Odisha news

ରତ୍ନପଥର ଜବତ ଘଟଣା : ବିବାଦ ଭିତରକୁ ଫସିଫସି ଯାଉଛନ୍ତି ମନ୍ତ୍ରୀ ଜଗନ୍ନାଥ

0

ରାୟଗଡା(Rabindra Patkhandal) :  ରତ୍ନପଥର ଓ ମନ୍ତ୍ରୀ ଜଗନ୍ନାଥ ସାରକାକୁ ନେଇ ବିବାଦ ଧିରେ ଧିରେ ଘନିଭୂତ ହେବାରେ ଲାଗିଛି । ଗତକାଲି କଂଗ୍ରେସ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ବିଶଦଗାର କରିଥିବା ବେଳେ ୨୪ ଘଣ୍ଟା ନପୁରୁଣୁ ଭାଜପା ମଧ୍ୟ ଏକ ସାମ୍ବାଦିକ ସମ୍ମିଳନିରେ ସମାନ ଅଭିଯୋଗ ଆଣିଛି । ରତ୍ନପଥର ଘଟଣାକୁ ନେଇ ଏବେ ଜିଲ୍ଲାରେ ରାଜନୀତି ଜୋର ଧରିଛି । ଘଟଣାରେ ବିଜେଡି ଲିଙ୍କ ରହିଥିବା ନେଇ ବିଜେପି ଦାବୀ କରିଛି । ଏ ନେଇ ବିଜେପି ପକ୍ଷରୁ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଗିରଫ ହୋଇଥିବା ଅଭିଯୁକ୍ତ ଜିତେନ୍ଦ୍ର କୁମାର ବେହେରାଙ୍କ ମଧ୍ୟରେ ଘନିଷ୍ଠ ସଂପର୍କ ରହିଥିବା ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶିବ ଶଙ୍କର ଉଲ୍ଲାକା ଓ ବସନ୍ତ ଉଲ୍ଲାକା ଅଭିଯୋଗ ଆଣିଛନ୍ତି । ଅଭିଯୁକ୍ତ ଜିତେନ୍ଦ୍ର ଜିଲ୍ଲାର ମନ୍ତ୍ରୀ, ରାଜ୍ୟସଭା ସାଂସଦ, ଜିଲ୍ଲା ବିଜେଡି ସଭାପତି ଏବଂ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ଛତ୍ରଛାୟା ତଳେ ରହି ଖଣିଜ ସଂପଦ ତସ୍କର କରୁଥିବା ସହ ଗଂଜେଇ ଚୋରାଚାଲାଣରେ ମଧ୍ୟ ସଂପୃକ୍ତ ଥିବା ନେଇ ବିଜେପି ଅଭିଯୋଗ କରିଛି ।

ତେଣୁ ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ପଦରୁ ଜଗନ୍ନାଥ ସାରକାଙ୍କୁ ମୁଖ୍ୟମନ୍ତ୍ରୀ ବିଦା କରିବା ସହିତ ରାଜ୍ୟସଭା ସାଂସଦ, ଗୁଣପୁର ବିଧାୟକ, ଜିଲ୍ଲା ବିଜେଡି ସଭାପତି ଓ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୂ୍ତ କରିବାକୁ ଦାବୀ କରିଛି ବିଜେପି । ଘଟଣାକ୍ରମେ ରାୟଗଡା ସହରସ୍ଥିତ ଜଗନ୍ନାଥ କଂପ୍ଲେକ୍ସର ଏକ ଘରେ ଗଂଜେଇ ଥିବା ନେଇ କ୍ରାଇମବ୍ରାଞ୍ଚ ଏସଟିଏଫର ୫ ଜଣିଆ ଟିମ ଓ ରାୟଗଡା ପୋଲିସର ମିଳିତ ସହଯୋଗରେ ଉକ୍ତ ଘରେ ଚଢଉ କରିଥିଲେ । ତେବେ ଚଢଉ ସମୟରେ ଗଂଜେଇ ତ ମିଳିନଥିବା ମିଳିଥିଲା ୨ଟି ଅଖାବସ୍ତାରୁ ୧୫୧ କିଲୋ ମୂଲ୍ୟବାନ ରତ୍ନପଥର । ଯାହାର ବଜାର ମୂଲ୍ୟ ୧ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ଆକଳନ କରିଛି ।

ରତ୍ନପଥର ଚୋରାଚାଲାଣ ମାମଲାରେ ସଂପୃକ୍ତ ଥିବା ଜିତେନ୍ଦ୍ର କୁମାର ବେହେରାଙ୍କୁ କ୍ରାଇମବ୍ରାଞ୍ଚ ଟିମ ଗିରଫ କରି କେଶ ନଂ ୩୯୦ ଧାରା ୩୭୯/୪୧୧ ରେ ବେଆଇନ ଭାବେ ରତ୍ନପଥର ଚୋରାଚାଲାଣ କରୁଥିବା ଅଭିଯୋଗରେ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଛି । ଜିତେନ୍ଦ୍ରଙ୍କ ଗିରଫ ପରେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉକ୍ତ ଘଟଣାରେ ମନ୍ତ୍ରୀଙ୍କ ସଂପୃକ୍ତି ଥିବା ନେଇ ବିଜେପି ଅଭିଯୋଗ କରିଛି । ଚୋରା ରତ୍ନପଥର ଓ ଗଂଜେଇ ଚାଲାଣରେ ସଂପୃକ୍ତ ଥିବା ଜିତେନ୍ଦ୍ର ବେହେରା କେବଳ ମନ୍ତ୍ରୀ ସାରକାଙ୍କ ସହ ଶାସକ ଦଳର ଆଗଧାଡିର ବହୁ ମନ୍ତ୍ରୀ, ବିଧାୟକ,ସାଂସଦ ଙ୍କ ସହ ସଂପର୍କ ରଖି ନିଜର କଳାସାମ୍ରାଜ୍ୟ ବିସ୍ତାର କରି ଆସୁଥିଲେ ବୋଲି ବିଜେପି ଅଭିଯୋଗ କରିଛି । ଏସବୁ ଘଟଣାକୁ ଗୁରୁତର ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଚାର କରି ନିରପେକ୍ଷ ଭାବେ କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ କଲେ ଆହୁରି ଅନେକ ତଥ୍ୟ ପଦାକୁ ଆସିବା ବୋଲି ଜିଲ୍ଲା ବିଜେପି ତରଫରୁ ପ୍ରକାଶ ।

 

Leave A Reply