରୁ ମୁତୁଣିଆ ଓ ଭଣ୍ଡିସାହ ଗ୍ରାମର ଗ୍ରାମବାସୀ, ଛାତ୍ରଛାତ୍ରୀ, ରୋଗୀ ଡ଼ଙ୍ଗାଦ୍ୱାରା ଦୈନଦିନ କାର୍ଯ୍ୟପାଇଁ ନଦୀପାର ହୋଇଥାନ୍ତି. ସେହିପରି ତାଳଦା ପଞ୍ଚାୟତବାସୀ ମଧ୍ୟ ଯାତାୟାତ ପାଇଁ ସବୁସମୟରେ ଡ଼ଙ୍ଗା ଉପରେ ନିର୍ଭର କରିଥାନ୍ତି. ବର୍ଷାଋତୁରେ ପ୍ରତିବର୍ଷ ମହାନଦୀର ଚାଳିଶ ଭାଗ ବନ୍ୟାଜଳ ଦେବୀନଦୀ ଦେଇ ପ୍ରବାହିତ ହୋଇଥାଏ. ଏହି ସମୟରେ ବନ୍ୟାଜଳ ନଦୀର ୨ କୂଳକୁ ଲାଗିଯାଉଥିବାବେଳେ ବନ୍ୟାଜଳ ଭୀଷଣରୂପ ଧାରଣ କରିଥାଏ. ଜୀବନକୁ ବାଜିଲଗାଇ ଲୋକମାନେ ବାଧ୍ୟହୋଇ ଡଙ୍ଗାରେ ଯା ଆସ କରିଥାନ୍ତି . ତାଳଦା ପଞ୍ଚାୟତବାସୀଙ୍କ ପାଇଁ ତାଳଦା-ଖଣ୍ଡାସାହି ଘାଟକୁ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ନିଲାମ କରାଯାଇଥାଏ. ନିଲାମ ନେଉଥିବା ବ୍ୟକ୍ତି ବର୍ଷସାରା ଡ଼ଙ୍ଗା ଚଳାଇ ଲୋକମାନଙ୍କୁ ନେବାଆଣିବା କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି. ଡ଼ଙ୍ଗା ଚଳାଉଥିବା ବ୍ୟକ୍ତି ଗରିବ ନିଃସହାୟ ହୋଇଥିବାରୁ ନିୟମ ମୁତାବକ ଯାତ୍ରୀମାନଙ୍କ ପାଇଁ ଲାଇଫ ଜ୍ୟାକେଟ ଓ ଉଦ୍ଧାର ସରଞ୍ଜାମ କ୍ରୟ କରିପାରୁନାହାନ୍ତି. ଅପରପକ୍ଷରେ କାକଟପୁର ବ୍ଲକର ପଥରପକା -ଭଣ୍ଡିସାହି ଘାଟରେ ଡ଼ଙ୍ଗା ଚଳାଚଳ କରୁଥିଲେ ମଧ୍ୟ ଘାଟକୁ ନିଲାମ କରାଯାଏନାହିଁ. ଏଠାରେ ଯାତ୍ରୀଙ୍କୁ ନେବାଆଣିବା କରୁଥିବା ଡଙ୍ଗାରେ ମଧ୍ୟ ଲାଇଫ ଜ୍ୟାକେଟ କିମ୍ବା ଉଦ୍ଧାର ସାମଗ୍ରୀ ମହଜୁଦ ନାହିଁ. ଯାତ୍ରୀମାନେ ଉଭୟ ସ୍ଥାନରେ ନିଜ ନିଜ ମୋଟର ସାଇକେଲ, ଜିନିଷପତ୍ର ଓ ପିଲାଛୁଆଙ୍କୁ ସାଥିରେ ଧରି ଅତି ବିପଜ୍ଜନକ ଭାବେ ଡଙ୍ଗାରେ ନଦୀପାର ହୋଇଥାନ୍ତି. ଏଥିସହିତ ପ୍ରତିଦିନ ସରକାରୀ କର୍ମଚାରୀ, ଶିକ୍ଷକଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ମାନେ ମଧ୍ୟ ବିପଜ୍ଜନକ ଭାବେ ଡଙ୍ଗାରେ ଯା ଆସ କରନ୍ତି. ତାଳଦା ପଞ୍ଚାୟତବାସୀଙ୍କ ବହୁବାର ଦାବୀପରେ ତାଳଦା ଠାରେ ଦେବୀନଦୀ ଉପରେ ପ୍ରାୟ ୩୭ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ବିଜୁସେତୁ ନିର୍ମାଣ କରିବାକୁ ସ୍ଥିର ହୋଇଥିଲା. ଏବେ ଏହି ଅଟକଳ ଚାଳିଶ କୋଟିକୁ ଟପିଯାଇଅଛି. ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2014 ମସିହାରେ ବିଜୁସେତୁ ନିର୍ମାଣ ପାଇଁ ତାଳଦା ଠାରେ ଶିଳାନ୍ୟାସ କରିଥିଲେ. ଅସ୍ତରଙ୍ଗ ଗ୍ରାମଉନ୍ନୟନ ବିଭାଗକୁ ସେତୁ ନିର୍ମାଣ ଦାଇତ୍ୱ ଦିଆଯାଇଥିବାବେଳେ 2017ଜୁନ ମାସ ପୂର୍ବରୁ ସେତୁ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ ରଖାଯାଇଥିଲା. ଶିଳାନ୍ୟାସର ୬ ବର୍ଷ ଏବଂ ଧାର୍ଯ୍ୟ ଅବଧିର ୩ ବର୍ଷ ବିତିଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଓ କାର୍ଯ୍ୟ ନେଇଥିବା ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ସେତୁ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇପାରିନାହିଁ. ଫଳରେ ପୁରୀଜିଲ୍ଲାର ତାଳଦା ପଞ୍ଚାୟତ ଓ ଜଗତସିଂହପୁର ଜିଲ୍ଲାର ତରାସାହି ପଞ୍ଚାୟତର ୧0 ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ବିପଜ୍ଜନକ ଭାବେ ଯା ଆସ କରୁଛନ୍ତି. ଏହି ସେତୁ ପୂର୍ଣାଙ୍ଗ ହୋଇଥିଲେ ଜଗତସିଂହପୁର, ପାରାଦ୍ୱୀପ ଠାରୁ ପୁରୀ ଓ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ରାସ୍ତା ସଂଯୋଗ ହୋଇପାରିବା ସହିତ ଦୂରତା ହ୍ରାସ ପାଇ ପାରନ୍ତା.ନଦୀଘାଟକୁ ଲକ୍ଷ ଲକ୍ଷ ଟଙ୍କାରେ ନିଲାମ କରିଦେଇ ସ୍ଥାନୀୟ ପ୍ରଶାସନ ଚୁପ ହୋଇ ବସିପଡୁଛି . ଯାତ୍ରୀଙ୍କ ସୁରକ୍ଷା ପାଇଁ ଧ୍ୟାନ ଦେବା ଦୂରେ ଥାଉ ଡଙ୍ଗାରେ ଲୋକମାନେ କିପରି ଯାତାୟାତ କରୁଛନ୍ତି ସେଦିଗରେ ଅନୁଧ୍ୟାନ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି ତରାସାହିର ସୁକାନ୍ତି ମଳିକ, ବାବୁ ମଳିକ ଓ ତାଳଦାର ସୁବାସ ପଢ଼ିଆରୀ ଓ ମହେନ୍ଦ୍ର ଭୋଳ. ଡ଼ଙ୍ଗାଚାଳକ କାଳନ୍ଦୀ କାଣ୍ଡି କୁହନ୍ତି ଘାଟ ନିଲାମ ଅର୍ଥ ବହୁତ ହୋଇଯାଇଥିବାରୁ ଯଥେଷ୍ଟ ଲାଭାଂଶ ମିଳୁନାହିଁ. ପୁରୁଷାନୁକ୍ରମେ ଡ଼ଙ୍ଗା ଚଳାଇ ଆସୁଥିବାରୁ ବାଧ୍ୟ ହୋଉ ନିଲାମ ନେଇ ପଞ୍ଚାୟତବାସୀଙ୍କୁ ଏକ ପ୍ରକାର ସେବା ଯୋଗାଇଆସୁଅଛୁ. ପ୍ରଶାସନ ଯଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଲାଇଫ ଜ୍ୟାକେଟ ଯୋଗାଇଦେଲେ ଯାତ୍ରୀମାନଙ୍କ ସହିତ ଆମ୍ଭେମାନେ ମଧ୍ୟ ଉପକୃତ ହୋଇପାରନ୍ତୁ. ଏ ସମ୍ପର୍କରେ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱାଧୀନ କୁମାର ନାୟକଙ୍କୁ ପଚାରିବାରେ ସେ କହିଥିଲେ ବହୁବିଧ ସମସ୍ୟା ପାଇଁ ତାଳଦା ଠାରେ ନିର୍ମାଣଧୀନ ବିଜୁସେତୁ ପୂର୍ଣ୍ଣାଙ୍ଗ ହୋଇପାରିନାହିଁ. ଜମିଅଧିଗ୍ରହଣ ସମସ୍ୟା ଦୂର ହୋଇଯାଥିବାବେଳେ ନଦୀଗର୍ଭରେ ଦବିଯାଇଥିବା ୧୮,୧୯ ଓ ୨0 ନମ୍ବର ସ୍ପାନ ର ଡିଜାଇନ ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଯାଇଅଛି. ଖୁବଶୀଘ୍ର ସେତୁନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଅଳ୍ପଦିନ ମଧ୍ୟରେ ଶେଷହେବ ବୋଲି କହିଛନ୍ତି.ସହିପରି ଗତବର୍ଷ ମୁତୁଣିଆ ଠାରେ ଆଉ ଏକ ବିଜୁସେତୁ ନିର୍ମାଣପାଇଁ ଶିଳାନ୍ୟାସ କରାଯାଇଅଛି. ଯଥାଶୀଘ୍ର ଏହି ବିଜୁସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଅଧ୍ୟକ୍ଷ ଶ୍ରୀ ନାୟକ ପ୍ରକାଶ କରିଛନ୍ତି.