ରାୟଗଡା,୨ ।୧: ଜିଲ୍ଲାର ସମସ୍ତ ଧର୍ମ ଅନୁଷ୍ଠାନ ଖୋଲିବା ପାଇଁ ଅଭିଯୋଗ ଦେବାର ୨ଘଣ୍ଟାପରେ ଚଳିତ ମାସ ୪ ତାରିଖରୁ ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ ପ୍ରଶାସନ ତରଫରୁ ନିର୍ଦେଶନାମା ଜାରୀ କରିଛନ୍ତି । ମନ୍ଦିର ଖୋଲିବା ନିଷ୍ପତିକୁ ଜିଲ୍ଲାବାସୀ ସ୍ୱାଗତ କରିଛନ୍ତି ଏବଂ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ଏବଂ ରାୟଗଡା ତହସିଲଦାର ଉମାଶଙ୍କର ବେହେରା ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିରର ସ୍ଥିତ ଅନୁଧ୍ୟାନ ପରେ ରିପୋର୍ଟ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ପ୍ରଦାନ କରିଥିଲେ । ସମସ୍ତ ସ୍ଥିତି ଅନୁଧ୍ୟାନ ପରେ ୪ ତାରଖରୁ ଜିଲ୍ଲାର ସମସ୍ତ ଧାର୍ମିକନୁଷ୍ଠାନ ଖୋଲିବା ପାଇଁ ନିଷ୍ପତି ହେଲା । ଏ ନେଇ ପ୍ରଶାସନ ତରଫରୁ ଏକ ସ୍ୱତନ୍ତ୍ର ଗାଇଡଲାଇନ ଜାରୀ କରାଯାଇଛି ।
ମନ୍ଦିର ଭିତରେ ଥରକୁ ୧୦ ଜଣରୁ ଅଧିକ ଭକ୍ତଙ୍କ ପ୍ରବେଶ ନକରାଇବା, ପ୍ରବେଶ ସମୟରେ ସାମାଜିକ ଦୂରତା ବଜାୟ ରଖିବା, କୋଭିଡ ୧୯ ନିୟମ ପାଳନ କରି ମାସ୍କ, ସାନିଟାଇଜର ବ୍ୟବହାର ସହ ମନ୍ଦିର ପରିସରରେ ଛେପ ପକାଇବା ବାରଣ କରାଯାଇଛି । ୪ ତାରିଖରୁ ୧୧ ତାରିଖ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ମା ମଝିଘରିଆଣୀ ମନ୍ଦିର ଖୋଲାଯାଇ ୧୨ ତାରଖରୁ ୧୭ ତାରିଖ ଯାଏଁ ମନ୍ଦିର ବନ୍ଦ ରଖିବା ପାଇଁ ପ୍ରଶାସନ ତରଫରୁ ନିର୍ଦେଶନାମା ଜାରୀ କରାଯାଇଛି ।
ପବିତ୍ର ମକର ସଂକ୍ରାନ୍ତି ପାଇଁ ଆନ୍ଧ୍ର ଭକ୍ତଙ୍କ ପ୍ରବଳ ସମାଗମ ହେବା ଦୃଷ୍ଟିରୁ ପ୍ରସାଶନ ତରଫରୁ ଏପରି ନିଷ୍ପତି ନିଆଯାଇଛି । ମନ୍ଦିର ଖୋଲିବା ପାଇଁ ସହରର ସାମାଜିକ କର୍ମୀ ଏବଂ ସାମ୍ବାଦିକ ମାନେ ଆଜି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କୁ ଲିଖିତ ଆକାରରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପାଇବା ମାତ୍ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ତୁରନ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣକରି ଧର୍ମ ଅନୁଷ୍ଠାନ ଖୋଲିବା ପାଇଁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଆଦେଶ ଦେଇଛନ୍ତି । ଏହି ଅଭିଯୋଗ ଦେବା ସମୟରେ ଦୁର୍ଗା ପ୍ରସାଦ ପଣ୍ଡା, ରଶ୍ମୀ ରଞ୍ଜନ ଦୋରା, ଗୋପ ରଞ୍ଜନ ବକ୍ସିପାତ୍ର, ବିଦ୍ୟା ଭୂଷଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।