ବାରିପଦା : ବାରିପଦା ମହାରାଣୀ ପ୍ରେମକୁମାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ତୁଳସୀ ସାହୁ ମାଟ୍ରିକ ପରୀକ୍ଷାରେ ୯୧.୨ ଶତାଂଶ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ହୋଇଥିବାରୁ ବିଦ୍ୟାଳୟର ଆଲୁମିନି ଆସୋସିଏସନର ସମ୍ପାଦିକା ତଥା ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷା ଡଃ ବନଜା ମହାନ୍ତିଙ୍କ ପୌରୋହିତ୍ୟରେ ଏକ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଆଲୁମିନିର ସଭାପତି ଡଃ ବିଜୟ କୁମାର ଅଗରୱାଲା ମୁଖ୍ୟଅତିଥି ଏବଂ ବାଙ୍ଗିରିପୋଷି ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ପୁଷ୍ପା ପାତ୍ର ମୁଖ୍ୟବକ୍ତାଭାବେ ଯୋଗ ଦେଇ ସମ୍ବର୍ଦ୍ଧିତ କରିବା ସହ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଛାତ୍ରୀଙ୍କର ପିତା ଭାସ୍କର ଚନ୍ଦ୍ର ସାହୁ ଓ ମାତା ମଞ୍ଜୁଲତା ସାହୁ ଉଭୟଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ଆଲୁମିନିର ସଦସ୍ୟା ଶୋଭନା ଆଚାର୍ଯ୍ୟ, ବବିତା ଦାସ ଓ ବିଶ୍ୱମିତ୍ରା ଦାସ ପ୍ରମୁଖ ମଧ୍ୟ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ଖ୍ୟାତିସଂପନ୍ନ କୃତୀ ଶିକ୍ଷକ ଶଶିଧର ବିଶ୍ୱାଳ ସ୍ୱାଗତ ଜଣାଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ମୀନାକ୍ଷୀ ନନ୍ଦୀ ଓ ମାଧୁରୀ ଦ୍ୱିବେଦୀ ସହଯୋଗ କରିଥିବାବେଳେ ବିଜ୍ଞାନ ଶିକ୍ଷକ ସଞ୍ଜୟ କୁମାର କଲିଆ ଧନ୍ୟବାଦ ଅର୍ପଣ କରିଥିଲେ ।