ରାୟଗଡା,୧୯ ।୧୨(ରବୀନ୍ଦ୍ର ପାଟଖଣ୍ଡଳ)-ପାରିବାରିକ କଳହକୁ ନେଇ ଶଳା ଉପରେ ରାଗ ସୁଝାଇବାକୁ ଯାଇ ନିଜ ନାବାଳିକା ଝିଅକୁ ଅପହରଣର ନାଟକ କରି ଶେଷରେ ପୁଲିସ ହାତରେ ଧରା ପଡ଼ିଛି ବାପା । ଏଭଳି ଅଭାବନିୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ସଦର ମହକୁମାରେ । ରାୟଗଡ଼ା ସହର ସ୍ଥିତ ଜେଏସକୋ ଅଚଞ୍ଚର ଦୋରା କଣ୍ଡାଗରି ନିଜ ପ୍ରଥମ ସ୍ତ୍ରୀର ଦୁଇ ଭାଇ ଉପରେ ରାଗ ଶୁଝାଇବାକୁ ଯାଇ ନିଜ ୩ ବର୍ଷ ଝିଅର ଅପହରଣ ନାଟକ କରିଥିଲା ।
ଏନେଇ ଦୋରା କଣ୍ଡାଗରୀଙ୍କ ମା ପୁଲମା କଣ୍ଡାଗରି ଗତ ୧୫ତାରିଖ ଦିନ ନିଜ ନାତୁଣିର ଅପହରଣ ନେଇ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଯେଉଁଥିରେ ପୁଅର ପ୍ରଥର ସ୍ତ୍ରୀର ଦୁଇଭାଇର ସମ୍ପୃକ୍ତ ଥିବା ନେଇ ଅଭିଯୋଗ କରି ପୋଲିସକୁ ଭୁଆଁ ବୁଲାଇବାକୁ ଚେଷ୍ଟା କରାଯାଇଥିଲା । ତେବେ ପୁଲିସ ତଦନ୍ତ କରି ବାପା ହିଁ ନିଜ ଝିଅର ଅପହରଣ କରିଥିବା ଘଟଣାର ପର୍ଦାଫାସ କରିଛି । ଏହି ଘଟଣାରେ ରାୟଗଡ଼ା ପୁଲିସ ଗୁମ୍ମା ପଞ୍ଚାୟତ ଅନ୍ତର୍ଗତ କଣବେସା ଗ୍ରାମରୁ ନାବାଳିକା ଝିଅକୁ ଉଦ୍ଧାର କରିବା ସହ ଅପହୃତ ବାପା ଦୋରା କଣ୍ଡାଗରି ଓ ତାର ସହଯୋଗି ଗଜେନ୍ଦ୍ର ହୁଇକାକୁ ଗିରଫ କରି କୋର୍ଟ ଚାଲାଣ କରଛି ।
ଏହା ସହ ତାଙ୍କ ନିକଟରୁ ଏହି ଅପହରଣରେ ବ୍ୟବହୃତ ମଟର ସାଇକେଲକୁ ଜବତ କରିଛି । ଉଦ୍ଧାର ଶିଶୁକୁ ତାର ନିଜ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା କହିଛନ୍ତି ରାୟଗଡ଼ା ଏସପି ଡଃ ଶର୍ବଣା ବିବେକ ଏମ । ଘଟଣାର ଅନୁସନ୍ଧାନ କରିଥିଲେ ଏଏସଆଇ କିଶୋର ଚନ୍ଦ୍ର ବେହେରା । ଏ ନେଇ ରାୟଗଡା ଥାନାରେ କେଶ ନଂ ୪୦୯, ଧାରା ୩୬୫/୩୪ ଆଇପିସି ପ୍ରକାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।